Videos
|
Technology

Traffic Rules / କାର ବିକ୍ରି ପରେ ଏହି କାମ ନ କଲେ ହୋଇପାରେ ବଡ଼ ସମସ୍ୟା, FASTag ରୁ କଟିପାରେ ଟଙ୍କା

Rashmita Mishra
Browse all articles by Rashmita Mishra
·3 hours ago·3 min read
କାର ବିକ୍ରି ପରେ ଏହି କାମ ନ କଲେ ହୋଇପାରେ ବଡ଼ ସମସ୍ୟା, FASTag ରୁ କଟିପାରେ ଟଙ୍କା
Traffic Rules

Key Points

କାର ବିକ୍ରି କଲେ ? FASTag ବନ୍ଦ କରନ୍ତୁ ।
କାର ଦେଲେ... ଟଙ୍କା କଟିପାରେ !
ପୁରୁଣା FASTag କରନ୍ତୁ ଡିଆକ୍ଟିଭ୍ ।
କାର ବିକ୍ରି ପରେ ଏହି ଭୁଲ କରନ୍ତୁନି ।

ଆପଣ ନିଜର ପୁରୁଣା କାର ବିକ୍ରି କରିଦେଇଛନ୍ତି କି ? ଯଦି ହଁ, ତେବେ କେବଳ RC ଓ ଅନ୍ୟାନ୍ୟ କାଗଜପତ୍ର ନୂଆ ମାଲିକଙ୍କ ନାମରେ ଟ୍ରାନ୍ସଫର କରିଦେବା ଯଥେଷ୍ଟ ନୁହେଁ । ଆଉ ଏକ ଛୋଟ କିନ୍ତୁ ଅତ୍ୟନ୍ତ ଜରୁରୀ କାମ ରହିଛି, ଯାହାକୁ ଅନେକ ଲୋକ ଅଣଦେଖା କରିଦିଅନ୍ତି । ଏହା ହେଉଛି ପୁରୁଣା FASTagକୁ ଡିଆକ୍ଟିଭେଟ୍ କିମ୍ବା ବନ୍ଦ କରାଇବା ।

କାର ବିକ୍ରି କରିବା ପରେ ଯଦି ଆପଣଙ୍କ ପୁରୁଣା FASTag ଆକ୍ଟିଭ୍ ରହିଯାଏ, ତେବେ ନୂଆ ମାଲିକ ଗାଡ଼ି ନେଇ ଟୋଲ୍ ପ୍ଲାଜା ଦେଇ ଯିବା ସମୟରେ ଟୋଲ୍ ଟଙ୍କା ଆପଣଙ୍କ FASTag ଆକାଉଣ୍ଟରୁ କଟିପାରେ । ଏହି କଥା ଅନେକ ସମୟରେ ଗାଡ଼ି ବିକ୍ରି ହେବାର ମାସକ ପରେ ଜଣାପଡ଼ିଥାଏ ।

FASTag ବନ୍ଦ କରିବା କାହିଁକି ଜରୁରୀ ?

FASTag ହେଉଛି କାରର ୱିଣ୍ଡସିଲ୍ଡରେ ଲାଗିଥିବା ଏକ RFID ଟ୍ୟାଗ୍ । ଏହା ଆପଣଙ୍କ FASTag ଆକାଉଣ୍ଟ କିମ୍ବା ୱାଲେଟ୍ ସହିତ ଲିଙ୍କ୍ ରହିଥାଏ । ଟୋଲ୍ ପ୍ଲାଜାରେ ଥିବା ସ୍କାନର୍ ଏହି ଟ୍ୟାଗକୁ ଚିହ୍ନଟ କରିବା ପରେ ସଂପୃକ୍ତ FASTag ଆକାଉଣ୍ଟରୁ ଟୋଲ୍ ଟଙ୍କା ସ୍ୱୟଂଚାଳିତ ଭାବେ କଟିଯାଏ । ତେଣୁ କାର ବିକ୍ରି ପରେ ପୁରୁଣା ମାଲିକଙ୍କ FASTag ଆକ୍ଟିଭ୍ ରହିବା ଦ୍ୱାରା ଆର୍ଥିକ ସମସ୍ୟା ହୋଇପାରେ ।

NHAIର FAQ ଅନୁସାରେ, କାର ବିକ୍ରି କିମ୍ବା ଅନ୍ୟ ବ୍ୟକ୍ତିଙ୍କୁ ଗାଡ଼ି ଟ୍ରାନ୍ସଫର୍ କରିବା ପରେ ପୁରୁଣା ମାଲିକଙ୍କୁ ନିଜ FASTag ଜାରି କରିଥିବା ବ୍ୟାଙ୍କ ସହ ଯୋଗାଯୋଗ କରି FASTag ଆକାଉଣ୍ଟ କିମ୍ବା ୱାଲେଟ୍ ବନ୍ଦ କରାଇବା ଉଚିତ । ଅନ୍ୟପଟେ, ନୂଆ ମାଲିକଙ୍କୁ ନିଜ ନାମରେ ନୂଆ FASTag ନେବାକୁ ପଡ଼ିବ ।

FASTagରେ ଟଙ୍କା ବାକି ଥିଲେ କଣ ହେବ ?
କାର ବିକ୍ରି ସମୟରେ ଯଦି ଆପଣଙ୍କ FASTag ୱାଲେଟରେ କିଛି ବାଲାନ୍ସ ରହିଛି, ତେବେ ଆକାଉଣ୍ଟ ବନ୍ଦ କରିବା ପୂର୍ବରୁ ବ୍ୟାଙ୍କ ସହ ଏନେଇ ନିଶ୍ଚିତ ଭାବେ ପଚାରନ୍ତୁ ।

FASTagରେ ଥିବା ବାକି ଟଙ୍କା ଫେରସ୍ତ ପାଇବାର ନିୟମ ସଂପୃକ୍ତ FASTag ଜାରିକର୍ତ୍ତା ବ୍ୟାଙ୍କର ନିୟମ ଉପରେ ନିର୍ଭର କରିପାରେ । ତେଣୁ FASTag ବନ୍ଦ କରିବା ପୂର୍ବରୁ ବାଲାନ୍ସର କଣ ହେବ ଏବଂ ଟଙ୍କା ଫେରସ୍ତ ମିଳିଲେ ଏଥିପାଇଁ କଣ ପ୍ରକ୍ରିୟା ଅନୁସରଣ କରିବାକୁ ପଡ଼ିବ, ତାହା ବ୍ୟାଙ୍କଠାରୁ ଜାଣିନିଅନ୍ତୁ ।

FASTag କିପରି ବନ୍ଦ କରିବେ ?

FASTag ବନ୍ଦ କରିବାର ପ୍ରକ୍ରିୟା ଏହା କେଉଁ ବ୍ୟାଙ୍କ କିମ୍ବା ଏଜେନ୍ସି ଜାରି କରିଛି, ତାହା ଉପରେ ନିର୍ଭର କରେ । ପ୍ରଥମେ ସଂପୃକ୍ତ ବ୍ୟାଙ୍କର କଷ୍ଟମର୍ କେୟାର୍ କିମ୍ବା FASTag ପୋର୍ଟାଲରେ ଯୋଗାଯୋଗ କରନ୍ତୁ । କାର ବିକ୍ରି ହୋଇଥିବା ସୂଚନା ଦେଇ FASTag ଆକାଉଣ୍ଟ ବନ୍ଦ କରିବା ପାଇଁ କ୍ଲୋଜର୍ ରିକ୍ୱେଷ୍ଟ ଦାଖଲ କରିପାରିବେ ।

ବ୍ୟାଙ୍କ କେଉଁ ତଥ୍ୟ ମାଗିପାରେ ?
FASTag ବନ୍ଦ କରିବା ସମୟରେ ବ୍ୟାଙ୍କ କିଛି ଆବଶ୍ୟକ ତଥ୍ୟ ମାଗିପାରେ । ଏଥିରେ FASTag ସହ ଲିଙ୍କ୍ ଥିବା ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ଏବଂ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ରହିପାରେ । ତଥ୍ୟ ଯାଞ୍ଚ ହେବା ପରେ ବ୍ୟାଙ୍କ FASTag ବନ୍ଦ କରିବାର ପ୍ରକ୍ରିୟା ଆରମ୍ଭ କରିବ ।

କେବଳ କ୍ଲୋଜର୍ ରିକ୍ୱେଷ୍ଟ ଦାଖଲ କରିଦେବାରେ କାମ ସରିଯାଏ ନାହିଁ । ରିକ୍ୱେଷ୍ଟ ଗ୍ରହଣ ହେବା ପରେ ଆପଣଙ୍କ FASTag ଆଉ ଆକ୍ଟିଭ୍ ଅଛି କି ନାହିଁ, ତାହା ମଧ୍ୟ ନିଶ୍ଚିତ କରନ୍ତୁ । ଏହାଦ୍ୱାରା ଭବିଷ୍ୟତରେ ଟୋଲ୍ ଟ୍ରାଞ୍ଜାକ୍ସନ୍ ନେଇ କୌଣସି ସମସ୍ୟା ହେବ ନାହିଁ ।

ବ୍ୟାଙ୍କରୁ ସମସ୍ୟା ହେଲେ କେଉଁଠି ଅଭିଯୋଗ କରିବେ ?
ଯଦି ସଂପୃକ୍ତ ବ୍ୟାଙ୍କ FASTag ବନ୍ଦ କରିବା କିମ୍ବା ଏହା ସମ୍ପର୍କିତ ସମସ୍ୟାର ସମାଧାନ କରୁନାହିଁ, ତେବେ FASTag ସମ୍ପର୍କିତ ସହାୟତା ପାଇଁ IHMCLର ହେଲ୍ପଲାଇନ୍ ଏବଂ ଅଭିଯୋଗ ବ୍ୟବସ୍ଥାର ସହାୟତା ନିଆଯାଇପାରେ । ତେଣୁ କାର ବିକ୍ରି କରିବା ପରେ RC ଓ ଅନ୍ୟ କାଗଜପତ୍ର ଟ୍ରାନ୍ସଫର୍ କରିବା ସହିତ ନିଜ ପୁରୁଣା FASTagକୁ ମଧ୍ୟ ବନ୍ଦ କରାଇବାକୁ ଭୁଲନ୍ତୁ ନାହିଁ ।

କାର ବିକ୍ରି ପରେ ଏହି ଭୁଲ ମହଙ୍ଗା ପଡ଼ିପାରେ

କାର ବିକ୍ରି ପରେ ଯଦି ପୁରୁଣା FASTag ଆକ୍ଟିଭ୍ ରହିଯାଏ, ତେବେ ନୂଆ ମାଲିକଙ୍କ ଟୋଲ୍ ଯାତ୍ରାର ଟଙ୍କା ପୁରୁଣା ମାଲିକଙ୍କ FASTag ଆକାଉଣ୍ଟରୁ କଟିବାର ଆଶଙ୍କା ରହିଥାଏ । ତେଣୁ ଗାଡ଼ି ବିକ୍ରି କରିବା ପରେ FASTagର ସ୍ଥିତି ଯାଞ୍ଚ କରି ତାହାକୁ ସମୟରେ ବନ୍ଦ କରାଇବା ଅତ୍ୟନ୍ତ ଜରୁରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: