ରାତ୍ର ପହୁଡ ପୂର୍ବରୁ ଶ୍ରୀବିଗ୍ରହଙ୍କ ଉଦ୍ଦେଶ୍ୟରେ ପରିବେଷଣ ହୁଏ ମାହାରୀ ନୃତ୍ୟ

ଆଜି ବିଶ୍ୱ ନୃତ୍ୟ ଦିବସ । ରସିକ ଠାକୁର ମହାପ୍ରଭୁ ଜଗନ୍ନାଥ ନୃତ୍ୟରେ ମଧ୍ୟ ରୁଚି ରଖନ୍ତି । ମାନବ ପରି ଲୀଳା କରୁଥିବା ଏହି ଭାବର ଠାକୁର କାଳିଆ ସାଆନ୍ତଙ୍କ ଜୀବନଚର୍ଯ୍ୟା ଅତ୍ୟନ୍ତ ମନୋରମ । ରସିକ ଠାକୁରଙ୍କ ନୃତ୍ୟରେ ରହିଛି ଶ୍ରଦ୍ଧା। ଦିନଥିଲା ଶ୍ରୀବିଗ୍ରହମାନଙ୍କ ଉଦେଶ୍ୟରେ ନୃତ୍ୟ ପରସି ଦେଉଥିଲେ ମାହାରୀ । ରାତ୍ର ପହୁଡ ପୂର୍ବରୁ ଚକାଚକା ଆଖିରେ ନୃତ୍ୟ ଦେଖିବା ପରେ ହିଁ ନିଦ୍ରା ଯିବାର ରହିଥିଲା ଅନେକ ବର୍ଷର ପରମ୍ପରା । ଦେବଦାସୀ ମାନେ ନିଷ୍ଠାର ସହ ସମର୍ପଣର ସହିତ ମାହାରୀ ନୃତ୍ୟ କରି କାଳିଆ ସାଆନ୍ତେଙ୍କ ସେବା କରିଥାନ୍ତି, ଯାହା ମାହାରୀ ସେବା ନାମରେ ପରିଚିତ । ଓଡିଶାର ସର୍ବପୁରାତନ ପାରମ୍ପରିକ ନୃତ୍ୟ ମାହାରୀ।
ପ୍ରଥମେ ମନ୍ଦିର ମାନଙ୍କରେ ମାହାରୀ ମାନେ ନିଜ ଜୀବନ ଭଗବାନଙ୍କ ପାଖରେ ଅର୍ପଣ କରିବାର ଚଳଣି ଆରମ୍ଭ କରିଥିଲେ। ଯାହା ଓଡିଶାର ମନ୍ଦିର କାନ୍ଥରେ ଥିବା ମୂର୍ତ୍ତିରୁ ଜଣାପଡେ। ଇତିହାସ କହେ ରାଜା ଚୋଡଗଙ୍ଗ ଦେବଙ୍କ ସମୟରୁ ଶ୍ରୀମନ୍ଦିରରେ ଏହି ନୃତ୍ୟର ପ୍ରବର୍ତ୍ତନ ହୋଇଥିଲା। କାଳର କରାଳ ଗତିରେ ଧୀରେଧୀରେ ଏହି ପରମ୍ପରା ନିଶ୍ଚିହ୍ନ ହୋଇଥିବା ବେଳେ ହଜାର ବର୍ଷର ଏହି ପରମ୍ପରା ଏବେ ଶ୍ରୀମନ୍ଦିରରେ ମଧ୍ୟ ଆଉ ପ୍ରଚଳିତ ନାହିଁ। ତେବେ ପୁର୍ନବାର ଏହି ସେବାକୁ ଶ୍ରୀମନ୍ଦିରରେ ପ୍ରଚଳନ କରିବାକୁ ଦାବି କରିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡଗ୍ରାହୀଙ୍କ ସମେତ ଶ୍ରୀଜଗନ୍ନାଥ ସଂସ୍କୃତି ଗଵେଷକ ।
ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି ଶ୍ରୀମନ୍ଦିରରେ ପ୍ରାଚୀନ ମାହାରୀ ନୃତ୍ୟର ଆବଶ୍ୟକତା ରହିଥିବା ବେଳେ ଏଥିପାଇଁ ପରିଚାଳନା କମିଟିର ଅନୁମୋଦନ ଆବଶ୍ୟକ। ମାହାରୀ ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ର ମଧ୍ୟ ଶ୍ରୀମନ୍ଦିରରେ ଏହାକୁ ପୁର୍ନବାର ପ୍ରଚଳନ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।
📱 Get Argus News App
✨ବିଧି ଅନୁସାରେ ଛୋଟ ବୟସରୁ ହିଁ ମହାପ୍ରଭୁଙ୍କ ପାଖରେ ଶିଶୁ କନ୍ୟାଙ୍କୁ ସମର୍ପଣର ଶିକ୍ଷା ଦିଆଯାଉଥିଲା। ପରେ ସେମାନେ ମହାପ୍ରଭୁଙ୍କ ପାଖରେ ତାଙ୍କୁ ସ୍ୱାମୀ ଭାବ ରଖି ସମର୍ପିତ ହେଉଥିଲେ। ହେଲେ ଏହି ସେବାର ଶେଷ ସନ୍ତକ ଶଶିମଣି ଆଉ ନାହାନ୍ତି। ତାଙ୍କ ମୃତ୍ୟୁ ପୂର୍ବରୁ ଶ୍ରୀମନ୍ଦିରରୁ ଏହି ସେବା ବନ୍ଦ ହୋଇଯାଇଛି। ଗବେଷକଙ୍କ ମତ ଅନୁଯାୟୀ ବୟସାଧିକ ଯୋଗୁଁ ଏହି ସେବାରେ ମାହାରୀ ମାନେ ଅନୁପସ୍ଥିତ ରହିବା ଏବଂ ସେମାନେ ଉତ୍ତରାଧିକାରୀ ଗ୍ରହଣ ନକରିବା ଏହି ସେବା ବନ୍ଦର କାରଣ ହୋଇପାରେ।
ମାତ୍ର କଳା ଠାକୁରଙ୍କ ଏହି ସେବାରେ ଶ୍ରଦ୍ଧା ଓ ଓଡ଼ିଆ ସଂସ୍କୃତିର ପ୍ରମୁଖ ଅଙ୍ଗ ହୋଇଥିବାରୁ ଏହି ସେବାକୁ ଆଉଥରେ ଆରମ୍ଭ କରିବାର ଆବଶ୍ୟକତା ରହିଥିବା କହିଛନ୍ତି ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ । ଅନ୍ୟପଟେ ମାହାରୀମାନେ କେବଳ ଭିତର ସେବା କରୁଥିଲେ ତାହା ନୁହେଁ, ଦାରୁବିଗ୍ରହ ନିର୍ମାଣ ସମୟରେ କୋଇଲି ବୈକୁଣ୍ଠ ନିକଟରେ ଉପାସନା କରୁଥିଲେ। ସେହିପରି ନିଳାଦ୍ରୀବିଜେ ସମୟରେ ଲକ୍ଷ୍ମୀନାରାୟଣ କଳିରେ ଲକ୍ଷ୍ମୀଙ୍କ ପକ୍ଷ ନେଉଥିଲେ। ମାହାରୀ ନୃତ୍ୟରୁ ଗୋଟିପୁଅ ନୃତ୍ୟ ଓ ତାପରେ ଓଡିଶୀ ନୃତ୍ୟ ସୃଷ୍ଟି ହୋଇଥିଵା ସଂସ୍କୃତି ଗବେଷକ ମାନେ ମତ ଦିଅନ୍ତି। କିଛିବର୍ଷ ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହୋଇଥିବା ବେଳେ ଏବଂ ଏହି ସେବା ପାଇଁ ଅନେକ ଦରଖାସ୍ତ ମଧ୍ୟ ଆସିଥିବା କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର। ମାତ୍ର ବିଧି ପରମ୍ପରା ମୁତାବକ କେହି ଜଣେ ବି ଉପଯୁକ୍ତ ନହେବାରୁ ଏଵେ ଏହି ସେବା ବିଲୁପ୍ତ ହୋଇ ରହିଛି। ତେଣୁ ଏହି ସେବା ପୁର୍ନବାର ଆରମ୍ଭ କରିବାକୁ ହେଲେ ପରିଚାଳନା କମିଟିର ଅନୁମୋଦନ ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର।
ତେବେ ଶ୍ରୀମନ୍ଦିରରେ ଏହି ସେବା ବନ୍ଦ ହୋଇଥିଲେ ହେଁ ବାହାରେ ଏହି ମାହାରୀ ନୃତ୍ୟର ବେଶ୍ ଚାହିଦା ରହିଛି। ମାହାରୀ ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ର ରାଜ୍ୟ ବାହାରେ ଏହାର ପ୍ରଚାରପ୍ରସାର କରୁଛନ୍ତି। ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ସହ ମାହାରୀ ସେବା ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇଥିବାରୁ ଏହି ସେବାକୁ ଶ୍ରୀମନ୍ଦିରରେ ପୁନଃ ପ୍ରଚଳନ କରାଯାଉ ବୋଲି କହିଛନ୍ତି। ସେପଟେ ତତ୍କାଳୀନ ସରକାରଙ୍କୁ ବାରମ୍ବାର ମାହାରୀ ସେବାର ପ୍ରଚଳନ ଶ୍ରୀମନ୍ଦିର ଭିତରେ ଆରମ୍ଭ କରିବାକୁ ଦାବି କରି ଫେଲ୍ ମାରିଥିବା ସେ କହିଛନ୍ତି। ତେଣୁ ମୋହନ ସରକାର ଏହି ପ୍ରାଚୀନ ମାହାରୀ ସେବାକୁ ଶ୍ରୀମନ୍ଦିର ଭିତରେ ପୁନଃ ପ୍ରଚଳନ କରିବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟପଟେ ମାହାରୀ ସେବା ମହାପ୍ରଭୁଙ୍କ ଏକ ଅନନ୍ୟ ତଥା ପ୍ରଚଳିତ ସେବା ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଥିବା ବେଳେ ବର୍ତ୍ତମାନ ତାହା ବିଲୁପ୍ତ ହୋଇଯାଇଥିବା କହିଛନ୍ତି।