Videos
|
Technology

Digital Payments / ଡିଜିଟାଲ୍ ପେମେଣ୍ଟ କିପରି ବଦଳାଇଦେଲା ଛୋଟ ବ୍ୟବସାୟୀଙ୍କ ଭାଗ୍ୟ ?

Rashmita Mishra
Browse all articles by Rashmita Mishra
·1 hour ago·5 min read
ଡିଜିଟାଲ୍ ପେମେଣ୍ଟ କିପରି ବଦଳାଇଦେଲା ଛୋଟ ବ୍ୟବସାୟୀଙ୍କ ଭାଗ୍ୟ ?
Digital Payments

Key Points

UPI ବଦଳାଇଦେଲା ଛୋଟ ବ୍ୟବସାୟୀଙ୍କ ଭାଗ୍ୟ ।
୨୦ ବର୍ଷର ହିସାବ ଏବେ ଗୋଟିଏ QR Codeରେ
ଡିଜିଟାଲ୍ ପେମେଣ୍ଟ ଦେଉଛି ଛୋଟ ବ୍ୟବସାୟୀଙ୍କୁ ନୂଆ ପରିଚୟ
କିନ୍ତୁ ହଜିଯାଉଛି କି ମଣିଷ ମଣିଷ ଭିତରେ ପୁରୁଣା ବିଶ୍ୱାସ ?

ସ୍କୁଲ ଗେଟ୍ ବାହାରେ ବସି ପିଜୁଳି ବିକ୍ରି କରନ୍ତି କମଳା । ଦୀର୍ଘ ୨୦ ବର୍ଷ ଧରି ସେ ଏହି ବ୍ୟବସାୟ କରିଆସୁଛନ୍ତି । କିନ୍ତୁ ଏହି ୨୦ ବର୍ଷ ମଧ୍ୟରେ ସେ କେବେ ନିଜ ବିକ୍ରିର ହିସାବ ଖାତାରେ ଲେଖିନାହାନ୍ତି । କୌଣସି ସ୍କୁଲ ପିଲା ଯଦି କହେ, "କାଲି ଟଙ୍କା ଦେବି", ତେବେ ସେ ହସି ହସି ହଁ କରିଦିଅନ୍ତି । ଆଉ ପିଲାଟି ପରଦିନ ଟଙ୍କା ମଧ୍ୟ ଦେଇଦିଏ ।

କେଉଁ ପିଲାର ମାଆ ଶୁକ୍ରବାର ସୁଦ୍ଧା ଟଙ୍କା ଦେବେ, କେଉଁ ଚୌକିଦାରଙ୍କୁ ବାରମ୍ବାର ଟଙ୍କା ମନେ ପକାଇବାକୁ ପଡ଼ିବ ଏବଂ କେଉଁ ଛୋଟ ଝିଅଟିକୁ କେବେ ଖାଲି ହାତରେ ଫେରାଇବା ଉଚିତ୍ ନୁହେଁ, ସବୁକିଛି ତାଙ୍କର ମନେ ରହିଥାଏ । ତାଙ୍କର ପୂରା ହିସାବ ଖାତା ହେଉଛି ତାଙ୍କ ସ୍ମୃତିଶକ୍ତି । ଆଜି ପର୍ଯ୍ୟନ୍ତ ସେ କେବେ ହିସାବରେ ଭୁଲ୍ କରିନାହାନ୍ତି ।

ବ୍ୟବସାୟ କରିବାର ଏହା ଏକ ସୁନ୍ଦର ଉପାୟ । କିନ୍ତୁ ଏଥିରେ ଗୋଟିଏ ବଡ଼ ଅସୁବିଧା ରହିଛି । ତାଙ୍କ ବ୍ୟବସାୟର ହିସାବ ଅନ୍ୟ କେହି ଦେଖିପାରିବେ ନାହିଁ ।
ବ୍ୟାଙ୍କ ଅଧିକାରୀଙ୍କ ଗୋଟିଏ ପ୍ରଶ୍ନ ବଦଳାଇଦେଲା ସବୁକିଛି । ଦିନେ ଅପରାହ୍ନରେ ଜଣେ ବ୍ୟାଙ୍କ ଅଧିକାରୀ କମଳାଙ୍କ ଟୋକେଇ ପାଖରେ ଅଟକିଲେ । ସେ ଦୁଇଟି ପିଜୁଳି କିଣିବା ପରେ କମଳାଙ୍କୁ ପଚାରିଲେ, ସେ କ'ଣ ନିଜ ବ୍ୟବସାୟ ବଢ଼ାଇବା ପାଇଁ ଛୋଟ ଋଣ ନେବାକୁ ଚାହିଁବେ ? କମଳା ଏହା ଶୁଣି ବହୁତ ଖୁସି ହୋଇଗଲେ। କିନ୍ତୁ ପରେ ବ୍ୟାଙ୍କ ଅଧିକାରୀ ତାଙ୍କୁ ପ୍ରତି ମାସର ଆୟର ପ୍ରମାଣ ମାଗିଲେ ।

କମଳା ତାଙ୍କ ଆଡ଼କୁ ଚାହିଁ ହସିଦେଲେ ଏବଂ ନିଜ କପାଳକୁ ହାତରେ ଛୁଇଁଲେ । ସେହି ସପ୍ତାହରେ ଏହା ଥିଲା ତାଙ୍କ ପାଇଁ ସବୁଠାରୁ ମଜାଦାର କଥା । କିନ୍ତୁ ଏହା ସହିତ ବ୍ୟାଙ୍କ ଅଧିକାରୀଙ୍କ ସହ ତାଙ୍କ କଥାବାର୍ତ୍ତା ମଧ୍ୟ ଶେଷ ହୋଇଗଲା । ଦୀର୍ଘ ୨୦ ବର୍ଷ ଧରି ସେ ଭଲ ରୋଜଗାର କରିଥିଲେ । କିନ୍ତୁ ତାଙ୍କ ରୋଜଗାରର କୌଣସି ଲିଖିତ ପ୍ରମାଣ ନଥିଲା ।

ଏହା ହେଉଛି ସେହି ସମସ୍ୟା, ଯାହାର ସମାଧାନ ପାଇଁ ଭାରତ ଗତ ଦଶନ୍ଧି ଧରି ନିରବରେ ପ୍ରୟାସ କରିଆସୁଛି । ଏହାର ନାଁ ହେଉଛି ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI)।୨୦୧୬ ମସିହାରେ ଆରମ୍ଭ ହୋଇଥିବା UPI ଆଜି ଭାରତର ଡିଜିଟାଲ୍ ଆର୍ଥିକ ବ୍ୟବସ୍ଥାର ଏକ ବଡ଼ ଅଂଶ ପାଲଟିଛି । ଏହାର ସଫଳତାର ପରିମାଣ କଳ୍ପନା କରିବା ମଧ୍ୟ କଷ୍ଟକର ।

ଜୁଲାଇ ୨୦୨୫ରେ UPI ଗୋଟିଏ ମାସରେ ୧୯.୪୭ ବିଲିୟନ୍ ଅର୍ଥାତ୍ ୧,୯୪୭ କୋଟି ଡିଜିଟାଲ୍ କାରବାର କରିଥିଲା । ଏହାର ଅର୍ଥ ଦୈନିକ ପ୍ରାୟ ୬୨.୮ କୋଟି କାରବାର ହୋଇଥିଲା । ଏହି କାରବାର ମାଧ୍ୟମରେ ମୋଟ ୨୫.୦୮ ଲକ୍ଷ କୋଟି ଟଙ୍କା ଆଦାନପ୍ରଦାନ ହୋଇଥିଲା । ଏହାର ଠିକ୍ ଏକ ବର୍ଷ ପୂର୍ବରୁ କାରବାର ସଂଖ୍ୟା ପ୍ରାୟ ଏକ ଚତୁର୍ଥାଂଶ କମ୍ ଥିଲା । ଅର୍ଥାତ୍ ମାତ୍ର ୧୨ ମାସ ମଧ୍ୟରେ UPI କାରବାରର ପରିମାଣ ୩୫ ପ୍ରତିଶତ ବୃଦ୍ଧି ପାଇଥିଲା ।

ମୋଟ କାରବାର ରାଶିକୁ ସଂଖ୍ୟାରେ ଭାଗ କଲେ ଗୋଟିଏ କାରବାରର ହାରାହାରି ମୂଲ୍ୟ ପ୍ରାୟ ୧,୩୦୦ ଟଙ୍କା ହେଉଛି । ତେବେ ବଡ଼ ଆର୍ଥିକ କାରବାର ଯୋଗୁଁ ଏହି ହାରାହାରି ମୂଲ୍ୟ ବଢ଼ିଥାଏ। ସାଧାରଣତଃ ଅଧିକାଂଶ କାରବାର ଏହାଠାରୁ ବହୁତ କମ୍ ଟଙ୍କାର ହୋଇଥାଏ । ଭାରତରେ ଡିଜିଟାଲ୍ ପେମେଣ୍ଟର ଏହି ବଡ଼ ରାସ୍ତା କୌଣସି ବଡ଼ ବ୍ୟବସାୟରୁ ନୁହେଁ, ବରଂ ଆମ୍ବୁଲ, ପରିବା, ଅଟୋ ଭଡ଼ା, ମୋବାଇଲ୍ ରିଚାର୍ଜ ଏବଂ ସମ୍ପର୍କୀୟଙ୍କୁ ଦିଆଯାଉଥିବା କିଛି ଶହ ଟଙ୍କାରୁ ତିଆରି ହୋଇଛି ।

UPI ଏତେ ଦ୍ରୁତ ଗତିରେ ଲୋକପ୍ରିୟ ହେବା ପଛରେ ତିନୋଟି ପ୍ରମୁଖ କାରଣ ରହିଛି ।

ପ୍ରଥମତଃ, ଏହା ବ୍ୟବହାର କରିବା ପାଇଁ ଅଧିକ କିଛି ଆବଶ୍ୟକ ନାହିଁ । କେବଳ ଏକ ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ୍ ଫୋନ୍ ଥିଲେ ହେଲା । ଦୋକାନୀଙ୍କୁ ମହଙ୍ଗା ମେସିନ୍ କିଣିବାକୁ ପଡ଼େନାହିଁ । ଏକ କାଗଜରେ QR Code ଛାପି ଦୋକାନ ସାମ୍ନାରେ ଲଗାଇଦେଲେ ମଧ୍ୟ କାରବାର ଆରମ୍ଭ ହୋଇପାରିବ ।

ଦ୍ୱିତୀୟତଃ, UPI କୌଣସି ଗୋଟିଏ କମ୍ପାନୀର ନିଜସ୍ୱ ବ୍ୟବସ୍ଥା ନୁହେଁ । ଏହା ଏକ ସାଧାରଣ ଡିଜିଟାଲ୍ ପେମେଣ୍ଟ ନେଟୱର୍କ। ତେଣୁ ଭିନ୍ନ ଭିନ୍ନ ଆପ୍ ବ୍ୟବହାର କରୁଥିବା ଲୋକ ମଧ୍ୟ ପରସ୍ପରକୁ ଟଙ୍କା ପଠାଇପାରନ୍ତି ।

ତୃତୀୟତଃ, ଏହା ଅତ୍ୟନ୍ତ ଦ୍ରୁତ । ରବିବାର ରାତି ହେଉ କିମ୍ବା ଛୁଟିଦିନ, ମାତ୍ର କିଛି ସେକେଣ୍ଡ ମଧ୍ୟରେ ଟଙ୍କା ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ପହଞ୍ଚିଯାଏ ।
ଛୋଟ ଋଣ ପାଇଁ ମଧ୍ୟ ବିଶ୍ୱାସଯୋଗ୍ୟ ହେଲେ କମଳା

କିଛି ମାସ ପରେ କମଳାଙ୍କ ନାତୁଣୀ ତାଙ୍କୁ ଏକ QR Code ଆଣିଦେଲା। ତାହାକୁ ଟେପ୍ ସାହାଯ୍ୟରେ ପିଜୁଳି ଟୋକେଇରେ ଲଗାଇଦେଲା । ଆରମ୍ଭରେ ସ୍କୁଲ ପିଲାମାନେ ଏହାକୁ ଦେଖି ହସୁଥିଲେ । କିନ୍ତୁ ଧୀରେ ଧୀରେ ସେମାନେ ନିଜ ବାପାମାଆଙ୍କ ମୋବାଇଲ୍ ଫୋନ୍‌ରୁ ଡିଜିଟାଲ୍ ପେମେଣ୍ଟ କରିବା ଆରମ୍ଭ କଲେ । ଏହି ସମୟରେ ଏକ ଛୋଟ ପରିବର୍ତ୍ତନ ଘଟିଲା, ଯାହା କମଳାଙ୍କୁ ଜାଣିବା ପାଇଁ କିଛି ସପ୍ତାହ ଲାଗିଗଲା ।

ଏବେ ପ୍ରତ୍ୟେକ ବିକ୍ରିର ଏକ ଡିଜିଟାଲ୍ ରେକର୍ଡ ରହିବାକୁ ଲାଗିଲା । ଏହି ରେକର୍ଡ ହୁଏତ ଦେଖିବାକୁ ସାଧାରଣ ଲାଗିପାରେ, କିନ୍ତୁ ଏହାକୁ ଆର୍ଥିକ ପ୍ରମାଣ ଭାବେ ବ୍ୟବହାର କରାଯାଇପାରେ । ଏହା ପ୍ରମାଣ କରିପାରିବ ଯେ କମଳା ରୋଜଗାର କରୁଛନ୍ତି, ଦୀର୍ଘ ସମୟ ଧରି ବ୍ୟବସାୟ ଚଳାଇଛନ୍ତି ଏବଂ ଛୋଟ ଋଣ ଫେରସ୍ତ କରିବାର କ୍ଷମତା ମଧ୍ୟ ରଖିଛନ୍ତି ।

କମଳାଙ୍କ ଭଳି ଲକ୍ଷ ଲକ୍ଷ ଛୋଟ ବ୍ୟବସାୟୀଙ୍କ ପାଖରେ ପୂର୍ବରୁ ଏଭଳି କୌଣସି ଲିଖିତ ପ୍ରମାଣ ନଥିଲା । କିନ୍ତୁ ଡିଜିଟାଲ୍ ପେମେଣ୍ଟ ଯୋଗୁଁ ସେମାନଙ୍କ ବ୍ୟବସାୟର ଏକ ରେକର୍ଡ ସୃଷ୍ଟି ହେବାକୁ ଲାଗିଛି । ଯେଉଁମାନେ ଏତେଦିନ ଧରି ଔପଚାରିକ ଅର୍ଥନୀତିରେ ଅଦୃଶ୍ୟ ଥିଲେ, ସେମାନେ ଏବେ ଧୀରେ ଧୀରେ ଦୃଶ୍ୟମାନ ହେଉଛନ୍ତି ।
ଡିଜିଟାଲ୍ ପେମେଣ୍ଟର ଅନ୍ୟ ଏକ ଦିଗ ମଧ୍ୟ ରହିଛି

ତେବେ ଏହି ଡିଜିଟାଲ୍ ବ୍ୟବସ୍ଥାର ଆଉ ଏକ ଦିଗ ରହିଛି । ଜଣେ ବ୍ୟକ୍ତି କେଉଁଠାରେ ଏବଂ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି, ତାହାର ଏକ ଡିଜିଟାଲ୍ ରେକର୍ଡ ରହିଯାଉଛି । ଏହି ତଥ୍ୟ କିଏ ଦେଖିପାରିବେ ଏବଂ କେତେଦିନ ପର୍ଯ୍ୟନ୍ତ ସଂରକ୍ଷିତ ରହିବ, ତାହା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ଏହାର ଆଉ ଏକ ସମସ୍ୟା ହେଉଛି, ସମସ୍ତେ ଏହି ଡିଜିଟାଲ୍ ବ୍ୟବସ୍ଥାର ଲାଭ ଉଠାଇପାରୁନାହାନ୍ତି । UPI ବ୍ୟବହାର ପାଇଁ ମୋବାଇଲ୍ ଫୋନ୍, ଇଣ୍ଟରନେଟ୍ ସଂଯୋଗ ଏବଂ ବ୍ୟାଙ୍କ ଆକାଉଣ୍ଟ ଆବଶ୍ୟକ। ଯାହାଙ୍କ ପାଖରେ ଏହି ତିନୋଟି ମଧ୍ୟରୁ କୌଣସି ଗୋଟିଏ ନାହିଁ, ସେମାନେ ଏହି ଡିଜିଟାଲ୍ ପରିବର୍ତ୍ତନରୁ ବାଦ୍ ପଡ଼ିଯାଇପାରନ୍ତି ।
ଏପରିକି ଭୁଲ୍ ବଟନ୍ ଦବାଇଦେବା ଭୟରେ ଅନେକ ବୟସ୍କ ବ୍ୟକ୍ତି ମଧ୍ୟ ଡିଜିଟାଲ୍ ପେମେଣ୍ଟ ବ୍ୟବହାର କରିବାକୁ ଭୟ କରନ୍ତି।

ଆଜି ବି କେତେ ଲୋକ କେବଳ ନଗଦ ଟଙ୍କାରେ କାରବାର କରୁଛନ୍ତି?
ଭାରତ ଦୁନିଆର ସବୁଠାରୁ ପୁରୁଣା ବ୍ୟବସାୟିକ ସମସ୍ୟା ମଧ୍ୟରୁ ଗୋଟିଏର ସମାଧାନ ଖୋଜିଛି। ଅର୍ଥାତ୍ ଅପରିଚିତ ଲୋକଙ୍କ ମଧ୍ୟରେ ଛୋଟ ଛୋଟ ଟଙ୍କାର ସୁରକ୍ଷିତ ଆଦାନପ୍ରଦାନ। ଏହି ବ୍ୟବସ୍ଥା ଦ୍ୱାରା ଜଣେ ଆମ୍ବୁଲ ବିକାଳି ଏବଂ ଜଣେ ବଡ଼ ଖୁଚୁରା ବ୍ୟବସାୟୀ ଏକାଭଳି ଡିଜିଟାଲ୍ ପ୍ଲାଟଫର୍ମରେ କାରବାର କରିପାରୁଛନ୍ତି। ବିଶ୍ୱର ଅନେକ ଦେଶରେ ଏହା ଏତେ ସାଧାରଣ ନୁହେଁ। ତଥାପି କମଳାଙ୍କ ମନକୁ ବେଳେବେଳେ ପୁରୁଣା ଦିନର କଥା ମନେପଡ଼େ। ଯେଉଁ ପିଲା ପାଖରେ ଟଙ୍କା ନଥାଏ, ସେ ମଧ୍ୟ ତାଙ୍କଠାରୁ ଆମ୍ବୁଲ ନେଇପାରୁଥିଲା। କାରଣ ତାଙ୍କ ପାଇଁ କଥା ଦେବା ହିଁ ଥିଲା ଏକ ପ୍ରତିଶ୍ରୁତି ।

କିନ୍ତୁ ଏବେ ପ୍ରତ୍ୟେକ ବିକ୍ରିର ହିସାବ ରହୁଛି। ଏହି ଡିଜିଟାଲ୍ ହିସାବ ଖାତାରେ ସେହି ଛୋଟ ଝିଅଟି ପାଇଁ କୌଣସି ସ୍ଥାନ ନାହିଁ, ଯାହାକୁ କମଳା କେବେ ଖାଲି ହାତରେ ଫେରାଇବାକୁ ଚାହୁଁନଥିଲେ। ଡିଜିଟାଲ୍ ପେମେଣ୍ଟ ଆମ ଜୀବନକୁ ସହଜ କରିଛି, ଛୋଟ ବ୍ୟବସାୟୀଙ୍କୁ ନୂଆ ପରିଚୟ ଦେଇଛି ଏବଂ ଆର୍ଥିକ ସୁଯୋଗର ନୂଆ ଦ୍ୱାର ଖୋଲିଛି । କିନ୍ତୁ ଏହା ସହିତ ମାନବିକତା, ବିଶ୍ୱାସ ଓ ସମ୍ପର୍କର ମୂଲ୍ୟକୁ ମଧ୍ୟ ଭୁଲିଯିବା ଉଚିତ୍ ନୁହେଁ ।

ଆପଣଙ୍କ ଗଳିରେ ଆଜି ବି କିଏ କେବଳ ନଗଦ ଟଙ୍କାରେ କାରବାର କରୁଛନ୍ତି ? ଏବଂ ସେହି ବ୍ୟକ୍ତିଙ୍କଠାରୁ ଆମେ କେଉଁ ଜୀବନର ମୂଲ୍ୟବାନ ଶିକ୍ଷା ଶିଖିପାରିବା, ଯାହା ଆଜିର ଡିଜିଟାଲ୍ ଦୁନିଆ ଆମକୁ ଭୁଲାଇ ଦେଉଛି ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: