ଆଜି ଆସ ବୁଲିଯିବା ଅପରକୋଲାବ ଡ୍ୟାମ

କୋରାପୁଟ ଜିଲ୍ଲା ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅପରକୋଲାବ ଡ୍ୟାମ ଓ ଜଳଭଣ୍ଡାର ଅନ୍ୟତମ। ପର୍ଯ୍ୟଟନ ଋତୁ ଅବସରରେ ବନ୍ଧ ଅଞ୍ଚଳ ଲୋକାରଣ୍ୟ ହୋଇଉଠେ। ଡ୍ୟାମ ଓ ଦିଗନ୍ତ ବିସ୍ତରୀ ନୀଳ ଜଳରାଶି ଜଳଭଣ୍ଡାର, ଜଳଭଣ୍ଡାର ଦୁଇ ପାର୍ଶ୍ବରେ ଘଞ୍ଚ ଜଙ୍ଗଲ ସହିତ ଛୋଟବଡ଼ ପର୍ବତମାଳା ସହ ଏହାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କ ମନମୁଗ୍ଧ କରିଥାଏ। ଡ୍ୟାମର ନିମ୍ନ ଭାଗରେ ରହିଛି ମନୋରମ ଉଦ୍ୟାନ। ଆଉ ଏକ ଆକର୍ଷଣ ହେଉଛି ବିଜ୍ଞାନ ପାର୍କ। ଯାହାକି ଯୁବପିଢ଼ି ପାଇଁ ପ୍ରେରଣାର ଗନ୍ତାଘର। ଏହାର ପାରିପାର୍ଶ୍ବିକ ସ୍ଥିତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହାର ଶୋଭାରେ ଆକୃଷ୍ଟ ହୋଇ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ସମେତ ଓଡ଼ିଶାର ପର୍ଯ୍ୟଟକମାନେ ବଣଭୋଜି ପାଇଁ ଏଠାକୁ ଆସିଥାନ୍ତି। କୋଲାବ ଯୋଜନା କର୍ତ୍ତୃପକ୍ଷ ମଧ୍ୟ ବଣଭୋଜି ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ନିର୍ମାଣ କରିଛନ୍ତି। ଫଳରେ ପର୍ଯ୍ୟଟକମାନଙ୍କର ବଣଭୋଜି ପାଇଁ କୌଣସି ପ୍ରତିବନ୍ଧକ ହୁଏନାହିଁ। ବର୍ଷର ଛ' ମାସ ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗେ ରହେ। ଡ୍ୟାମର ଅନତିଦୂରରେ ମଧ୍ୟ ବାଘ୍ରା ଜଳପ୍ରପାତ ଅବସ୍ଥିତ। ଡ୍ୟାମ ପାଦଦେଶରେ ରହିଛି ଏକ ଶିଶୁ ଉଦ୍ୟାନ। ଏହି ପର୍ଯ୍ୟଟନସ୍ଥଳୀର ମୁଖ୍ୟ ଆକର୍ଷଣ ହେଲା ବୋଟିଂ।
କେମିତି ଯିବେ: ପର୍ଯ୍ୟଟକମାନେ ଭୁବନେଶ୍ବରରୁ ଟ୍ରେନ କିମ୍ବା ବସ ଯୋଗେ କୋରାପୁଟ ଆସିବେ। ସେଠାରୁ ବସ ଯୋଗେ କୋରାପୁଟ ଓ ଜୟପୁର ମଧ୍ୟଭାଗ ୨୬ ନଂ ଜାତୀୟ ରାଜପଥରେ ଆସି ସ୍ଥାନୀୟ ଘାଟଗୁମର ଛକ ହନୁମାନ ମନ୍ଦିର ଠାରେ ଓହ୍ଲାଇବେ। ସେଠାରୁ ଭଡ଼ାସୂତ୍ରରେ ଗାଡ଼ି ନେଇ ପର୍ଯ୍ୟଟକମାନେ ଜଳଭଣ୍ଡାର ବୁଲିବାକୁ ଯାଇପାରିବେ। ଯେଉଁମାନେ ରାତ୍ର ରହଣି ପାଇଁ ଚାହିଁବେ ସେମାନେ ଡ୍ୟାମ ବଙ୍ଗଳା କିମ୍ବା ନିକଟସ୍ଥ କୋରାପୁଟ ସହରରେ ଥିବା ଛୋଟ ବଡ଼ ହୋଟେଲ ବୁକ କରିପାରିବେ।