Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Travel & Tourism

ଚାଲ ବୁଲିଯିବା ମା' ବିନିକେଇ ମନ୍ଦିର

Ritu Das
Browse all articles by Ritu Das
·1 year ago·1 min read
ଚାଲ ବୁଲିଯିବା ମା' ବିନିକେଇ ମନ୍ଦିର

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ସହରଠାରୁ ଅନତିଦୂର ମହାନଦୀ କୂଳରେ ଅବସ୍ଥିତ ମା' ବିନିକେଇଙ୍କ ପୀଠ। ଏହା ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ସବୁଜିମାମୟ ପାହାଡ଼ିଆ ପରିବେଶ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଢେର ଗୁଣ ବଢ଼ାଇ ଦେଉଛି। ବଣଭୋଜି ପାଇଁ ଏହା ଅତ୍ୟନ୍ତ ମନୋରମ ହୋଇଥିବାରୁ ନଭେମ୍ବରରୁ ଜାନୁୟାରୀ ଯାଏ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ମହାନଦୀର ଗୋଟିଏ ପାଖରେ ମା' ବିନିକେଇ ଓ ଅପରପାର୍ଶ୍ବରେ ମା' କନକେଇଙ୍କ ମନ୍ଦିର ରହିଛି। ଏହି ଦୁଇ ମନ୍ଦିରକୁ ଯୋଡ଼ୁଥିବା ବିସ୍ତୀର୍ଣ୍ଣ ବାଲୁକା ରାଶି ଆଗନ୍ତୁକଙ୍କୁ ବେଶ ଆନନ୍ଦ ଦେଇଥାଏ। ଏଠାରୁ ଆରମ୍ଭ ହୋଇଛି ସାତକୋଶିଆ ଗଣ୍ଡ। ଏହାର ସୁନୀଳ ଜଳରାଶି ଉପରେ ନୌକା ବିହାରର ମଜା ପର୍ଯ୍ୟଟକଙ୍କ ସ୍ମୃତିରେ ବିନିକେଇକୁ ସର୍ବନଦା ଏକ ଭିନ୍ନ ସ୍ଥାନ ଦେଇଆସିଛି। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ବାସ୍ତବରେ ନିଆରା। ପାନୀୟ ଜଳର ସୁବିଧା, ଭୋଜି ପାଇଁ ପକ୍କା ମଣ୍ଡପ, ରାତ୍ରିଯାପନ ପାଇଁ ମନ୍ଦିର କମିଟି ପକ୍ଷରୁ ନିର୍ମିତ ବିଶ୍ରାମାଗାର ଭଳି ଅନେକ ସୁବିଧା ଏଠାରେ ଉପଲବ୍ଧ।


କେମିତି ଯିବେ: ଭୁବନେଶ୍ବରରୁ ବିନିକେଇର ଦୂରତା ହେଉଛି ୨୬୧ କିମି। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ କଟକ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଅନୁଗୋଳ ଜିଲ୍ଲାର ବଇଣ୍ଡା ଛକ ନିକଟରୁ ବଇଣ୍ଡା-କିଆକଟା ରାସ୍ତାରେ ଯିବାକୁ ହେବ। ସେଠାରୁ ୩୬କିମି ଗଲେ ପଡ଼ିବ ଆଠମଲ୍ଲିକର ଗାନ୍ଧୀ ଛକ। ଏହି ଛକରୁ ଦକ୍ଷିଣ-ପୂର୍ବ କୋଣରେ ଯାଇଥିବା ରାସ୍ତାରେ ୨୫କିମି ଗଲେ ମା' ବିନିକେଇଙ୍କ ପୀଠରେ ପହଞ୍ଚିହେବ। ଯାତାୟତ ପାଇଁ ବସ-ଟ୍ୟାକ୍ସିର ସୁବିଧା ରହିଛି। ସେହିପରି ତାଳଚେର-ସମ୍ବଲପୁର ରେଳପଥରେ ଆସୁଥିବା ପର୍ଯ୍ୟଟକ ମାନେ ବଇଣ୍ଡା ଷ୍ଟେସନରେ ଓହ୍ଲାଇ ପିକ୍‌ନିକ୍‌ ପାଇଁ ଯାଇପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lets-go-around-the-temple | Argus News