Videos
|
Technology

PAN Card Rules / କେବଳ ITR ନୁହେଁ, ଏହି ୫ଟି ବଡ଼ ଆର୍ଥିକ କାରବାର ପାଇଁ ମଧ୍ୟ ଜରୁରୀ PAN Card

Rashmita Mishra
Browse all articles by Rashmita Mishra
·1 hour ago·3 min read
କେବଳ ITR ନୁହେଁ, ଏହି ୫ଟି ବଡ଼ ଆର୍ଥିକ କାରବାର ପାଇଁ ମଧ୍ୟ ଜରୁରୀ PAN Card
PAN Card Rules

Key Points

PAN କାର୍ଡ ନଥିଲେ ଅଟକିପାରେ ବଡ଼ ଆର୍ଥିକ କାମ
ଘର, ଜମି ଓ ଗାଡ଼ି କିଣିବାରେ PAN କାର୍ଡ ଜରୁରୀ
ଭୁଲ୍ PAN ନମ୍ବର ଦେଲେ ଲାଗିପାରେ ୧୦ ହଜାର ଟଙ୍କା ଜରିମାନା
ଜାଣନ୍ତୁ, କେଉଁ ୫ଟି କାରବାରରେ PAN କାର୍ଡ ବାଧ୍ୟତାମୂଳକ

ସାଧାରଣତଃ ଅଧିକାଂଶ ଲୋକ ପାନ୍ କାର୍ଡକୁ କେବଳ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ଦାଖଲ କରିବାର ଏକ ମାଧ୍ୟମ ବୋଲି ଭାବନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଦେଶରେ ଏପରି ଅନେକ ବଡ଼ ଆର୍ଥିକ କାରବାର ରହିଛି, ଯେଉଁଠାରେ ପାନ୍ କାର୍ଡ ଦେବା ଆଇନଗତ ଭାବେ ବାଧ୍ୟତାମୂଳକ ?

ଆପଣ ଜମି କିମ୍ବା ଘର କିଣୁଥାନ୍ତୁ, ଗାଡ଼ି କିଣୁଥାନ୍ତୁ ଅଥବା ସେୟାର ବଜାରରେ ନିବେଶ କରୁଥାନ୍ତୁ, ଅନେକ କ୍ଷେତ୍ରରେ ପାନ୍ କାର୍ଡ ବିନା ଆପଣଙ୍କ କାମ ଅଟକି ଯାଇପାରେ । ଆୟକର ବିଭାଗ PAN ନମ୍ବର ମାଧ୍ୟମରେ ବଡ଼ ଆର୍ଥିକ କାରବାର ଉପରେ ନଜର ରଖିଥାଏ । ଏହାଦ୍ୱାରା ବ୍ୟକ୍ତିଙ୍କ ଆୟ ଓ ଖର୍ଚ୍ଚ ମଧ୍ୟରେ ସଠିକ୍ ହିସାବ ରଖିବା ସମ୍ଭବ ହୋଇଥାଏ ।

ତେବେ ଜାଣନ୍ତୁ କେଉଁ ୫ଟି ବଡ଼ ଆର୍ଥିକ କାରବାର ପାଇଁ PAN Card ଦେବା ଆବଶ୍ୟକ ଏବଂ ଭୁଲ୍ PAN ନମ୍ବର ଦେଲେ କେତେ ଟଙ୍କା ଜରିମାନା ଲାଗିପାରେ ।
ଏହି ୫ଟି ଆର୍ଥିକ କାରବାର ପାଇଁ ଜରୁରୀ PAN Card

ଆୟକର ନିୟମ ଅନୁଯାୟୀ, କିଛି ନିର୍ଦ୍ଦିଷ୍ଟ ମୂଲ୍ୟର ଆର୍ଥିକ କାରବାର ପାଇଁ PAN ନମ୍ବର ଦେବା ବାଧ୍ୟତାମୂଳକ ।
୧. ସମ୍ପତ୍ତି କିଣାବିକା: ଆପଣ ଯଦି ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଘର, ଦୋକାନ କିମ୍ବା ଜମି କିଣୁଛନ୍ତି ବା ବିକ୍ରି କରୁଛନ୍ତି, ତେବେ PAN Card ଦେବାକୁ ପଡ଼ିବ ।
୨. ସାମଗ୍ରୀ କିଣିବା: ଯଦି ଗୋଟିଏ କାରବାରରେ ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କିମ୍ବା ସେବା କିଣୁଛନ୍ତି, ତେବେ PAN Card ଦେବା ଆବଶ୍ୟକ ।
୩. ଅଣସୂଚୀଭୁକ୍ତ ସେୟାର (Unlisted Shares): ୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅଣସୂଚୀଭୁକ୍ତ ସେୟାର କିଣିବା କିମ୍ବା ବିକ୍ରି କରିବା ସମୟରେ PAN ନମ୍ବର ଆବଶ୍ୟକ ।
୪. ଗାଡ଼ି କିଣିବା: ୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାର୍ କିମ୍ବା ବାଇକ୍ କିଣିବା ସମୟରେ PAN Card ଦେବାକୁ ପଡ଼ିପାରେ ।
୫. ଡିମାଟ୍ ଆକାଉଣ୍ଟ ଓ ନିବେଶ: ସେୟାର ବଜାର କିମ୍ବା ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିବା ପାଇଁ ଡିମାଟ୍ ଆକାଉଣ୍ଟ ଖୋଲିବା ସମୟରେ PAN Card ଆବଶ୍ୟକ।

PAN ନଦେଲେ କିମ୍ବା ଭୁଲ୍ ଦେଲେ ଆସିପାରେ ନୋଟିସ୍ ?
ଏହିସବୁ କାରବାର ମଧ୍ୟରୁ ଯେକୌଣସିଟି କରିବା ସମୟରେ ଯଦି ଆପଣ PAN Card ଦେଉନାହାନ୍ତି, ତେବେ ସମ୍ପୃକ୍ତ ବ୍ୟାଙ୍କ, ସଂସ୍ଥା କିମ୍ବା ବିକ୍ରେତା ଆପଣଙ୍କ କାରବାରକୁ ଅଟକାଇ ପାରନ୍ତି । ଆପଣ ବଡ଼ ଆର୍ଥିକ କାରବାରରେ PAN ନମ୍ବର ଦେବା ପରେ ସେହି ସୂଚନା TDS, TCS, SFT ଏବଂ AIS (Annual Information Statement) ମାଧ୍ୟମରେ ଆୟକର ବିଭାଗ ପାଖରେ ପହଞ୍ଚିଥାଏ ।

ଯଦି ଆପଣଙ୍କ ଘୋଷିତ ବାର୍ଷିକ ଆୟ ଏବଂ ଆପଣ କରୁଥିବା ବଡ଼ ଖର୍ଚ୍ଚ ମଧ୍ୟରେ ଅଧିକ ପାର୍ଥକ୍ୟ ଦେଖାଯାଏ, ତେବେ ଆୟକର ବିଭାଗ ଏହାର କାରଣ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିପାରେ । ଏପରି ସ୍ଥିତିରେ ଆପଣଙ୍କୁ ଆୟର ଉତ୍ସ ସମ୍ପର୍କରେ ତଥ୍ୟ ଦେବାକୁ ପଡ଼ିପାରେ ।

ଭୁଲ୍ PAN ନମ୍ବର ଦେଲେ ୧୦ ହଜାର ଟଙ୍କା ଜରିମାନା
ଆୟକର ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଭୁଲ୍ କିମ୍ବା ଜାଲ୍ PAN ନମ୍ବର ଦାଖଲ କରନ୍ତି, ତେବେ ତାଙ୍କ ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ । ଏହା ବ୍ୟତୀତ ଭୁଲ୍ PAN ନମ୍ବର ଦେବା ଦ୍ୱାରା TDS Credit ଦାବି କରିବାରେ ମଧ୍ୟ ସମସ୍ୟା ହୋଇପାରେ । ଆପଣଙ୍କ ଆର୍ଥିକ ରେକର୍ଡରେ ତ୍ରୁଟି ଦେଖାଦେବା ସହ ଆୟକର ବିଭାଗର ଯାଞ୍ଚ ପରିସର ମଧ୍ୟ ବଢ଼ିପାରେ । ତେଣୁ ବ୍ୟାଙ୍କ, ଜମି ରେଜିଷ୍ଟ୍ରି କିମ୍ବା ଟିକସ ସମ୍ବନ୍ଧୀୟ ଦସ୍ତାବିଜରେ PAN ନମ୍ବର ଲେଖିବା ସମୟରେ ବିଶେଷ ସତର୍କ ରୁହନ୍ତୁ ।

PAN Card ମାଧ୍ୟମରେ କିପରି ନଜର ରଖେ ଆୟକର ବିଭାଗ ?
PAN Card ହେଉଛି ଭାରତର ଟିକସ ବ୍ୟବସ୍ଥାରେ ଆପଣଙ୍କର ଏକ ସ୍ୱତନ୍ତ୍ର ପରିଚୟ । ଆପଣଙ୍କ ବ୍ୟାଙ୍କ ଜମା, ମ୍ୟୁଚୁଆଲ୍ ଫଣ୍ଡ, ସେୟାର ବଜାରରେ କାରବାର, ସମ୍ପତ୍ତି କିଣାବିକା ଏବଂ ବିଦେଶକୁ ପଠାଯାଉଥିବା ଟଙ୍କା ଭଳି ଅନେକ ଆର୍ଥିକ ତଥ୍ୟ PAN ସହ ଲିଙ୍କ୍ ହୋଇଥାଏ । ଆୟକର ବିଭାଗ ଡାଟା ଆନାଲିଟିକ୍ସ ଓ ଆଧୁନିକ ପ୍ରଯୁକ୍ତିର ସହାୟତାରେ ଏହି ସବୁ ତଥ୍ୟର ଯାଞ୍ଚ କରିଥାଏ । ଏହାଦ୍ୱାରା ଆପଣଙ୍କ ଆୟ ଓ ବ୍ୟୟ ମଧ୍ୟରେ ସମନ୍ୱୟ ରହିଛି କି ନାହିଁ, ତାହା ଜାଣିବା ସହଜ ହୋଇଥାଏ । ତେଣୁ ବଡ଼ ଆର୍ଥିକ କାରବାର କରିବା ସମୟରେ ସଠିକ୍ PAN ନମ୍ବର ଦିଅନ୍ତୁ ଏବଂ ଆୟକର ନିୟମ ପାଳନ କରନ୍ତୁ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: