ଅନ୍ତରୀକ୍ଷରେ ଜନ୍ମ ହୋଇପାରିବେ ଶିଶୁ ! ବୈଜ୍ଞାନିକ କଲେ ବଡ ଖୁଲାସା

Key Points
କ’ଣ ଅନ୍ତରୀକ୍ଷରେ ଜନ୍ମ ହୋଇପାରିବେ ଶିଶୁ ?
ଅନ୍ତରୀକ୍ଷରେ ମହିଳାଙ୍କ ଗର୍ଭାବସ୍ଥା ସୁରକ୍ଷିତ ରହିବ କି ?
ଯଦି ହଁ , ତେବେ କେମିତି ସମ୍ଭବ ?
ବୈଜ୍ଞାନିକ କରିଛନ୍ତି ଏମିତି ପରୀକ୍ଷା
କ’ଣ ଅନ୍ତରୀକ୍ଷରେ ସତରେ ପିଲା ଜନ୍ମ କରିବା ସମ୍ଭବ ? ଏମିତି ପ୍ରଶ୍ନ ଆପଣଙ୍କ ମନରେ ବି ଆସୁଥାଇ ପାରେ । କାରଣ ମାନବ ମଙ୍ଗଳ ଗ୍ରହକୁ ଯିବାର ପ୍ରସ୍ତୁତି କେବେଠାରୁ ଆରମ୍ଭ କରି ସାରିଲେଣି । ହେଲେ କୁହାଯାଉଛି, ମଙ୍ଗଳ ଗ୍ରହକୁ ଯିବା ଆସିବାରେ ଯେତିକି ସମୟ ଲାଗିବ , ଏହି ସମୟରେ କୌଣସି ମହିଳା ଗର୍ଭବତୀ ହୋଇ ପିଲାଜନ୍ମ କରିପାରିବ । କଣ ସତରେ ଏହା ସମ୍ଭବ ? ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ବୈଜ୍ଞାନିକମାନେ ଏହା ଉପରେ ଏକ ଗବେଷଣା କରିଛନ୍ତି । ଆସନ୍ତୁ ଜାଣିବା, ପ୍ରକୃତରେ ଏହା କେମିତି ସମ୍ଭବ ?
ଅଧିକାଂଶ ଲୋକ ଜାଣିନଥାନ୍ତି ଭ୍ରୂଣଟିଏ ମା’ ଗର୍ଭରେ ସ୍ଥାପନ ହୋଇ ବିକଶିତ ହେବାର ପ୍ରକ୍ରିୟାଟି କେମିତି ? ଜଣେ ମହିଳା ଗର୍ଭବତୀ ଅଛନ୍ତି କି ନାହିଁ ଜଣାପଡିବା ପୂର୍ବରୁ ପ୍ରାୟ ଦୁଇ-ତୃତୀୟାଂଶ କିମ୍ବା 66% ମାନବ ଭ୍ରୁଣ ଗର୍ଭାଶୟରେ ନଷ୍ଟ ହୋଇଯାଇଥାଏ । ଯେତେବେଳେ ଭ୍ରୂଣଟି ଠିକ୍ ଭାବରେ ଗଠନ ହୁଏ ନାହିଁ କିମ୍ବା ଗର୍ଭାଶୟର କାନ୍ଥ ସହିତ ସଂଲଗ୍ନ ହୁଏ ନାହିଁ ସେତେବେଳେ ଏହା ଘଟିଥାଏ ।
ତେଣୁ ଅନ୍ତରୀକ୍ଷରେ ଏହି ସମସ୍ୟା ଆସିପାରେ । ଅନ୍ତରୀକ୍ଷରେ ମାଇକ୍ରୋଗ୍ରାଭିଟି ବା ଗୁରୁତ୍ଵାକର୍ଷଣ ନଥାଏ । ସେଥିପାଇଁ ଭ୍ରୂଣଟି ଗର୍ଭାଶୟରେ ଲାଗିବା ପାଇଁ ସମସ୍ୟା ହୋଇପାରେ । କିନ୍ତୁ ଯଦି ଥରେ ଲାଗିଯାଏ, ତେବେ ବିଶେଷ କିଛି ସମସ୍ୟା ହୁଏ ନାହିଁ ।
କିନ୍ତୁ ଛୁଆକୁ ଜନ୍ମଦେବା ପରେ ତାର ଦେଖାଶୁଣା କରିବାର ସମସ୍ୟା ଉପୁଜିପାରେ । ଗୁରୁତ୍ଵାକର୍ଷଣ ନହେବା କାରଣରୁ ତରଳ ପଦାର୍ଥ ଭାସମାନ ଅବସ୍ଥାରେ ରହିଥାଏ । ଏଥିପାଇଁ ଅନ୍ତରୀକ୍ଷରେ ପିଲାଜନ୍ମ କରିବାରେ ପୃଥିବୀ ଅପେକ୍ଷା ଅନ୍ତରୀକ୍ଷରେ ସମସ୍ୟା ହୋଇଥାଏ ।
ତଥାପି ବୈଜ୍ଞାନିକମାନେ ପରୀକ୍ଷା କରି କହିଛନ୍ତି, ଭ୍ରୂଣ ଗର୍ଭରେ ମାଇକ୍ରୋଗ୍ରାଭିଟି ଭଳି ସ୍ଥିତିରେ ରହିଥାଏ । ଗର୍ଭରେ ଥିବା ଆମ୍ନିଓଟିକ୍ ତରଳ ପଦାର୍ଥରେ ଭାସିଥାଏ, ଯାହା ଏହାକୁ ହାଲୁକା ଏବଂ ସୁରକ୍ଷିତ ରଖେ । ଅନ୍ତରୀକ୍ଷରେ ମଧ୍ୟ ମହାକାଶଚାରୀଙ୍କୁ ରହିବା ପାଇଁ ପାଣି ଟାଙ୍କିରେ ପହଁରିବା ଭଳି ତାଲିମ ଦିଆଯାଇଥାଏ । ଯାହାଦ୍ଵାରା ସେମାନେ ଭାସମାନ ଅବସ୍ଥାରେ ରହିପାରିବେ । ସେଥିପାଇଁ ମାଇକ୍ରୋଗ୍ରାଭିଟି ନହେବା ଏକ ବିଶେଷ କାରଣ ନୁହେଁ , ଅନ୍ତରୀକ୍ଷରେ ଗର୍ଭାବସ୍ଥା ସମସ୍ୟା ହେବା ନେଇ ଆହୁରି କାରଣ ରହିଛି ।
ପୃଥିବା ବାହାରେ ଥିବା ଅତି ବାଇଗଣୀ ରଶ୍ମୀ ଶରୀର ପାଇଁ ଖୁବ ବିପଦଜ୍ଜନକ । ପୃଥିବୀରେ ଥିବା ମୋଟା ବାୟୁମଣ୍ଡଳର ଆସ୍ତରଣ ଏବଂ ଚୁମ୍ବକୀୟ କ୍ଷେତ୍ର ଏହି ବିକିରଣରୁ ସମସ୍ତଙ୍କୁ ବଞ୍ଚାଇଥାଏ । କିନ୍ତୁ ଅନ୍ତରୀକ୍ଷରେ ଏହି ସୁରକ୍ଷା ନଥାଏ । ଯେତେବେଳେ ଏହି ରଶ୍ମୀ ଶରୀର ମଧ୍ୟକୁ ପ୍ରବେଶ କରିଥାଏ, ଏହା ସିଧା ଗର୍ଭାଶୟ ଉପରେ ପ୍ରଭାବ ପକାଇଥାଏ । ଏହାଦ୍ଵାରା ଗର୍ଭାପାତ ହେବାର ବିଶେଷ ଆଶଙ୍କା ଥାଏ । ପ୍ରିମାଚ୍ୟୁର ବେବି ହେବାର ମଧ୍ୟ ଆଶଙ୍କା ଥାଏ ।
ତେଣୁ ଯେପର୍ଯ୍ୟନ୍ତ ଅନ୍ତରୀକ୍ଷରେ ବିକିରଣରୁ ଶିଶୁକୁ ରକ୍ଷା କରିବାର ଉପାୟ ଆସିନାହିଁ, ଯେପର୍ଯ୍ୟନ୍ତ ମାଇକ୍ରୋଗ୍ରାଭିଟି ଭଳି ସମସ୍ୟାର ସମାଧାନ ମିଳିନାହିଁ, ସେପର୍ଯ୍ୟନ୍ତ ଅନ୍ତରୀକ୍ଷରେ ଶିଶୁଜନ୍ମ ହେବା ସମ୍ଭବ ନୁହେଁ ।