ଧୂମପାନ ଛଡାଇବ ଏହି ସ୍ମାର୍ଟୱାଚ୍

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସମୟରେ ଯୁବପିଢୀଙ୍କ ପାଇଁ ଧୂମପାନ ଏକ ସାଧାରଣ କଥା । ଆଉ ଅନେକ ଲୋକ ଏହାକୁ ଛଡାଇବାକୁ ଚାହିଁଲେବି ଛାଡି ପାରନ୍ତି ନାହିଁ । କିନ୍ତୁ ଏବେ ଧୂମପାନ ଅଭ୍ୟାସ ଛଡାଇବାରେ ସାହାଯ୍ୟ କରିବ ସ୍ମାର୍ଟୱାଚ୍ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଜୀବନକୁ ସହଜ କରିବା ଠାରୁ ଆରମ୍ଭ କରି ଜୀବନ ବଞ୍ଚାଇବା ପର୍ଯ୍ୟନ୍ତ ଆଜିକାଲି ସ୍ମାର୍ଟୱାଚ୍ ସବୁକିଛିରେ ଉପଯୋଗୀ । ସ୍ମାର୍ଟୱାଚ୍ ବ୍ଲଡ଼ପ୍ରେସର୍ ଏବଂ ହାର୍ଟରେଟ୍ ଇତ୍ୟାଦି ଉପରେ ନଜର ରଖିଥାଏ ଏବଂ ବେଳେବେଳେ ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ଆଲର୍ଟ ମଧ୍ୟ କରିଥାଏ ଯାହା ଦ୍ୱାରା ସେମାନେ ଠିକ୍ ସମୟରେ ଚିକିତ୍ସା କରାଇପାରିବେ ।
ତେବେ ବର୍ତ୍ତମାନ ଏହା ଲୋକଙ୍କୁ ସିଗାରେଟ୍ ଛଡ଼ାଇବାରେ ମଧ୍ୟ ସାହାଯ୍ୟ କରିବ । ବୈଜ୍ଞାନିକମାନେ ଏକ ପଦ୍ଧତି ଆବିଷ୍କାର କରିଛନ୍ତି ଯାହା ଲୋକଙ୍କୁ ସିଗାରେଟ ନିଶା ଛଡ଼ାଇବାରେ ସାହାଯ୍ୟ କରିପାରିବ ।ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ସ୍ମାର୍ଟୱାଚ୍ ଲୋକଙ୍କୁ ଧୂମପାନ ଅଭ୍ୟାସ ଛଡ଼ାଇବାରେ ସାହାଯ୍ୟ କରିଥାଏ । ଏଠାରେ ଅନୁସନ୍ଧାନକାରୀମାନେ ଏକ ମୋସନ୍ ସେନ୍ସର ଆପ୍ ସୃଷ୍ଟି କରିଛନ୍ତି, ଯାହା ସିଗାରେଟ୍ ଟାଣିବା ସମୟରେ ଘଟୁଥିବା ହାତର ମୁଭମେଣ୍ଟକୁ ଚିହ୍ନଟ କରିପାରିବ ।
📱 Get Argus News App
✨ଏହି ଆପ୍ ଚଳାଇବା ପାଇଁ ଏକ ସ୍ମାର୍ଟ ୱାଚ୍ ଯଥେଷ୍ଟ ଏବଂ ଏହାକୁ କୌଣସି ଫୋନ୍ ସହିତ କନେକ୍ଟ କରିବାର ଆବଶ୍ୟକତା ନାହିଁ । ଏହାର ଅନୁସନ୍ଧାନ ପାଇଁ, ୧୮ ଜଣଙ୍କୁ ଏହି ଟ୍ରାଏଲରେ ସାମିଲ କରାଯାଇଥିଲା, ଯେଉଁମାନେ ଦିନକୁ ୧୦ ଟି ସିଗାରେଟ୍ ଟାଣୁଥିଲେ, କିନ୍ତୁ ଏହି ଆପ୍ ବ୍ୟବହାର କରିବା ପରେ ସେମାନେ ଧୂମପାନ ଅଭ୍ୟାସ ଛାଡିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଲୋକଙ୍କ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ଲୋକ କହିଛନ୍ତି ଯେ ଆପରେ ଆସୁଥିବା ମେସେଜ୍ ସେମାନଙ୍କ ସିଗାରେଟ୍ ନିଶା ଛଡାଇବାରେ ବହୁତ ସହାୟକ ହୋଇଛି ।
ଏହାର ଅର୍ଥ ଏହି ଆପ୍ ଚିହ୍ନଟ କରିବ ଯେ ୟୁଜର ତାଙ୍କ ହାତରେ ସିଗାରେଟ୍ ଧରିଛନ୍ତି । ଏହା ଚିହ୍ନଟ ହେବା ମାତ୍ରେ ସ୍ମାର୍ଟ ୱାଚର ସ୍କ୍ରିନରେ ଏକ ମେସେଜ୍ ଦେଖାଯିବ ଏବଂ ଭାଇବ୍ରେଟ୍ ହେବ । ଏହି ସମୟରେ ଆପ୍ ୟୁଜରମାନଙ୍କୁ ଏପରି ମେସଜ୍ ଦେଖାଇବ, ଯେଉଁଥିରେ ଧୂମପାନ ଛାଡିବାର ଲାଭ ବିଷୟରେ ସମସ୍ତ ତଥ୍ୟ ରହିବ । ଯାହା ୟୁଜରଙ୍କୁ ସିଗାରେଟ ଛାଡିବା ପାଇଁ ମୋଟିଭେଟ୍ କରିବ । ୟୁଜର ଗୋଟିଏ ଦିନରେ କେତେ ସିଗାରେଟ୍ ଟାଣୁଛନ୍ତି ତାହା ମଧ୍ୟ ଆପ୍ କହିବ ।