Fake Police Notice / AIରେ ତିଆରି କଲେ ନକଲି ପୋଲିସ ନୋଟିସ୍, ପୂର୍ବତନ ପ୍ରେମିକ ହେଲେ ହଇରାଣ ଆଉ ତା'ପରେ...

Key Points
ChatGPTରେ ନକଲି ପୋଲିସ ନୋଟିସ୍, ଯୁବତୀଙ୍କ କାରନାମା
Ex-Boyfriendଙ୍କୁ ଡରାଇବାକୁ AIର ସାହାଯ୍ୟ, ଧରାପଡ଼ିଲା ଚାଲ୍
AIର ଅପବ୍ୟବହାର ! ନକଲି SHE Teams ନୋଟିସ୍ରେ ଫସିଲେ ଯୁବକ
ପୂର୍ବତନ ପ୍ରେମିକଙ୍କୁ ଡରାଇବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ସାହାଯ୍ୟ ନେଲେ ଜଣେ ଯୁବତୀ । ChatGPT ବ୍ୟବହାର କରି ପୋଲିସର ଏକ ନକଲି ନୋଟିସ୍ ପ୍ରସ୍ତୁତ କରି ତାଙ୍କୁ WhatsAppରେ ପଠାଇଥିଲେ । ତେବେ ଯୁବକ ଜଣକ ପୋଲିସ ଅଫିସରେ ପହଞ୍ଚିବା ପରେ ପୂରା ଘଟଣାର ପର୍ଦ୍ଦାଫାସ ହୋଇଛି ।
ସୂଚନା ଅନୁଯାୟୀ, ଏହି ଘଟଣା ତେଲେଙ୍ଗାନାର ହାଇଦ୍ରାବାଦରେ ଘଟିଛି । ୨୪ ବର୍ଷୀୟ ଭି. ତିରୁନେଶ୍ୱର କୁକଟପଲ୍ଲୀ ଅଞ୍ଚଳର ବାସିନ୍ଦା । ସେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଦିନେ ତାଙ୍କ WhatsAppକୁ ହାଇଦ୍ରାବାଦ SHE Teams ନାମରେ ଏକ ନୋଟିସ୍ ଆସିଥିଲା । ଏଥିରେ ତାଙ୍କୁ ପଚରାଉଚରା ପାଇଁ HACA Bhavan ସ୍ଥିତ SHE Teams କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା ।
ନୋଟିସ୍ଟିକୁ ଅସଲି ଭାବି ତିରୁନେଶ୍ୱର ନିର୍ଦ୍ଦିଷ୍ଟ ଠିକଣାରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ଅଧିକାରୀମାନେ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ, SHE Teams ପକ୍ଷରୁ ଏଭଳି କୌଣସି ନୋଟିସ୍ ଜାରି କରାଯାଇନାହିଁ । ଅର୍ଥାତ୍ ନୋଟିସ୍ଟି ସମ୍ପୂର୍ଣ୍ଣ ନକଲି ଥିଲା ।
କିପରି ଧରାପଡ଼ିଲା ନକଲି ନୋଟିସ୍ର ରହସ୍ୟ ?
ଏହାପରେ ପୋଲିସ ନୋଟିସ୍ ପଠାଇଥିବା ବ୍ୟକ୍ତିଙ୍କ ବିଷୟରେ ତଦନ୍ତ ଆରମ୍ଭ କରିଥିଲା । ଯାଞ୍ଚରୁ ଜଣାପଡ଼ିଥିଲା ଯେ, ତିରୁନେଶ୍ୱରଙ୍କୁ ନୋଟିସ୍ ଫରୱାର୍ଡ କରିଥିବା ବ୍ୟକ୍ତି ଏହା ତାଙ୍କ ପୂର୍ବତନ ପ୍ରେମିକାଙ୍କଠାରୁ ପାଇଥିଲେ । ପରେ ପୋଲିସ ଯୁବତୀଙ୍କୁ ପଚରାଉଚରା କରିଥିଲା । ସୈଫାବାଦ ଡିଭିଜନର ଇନ୍ସପେକ୍ଟର ଏନ୍. ରାଜେନ୍ଦ୍ରଙ୍କ ସୂଚନା ଅନୁଯାୟୀ, ଯୁବତୀ ଜଣକ ChatGPT ସାହାଯ୍ୟରେ SHE Teams ନାମରେ ଏହି ନକଲି ନୋଟିସ୍ ପ୍ରସ୍ତୁତ କରିଥିବା ସ୍ୱୀକାର କରିଥିବା କୁହାଯାଉଛି । ତାଙ୍କ ଉଦ୍ଦେଶ୍ୟ ଥିଲା ପୂର୍ବତନ ପ୍ରେମିକଙ୍କୁ ଭୟଭୀତ କରିବା ।
ଏହି କାମରେ ଯୁବତୀଙ୍କୁ ତାଙ୍କର ଜଣେ ୨୧ ବର୍ଷୀୟ ବନ୍ଧୁ ସହଯୋଗ କରିଥିଲେ । ସେହି ବନ୍ଧୁଙ୍କ ମାଧ୍ୟମରେ ନକଲି ନୋଟିସ୍ଟି ତିରୁନେଶ୍ୱରଙ୍କ ପାଖରେ ପହଞ୍ଚିଥିଲା । ନଭେମ୍ବର ୧୭ ତାରିଖରେ SHE Teamsର ସବ୍-ଇନ୍ସପେକ୍ଟର ଜି. ଭେଙ୍କଟେଶଙ୍କ ଅଭିଯୋଗ ଆଧାରରେ ସୈଫାବାଦ ପୋଲିସ ଏକ ମାମଲା ରୁଜୁ କରିଛି । ଯୁବତୀ ଓ ତାଙ୍କ ୨୧ ବର୍ଷୀୟ ବନ୍ଧୁଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । AIର ବ୍ୟବହାର ଯେତେ ସହଜ ହେଉଛି, ଏହାର ଅପବ୍ୟବହାର ସେତେ ବଡ଼ ଚିନ୍ତାର କାରଣ ପାଲଟୁଛି ।
📱 Get Argus News App
✨Related Topics
Explore more stories