ଦେବକୁଣ୍ଡରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼

ଅର୍ଗସ ବ୍ୟୁରୋ: ପିକନିକ ଋତୁରେ ସମସ୍ତେ ବଣଭୋଜିରେ ମସଗୁଲ୍ । ନିଜ ସଂପର୍କୀୟ ଏବଂ ସାଙ୍ଗସାଥୀଙ୍କ ସହିତ କିଛି ଖୁସିର ମୂହୁର୍ତ୍ତ ବିତାଇବା ପାଇଁ ବିଭିନ୍ନ ପିକନିକ୍ ସ୍ପଟରେ ଲାଗିଛି ଭିଡ । ତେବେ ଦେଖନ୍ତୁ ମା ଅମ୍ବିକାଙ୍କ ଶକ୍ତିପୀଠ ଦେବକୁଣ୍ଡରେ କିଭଳି ଲାଗିଛି ଭିଡ ଆମର ଏହି ରିପୋର୍ଟରେ । ଶିମିଳିପାଳର ପାଦଦେଶରେ ରହିଛି ମା ଅମ୍ବିକାଙ୍କ ଶକ୍ତିପୀଠ ଦେବକୁଣ୍ଡ ।ଦକ୍ଷ ଯଜ୍ଞ ପରେ ସତୀଙ୍କ ଶରୀରର କିଛି ଅଂଶ ଏହିଠାରେ ପଡିଥିଲା। ଯାହାକି ଏକ ତନ୍ତ୍ର ପୀଠ ଭାବେ ପରିଗଣିତ। ଦେବି ସତୀଙ୍କ ବାମ ପାଦ, ଯୋନି ଏହି ଠାରେ ପଡ଼ିଥିବା ବେଳେ ୫୧ ତମ ଶକ୍ତିପୀଠ ଭାବେ ଏହା ଆଜି ପୂଜିତ। ଏଠାରେ ମା ଙ୍କୁ ଡାକିଲେ ମା' ଭକ୍ତର ମନସ୍କାମନା ପୂରଣ କରନ୍ତି। କେବଳ ସେତିକି ନୁହେଁ ଶକ୍ତିପୀଠ ସହିତ ଏହା ପର୍ଯ୍ୟଟନସ୍ଥଳୀ ମଧ୍ୟ । ପ୍ରତିବର୍ଷ ପର୍ଯ୍ୟଟନ ଋତୁ ଆସିଲେ ଏଠାକୁ ଛୁଟେ ପର୍ଯ୍ୟଟକଙ୍କ ସୁଅ । ଉଦଳା ବ୍ଲକ କୁଣ୍ଡାବାଇ ପଂଚାୟତରେ ରହିଛି ଏହି ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ ।
କିଏ ସେଲଫି ନେବାରେ ବ୍ୟସ୍ତ, ପୁଣି କିଏ ସାଙ୍ଗସାଥୀଙ୍କ ସହିତ ବଣଭୋଜିରେ ମସଗୁଲ୍ । କିଏ ନାଚଗୀତ ସାମିଲ ତ ପୁଣି କିଏ ଏହି ମୂହୂର୍ତକୁ ସାଉଁଟୁଛି କ୍ୟାମେରା ଲେନ୍ସରେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନଙ୍କ ସୁଅ ଛୁଟିଛି ଏହି ପିକନିକ୍ ସ୍ପଟକୁ । କେବଳ ରାଜ୍ୟ ନୁହେଁ ପଡୋଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡ ରାଜ୍ୟରୁ ମଧ୍ୟ ପର୍ଯ୍ୟଟକମାନେ ଏଠାକୁ ଆସୁଛନ୍ତି ବଣଭୋଜି କରିବା ସହିତ ମା ଅମ୍ବିକାଙ୍କ ପୀଠରେ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିବାକୁ । ଶିମିଳିପାଳ ଜଙ୍ଗଲ ଦ୍ୱାରା ପରିବେଷ୍ଟିତ ଏବଂ ପାହାଡର ବୁକୁ ଚିରି ବୋହି ଆସିଥିବା କାଚକେନ୍ଦୁ ଭଳି ପାଣି ସମସ୍ତଙ୍କୁ ବେଶ ଆକୃଷ୍ଟ କରୁଛି । ଏହା ସହିତ ପାହାଡ ଜଙ୍ଗଲ ଘେରା ଭିତରେ ପକ୍ଷୀଙ୍କର କିଚିରି ମିଚିରି ସ୍ୱର ସାଙ୍ଗକୁ ଝରଣାର କୁଳୁ କୁଳୁ ନାଦ ନିଶ୍ଚିତ ଭାବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସି ମନଭରି ପରିବେଶକୁ ଉପଭୋଗ କରୁଛନ୍ତି ।
📱 Get Argus News App
✨ଦେବକୁଣ୍ଡରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡକୁ ନଜରରେ ରଖି ବନବିଭାଗ ସହିତ ପୋଲିସ୍ ପ୍ରଶାସନ ମଧ୍ୟ ତତ୍ପର ରହିଛି । ଯାହାକି କିଭଳି ଭାବେ ପର୍ଯ୍ୟଟକମାନେ ନିଜର ଏହି ଅଭୁଲା ମୂହୁର୍ତକୁ ମନଭରି ଉପଭୋଗ କରିପାରିବେ ତାହାକୁ ନେଇ ପୁରା ସଜାଗ । ଏ ସବୁ ଭିତରେ ଏହି ପର୍ଯ୍ୟଟନସ୍ଥଳୀର ବିକାଶରେ ଅବହେଳା ହେଉଥିବା ମଧ୍ୟ କିଛି ପର୍ଯ୍ୟଟକ କହିଛନ୍ତି । ଦେବକୁଣ୍ଡ ପର୍ଯ୍ୟଟନସ୍ଥଳୀକୁ ସରକାରୀ ସ୍ତରରେ ସହାୟତା ମିଳିଥିବା ବେଳେ ଏବେ ଚାଲିଛି ଉନ୍ନୟନ କାର୍ଯ୍ୟ । ତେବେ ଏହି ପର୍ଯ୍ୟଟନସ୍ଥଳୀରେ ମୁଖ୍ୟ ସମସ୍ୟା ସାଜିଛି ରାସ୍ତା ଏବଂ ପିଇବା ପାଣି । ପର୍ଯ୍ୟଟକମାନେ ବୁଢାମରା ଗେଟ ବାହାରେ ବଣଭୋଜି କରି ମା ଅମ୍ବିକାଙ୍କୁ ଦର୍ଶନ କରିବାକୁ ଯିବାରେ ରାସ୍ତା ଖରାପ ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସରକାରଙ୍କ ପକ୍ଷରୁ ଏବେ ଦେବକୁଣ୍ଡର ବିକାଶ କାମ ଚାଲିଥିବା ବେଳେ ଆଗାମୀ ଦିନରେ ଏହା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି କହିଛନ୍ତି ପର୍ଯ୍ୟଟକ। ତେବେ ସବୁପରେ କେବଳ ଯେ ପର୍ଯ୍ୟଟନ ସ୍ଥଳୀ ଭାବେ ନୁହେଁ ବରଂ ମା ଅମ୍ବିକାଙ୍କ ଶକ୍ତିପୀଠ ଭାବେ ମଧ୍ୟ ଏହାର ବିକାଶ ହେବା ଜରୁରୀ ହୋଇପଡିଛି। ଯାହା ହେଲେ ଆଗାମୀ ଦିନରେ ବିଭିନ୍ନ ପୂଜା ପର୍ବାଣି ସମେତ ପିକନିକ ଋତୁରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମିବ।