ଚିତଉ ଅମାବାସ୍ୟା; ଗାଁ ଗାଁ ରେ ଶୁଭେ "ମୋ ବାପା ଗୋଡ କାଟିବୁନି..ମୋ ଭାଇ ଗୋଡ କାଟିବୁନି"

Key Points
ଗେଣ୍ଡୁଲି ଗେଣ୍ଡୁଲି...
ହଁ କହୁନୁ କହ...
ମୋ ବୋଉ ଗୋଡ କାଟିବୁନି...
ମୋ ବାପା ଗୋଡ କାଟିବୁନି...
ମୋ ଗୋଡ କାଟିବୁନି
ହଉ...ତା ବଦଳରେ ତୁ କଣ ଦବୁ ମତେ...
ନେ ବୋଉ ତୋ ପାଇଁ ଚିତଉ ପିଠା ଦେଇଛି
ଆରେ ବାଃ ଏଇଟା ତ ବଢିଆ ଲାଗୁଛି...
ତାହେଲେ ନେ ସବୁ ଖାଇଦେ
ଏମିତି କହି ଗୋଟେ ଗୋଟେ ଚିତଉ ପିଠା ପାଣିରେ ଭସାଇ ଦେଉଥାଏ ଲକି...ଆଉ ମନରେ ତାର ବିଶ୍ୱାସ ଥାଏ ଏହି ପିଠା ଖାଇ ସତରେ ଗେଣ୍ଡା ତା ପରିବାରର କାହାର ଗୋଡ କାଟିବନି ।
ଚିତା ଲାଗି ଅମାବାସ୍ୟା ଓଡିଶାର ଘରେ ଘରେ ପାଳିତ ହୁଏ । କେହି କେହି ଏହାକୁ ଗେଣ୍ଡେଇକଟା ଓ ଷା ବା ଗେଣ୍ଡାକଟା ଅମାବାସ୍ୟା ମଧ୍ୟ କୁହନ୍ତି ।
ଚିତଉ ଅମାବାସ୍ୟା ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ। ଆମ ଓଡିଆ ଘରେ ମା' ମାନେ ନଡିଆ, ଚାଉଳ ବାଟି ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି । ସାଧାରଣତଃ ଚାଷୀମାନେ ବର୍ଷା ଋତୁ ସମୟରେ ଧାନ ଫସଲ କରିବା ସମୟରେ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ । ଫଳରେ ଏହି ସମ୍ବାବନାକୁ ଏଡ଼େଇବା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶୟରେ ଭସା ଯାଏ ।
ମହାପ୍ରଭୁ ସ୍ନାନବେଦୀରୁ ବାହୁଡ଼ି ଅଣସରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମାନଙ୍କ ଶ୍ରୀମୁଖ ରୁ ରତ୍ନ ଚିତା ଓ ରାହୁରେଖା ମଇଲମ କରାଯାଇ ଭଣ୍ଡାର ମେକାପ ଙ୍କୁ ହସ୍ତାନ୍ତର କରାଯାଏ। ପୁନଃ ମହାପ୍ରଭୁ ଘୋଷଯାତ୍ରା ସାରି ବଡ଼ଦେଉଳ ଫେରିବା ପରେ ଶ୍ରାବଣ ଅମାବାସ୍ଯା ଦିନ ମଧ୍ଯାହ୍ନ ଧୂପ ପରେ ଶ୍ରୀମସ୍ତକରେ ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଏ। ତିନି ବାଡ଼ର ତିନିଚିତା ର ମଝିରେ ଗୋଟିଏ ନାୟକ ରତ୍ନ ଥାଏ ଓ ନାୟକ ରତ୍ନ ରୁ ଘେରି ୪/୫ ଟି ବେଢା ରେ ଅନ୍ୟାନ୍ୟ ରତ୍ନପଥର ଖଚିତ ହୋଇଥାଏ। ଶ୍ରୀ ଶ୍ରୀ ବଡ଼ଠାକୁର ବଡ଼ବାଡ଼ ମଣିମାଙ୍କ ନାୟକ ରତ୍ନ ହେଉଛି ନୀଳା , ସେହିପରି ମଝିବାଡ଼ ସାଆନ୍ତାଣୀଙ୍କ ନାୟକ ରତ୍ନ ହେଉଛି ମାଣିକ୍ୟ ଓ ଶ୍ରୀ ଶ୍ରୀ ମହାପ୍ରଭୁ ଙ୍କ ନାୟକ ରତ୍ନ ହେଉଛି ହୀରା । ମହାପ୍ରଭୁଙ୍କ ପ୍ରତ୍ୟେକ ପର୍ବ ପର୍ବାଣୀ ସହ ଏ ଜାତି ଜଡ଼ିତ ଥିବାରୁ ଓଡ଼ିଆ ଙ୍କ ଘରେ ଘରେ ଚିତଉ ପିଠା ହୋଇ ମହାପ୍ରଭୁ ଙ୍କ ପାଖରେ ଭୋଗ ଲାଗି ପରିବାର କୁଟୁମ୍ବ ଚିତାଲାଗି ଅମାବାସ୍ୟା ପାଳନ କରିଥାନ୍ତି ।
📱 Get Argus News App
✨ଦ୍ୱିପ୍ରହର ଧୂପ ସରି ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବାପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଯ ଘରକୁ ବିଜେ କରିବା ପରେ ଶ୍ରୀଜୀଉଙ୍କ ଝୋବା ମଇଲମ ହୋଇ ଜୟବିଜୟ ଦ୍ୱାର ବନ୍ଦ କରାଯାଏ । ପତିମହାପାତ୍ର ସେବକ ସଂସ୍କାର କରିବା ପରେ ବାଡ଼ଗ୍ରାହୀ ଦଇତାପତି ମାନେ ରତ୍ନସିଂହାସନାରେ ଅଧିଷ୍ଠିତ ଶ୍ରୀଜୀଉଙ୍କର ଚିତାଲାଗି କାର୍ଯ୍ୟ ସମ୍ପନ୍ନ କରିଥାନ୍ତି।
ସ୍ନାନପୂର୍ଣ୍ଣିମା ଦିନ ରାତ୍ରିରେ ଶ୍ରୀଜୀଉମାନଙ୍କ ଶ୍ରୀମସ୍ତକରୁ ଏହି ସୁବର୍ଣ୍ଣ ଚିତାକୁ ଓଲାଗି କରାଯାଇଥାଏ । ରଥଯାତ୍ରା ଦିନ ମହାପ୍ରଭୁଙ୍କୁ ଶ୍ରୀମସ୍ତକରେ ସୋଲରେ ତିଆରି ଚିତା ଲାଗି କରାଯାଇଥାଏ । ଆଉ ଆଜି ବା ଚିତଉ ଅମାବାସ୍ୟା ଦିନ ଏହି ସୋଲ ଚିତାକୁ ଓଲାଗି କରି ରତ୍ନଚିତା ଲାଗି କରାଯାଏ । ଚିତାଲାଗି ନୀତି ସରିବା ପରେ ଠାକୁରଙ୍କୁ ମହାସ୍ନାନ କରାଯାଏ ।
ଏହା ଏକ ଗୁପ୍ତନୀତି ହୋଇଥିବାରୁ 4 ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରୁହେ । ଚିତାଲାଗି କରି ଦଇତାପତି ସେବାୟତମାନେ ରତ୍ନସିଂହାସନରୁ ତଳକୁ ଓହ୍ଲାଇବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣଙ୍କୁ ଦର୍ଶନ ଦେଇଥାନ୍ତି ଶ୍ରୀବିଗ୍ରହ । ତେବେ ଏହି ସୁବର୍ଣ୍ଣ ଚିତା ଲାଗି ହେବା ପରେ ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରୁହେ ।