|
logo
Live

Argus News - ଶ୍ରୀମନ୍ଦିର ଓ ନୀଳଚକ୍ର ସୁରକ୍ଷା ଦାୟିତ୍ୱ ହନୁମାନଙ୍କର...

Travel & Tourism

ଶ୍ରୀମନ୍ଦିର ଓ ନୀଳଚକ୍ର ସୁରକ୍ଷା ଦାୟିତ୍ୱ ହନୁମାନଙ୍କର...

Smruti Parija
Browse all articles by Smruti Parija
·1 year ago·4 min read
ଶ୍ରୀମନ୍ଦିର ଓ ନୀଳଚକ୍ର ସୁରକ୍ଷା ଦାୟିତ୍ୱ ହନୁମାନଙ୍କର...

Key Points

ଆସିଗଲା ମହା ବିଷୁବ ସଂକ୍ରାନ୍ତି
ଓଡ଼ିଆଙ୍କ ନବ ବର୍ଷ
ଚଉଁରା ଉପରେ ବାନ୍ଧି ବସୁନ୍ଧରା ଠେକି
ନେବା ମା ବୃନ୍ଦାବତୀଙ୍କ ଆଶିଷ
ବେଲ ପଣା ପିଇ ଗୀତ ଗାଇ ଗାଇ
ବୁଲିଯିବା ଝାମୁ ଯାତ
ସ୍ନେହ ସରାଗରେ କଟିଯାଉ ବର୍ଷ
ଭୁଲି ସବୁ ରାଗ ସବୁ ରୋଷ

ଆମେ ଜାଣିଛେ ଓଡିଆଙ୍କର ବାର ମାସରେ ତେର ପର୍ବ । ପ୍ରତି ପର୍ବ ପଛରେ ରହିଥାଏ ଗୋଟିଏ ଗୋଟିଏ କାହାଣୀ । ଆଉ କିଛି ଶିଖିବାର କଥା । ତା ସାଙ୍ଗକୁ ସେହି ହିସାବରେ ଘରେ ଖାଇବା ପିଇବା...ପୋଷାକ ପରିଧାନ ସବୁକିଛି ବେଶ ଯାକଯମକରେ ଆମେ ପାଳିଥାନ୍ତି ।



ଆଜି ହେଉଛି ପଣା ସଂକ୍ରାନ୍ତି...


ଆଜିକାଲି ତାପମାତ୍ରା ଯେଉଁଭଳି ଭାବରେ ବଢି ବଢି ଚାଲିଛି ସାଧାରଣ ଲୋକଙ୍କ ପକ୍ଷେ ବଞ୍ଚିବା ବେଶ ମୁସକିଲ୍ ହୋଇପଡିଲାଣି । ଖରାରେ ଟିକେ ବୁଲି ଦେଇ ଆସିଲେ ମୁଣ୍ଡ ବୁଲାଇ ଦେଉଛି । ଆଉ ଏହି ଟାଇଁ ଟାଇଁ ଖରାରେ ଆଶ୍ୱସ୍ତି ଦେବା ପୁରାତନ କାଳରେ ଲାଗି କାହିଁ କେବେଠୁ ପଣାର ପ୍ରଚଳନ ହୋଇଆସୁଛି । ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ । ଘରେ ଘରେ ଏଥିପାଇଁ ଛତୁଆ, କଦଳୀ, ନଡ଼ିଆ, ଛେନା, ଆମ୍ବ ଆଦି ମିଶାଇ ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ । ଯାହାକୁ ସେବନ କଲେ ପେଟ ଥଣ୍ଡା ରଖିବା ସହ ଆତ୍ମା ଶାନ୍ତି ହୋଇଯାଏ । ଆଉ ଆଜିକାଲି ଅନେକ ଲୋକ ଏହି ପଣା ତିଆରି କରି ବାଣ୍ଟୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଯାହା ଖୁବ ଉତ୍ତମ ପଦକ୍ଷେପ ।


ଆଜିର ଦିନରେ ଓଡ଼ିଆଣୀମାନେ ଅଗଣାରେ ଥିବା ତୁଳସୀ ଚଉରା ଉପରେ ଏକ ଛାମୁଣ୍ଡିଆ କରି ଏକ ପାଣିଭର୍ତ୍ତି ଛୋଟ ଠେକି ରଖିଥାନ୍ତି । ଏହା ତଳେ ଏକ ଛୋଟ ଛିଦ୍ର ଥାଏ । ସେହି ଛିଦ୍ର ଦେଇ ପାଣି ତୁଳସୀ ଗଛରେ ପଡ଼ିଥାଏ । ଭାବିଲେ କେଡେ ସୁନ୍ଦର କଥାଟିଏ । ଆମ ଓଡିଆ ସଂସ୍କୃତି କେତେ ସମୃଦ୍ଧ କେତେ ମାର୍ଜିତ ।


ଠିକ୍ ସେମିତି ଆଜି ହେଉଛି ଓଡିଆ ନୂଆବର୍ଷ


ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ । ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ। ଦୋଳପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ପଣାସଂକ୍ରାନ୍ତିରୁ ପ୍ରଚଳନ ହୋଇଥାଏ।


ସେହିପରି ଆଜିର ଦିନକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । କାରଣ ଏହିଦିନ ଜଳବାୟୁରେ ଏକ ପରିବର୍ତ୍ତନ ହୋଇଥାଏ। ସୂର୍ଯ୍ୟ ମଧ୍ୟଭାଗକୁ ଚାଲି ଆସିଥାନ୍ତି । ଏହିଦିନ ସୂର୍ଯ୍ୟ ବିଶୁବରେଖାରେ ଅବସ୍ଥାନ କରିଥାନ୍ତି । ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁ ମେଷ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ଏହିଦିନ ଠାରୁ ୧ ମାସ ପର୍ଯ୍ୟନ୍ତ ସୂର୍ଯ୍ୟଦେବତା ମେଷ ରାଶିରେ ଅବସ୍ଥାନ କରିଥାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାଛଡ଼ା ଆଜି ହେଉଛି ମହାବୀରଙ୍କ ଜୟନ୍ତୀ


ଚୈତ୍ରମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତ ତଥା ପ୍ରଭୁ ହନୁମାନ ଜନ୍ମ ହୋଇଥିଲେ । କୁହାଯାଏ ଶ୍ରୀରାମ ଯେଉଁଠି ହନୁମାନ ସେଇଠି । ବିଶ୍ୱାସ ଅଛି ପ୍ରଚଣ୍ଡ ରୌଦ୍ର ତାପରୁ ବିଶ୍ୱରକ୍ଷା ପାଇଁ ତାଙ୍କରି ଜନ୍ମ । ଶ୍ରୀରାମଙ୍କ ଭକ୍ତ ବଜରଙ୍ଗ ବାଲିଙ୍କ ପୂଜା ଏବଂ ଉପାସନା କରିବା ଦ୍ୱାରା ଗ୍ରହ ଶାନ୍ତି ହେବା ସହ ଅନେକ ସମସ୍ୟା ଦୂର ହୁଏ । ଓଡ଼ିଆ ଲୋକେ ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ କରିଥାନ୍ତି ।


ସେହିପରି ଶ୍ରୀମନ୍ଦିରରେ ଆଜିର ଦିନରେ ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୁଏ । ପୁରୀବାସୀ ହନୁମାନଙ୍କ ଜୟନ୍ତୀ ଶ୍ରୀମନ୍ଦିରରେ ହର୍ଷ ଉଲ୍ଲାସରେ ପାଳନ କରନ୍ତି । ଶ୍ରୀରାମ ଭକ୍ତମାନେ ଶ୍ରୀଜଗନ୍ନାଥ ଏବଂ ଶ୍ରୀରାମ ଏକ ବୋଲି ମାନନ୍ତି । ଆଉ ଆମେ ସମସ୍ତେ ଜାଣିଛେ ଶ୍ରୀରାମ ଯେଉଁଠି ହନୁମାନ ସେଇଠି । ଫଳରେ ଜଗନ୍ନାଥଙ୍କୁ ଚାରିପଟେ ଘେରି ହନୁମାନଙ୍କ ବିଭିନ୍ନ ରୂପ ପୂଜା ପାଉଛନ୍ତି । ମନ୍ଦିରର ଚାରି ଦୁଆରେ ଚାରି ଅନୁମାନ ଦଣ୍ଡାୟମାନ । ସିଂହଦ୍ୱାର ଗୁମୁଟରେ ଫତେ ହନୁମାନ, ବାଇଶିପାହଚ ପରେ ପରେ ଗୁମୁଟରେ ଏହାଙ୍କ ଦର୍ଶନ ହୁଏ । ଦକ୍ଷିଣ ଦ୍ୱାର ବାହାରେ ବାରଭାଇ ହନମୁାନ ଅବସ୍ଥିତ । ସେହିପରି ପଶ୍ଚିମ ଦ୍ୱାରରେ ବୀର-ବିକ୍ରମ ହନୁମାନ ବିରାଜମାନ । ସେ ବାହାର ବେଢ଼ାରେ ଦକ୍ଷିଣକୁ ମୁଖ କରି ଭକ୍ତଜନଙ୍କୁ ଆଶୀର୍ବାଦ ଦେଇଥାନ୍ତି । ଭିତର ଦ୍ୱାର ରକ୍ଷକ ଭାବେ ଚାରିଚକ୍ର ହନୁମାନ ରହିଛନ୍ତି । ଏହାଙ୍କର ଅନ୍ୟନାମ ତପସ୍ୱୀ ହନୁମାନ । ଯିଏ କୋଇଲି ବୈକୁଣ୍ଠ ସୁରକ୍ଷାରେ ନିୟୋଜିତ । ପଶ୍ଚିମପଟ ବାହାର ବେଢ଼ାରେ ଅଛନ୍ତି ଦେବ ଦ୍ୱାରପାଳ ପଂଚମୂଖୀ ହନୁମାନ । ସେ ଶ୍ରୀଜଗନ୍ନାଥଙ୍କର ହୁଣ୍ଡିକୁ ଦାନ କରୁଥିବା ଭକ୍ତଜନଙ୍କୁ ଆଶୀର୍ବାଦ କରନ୍ତି ।


ଆନନ୍ଦ ବଜାରରେ ଷୋହଳ ମୂର୍ତ୍ତି ହନୁମାନ ବିଗ୍ରହ ରହିଛନ୍ତି । ଏଠାରେ ସମସ୍ତ ଶୃଙ୍ଖଳା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ରହିଛି । ସେହିପରି ନାଟ୍ୟମଣ୍ଡପରେ ମଧ୍ୟ ହନୁମାନ ବିରାଜମାନ ଅଛନ୍ତି । ବିଭିନ୍ନ ସ୍ତମ୍ଭ, ପଟ୍ଟଚିତ୍ର, ସରଘରେ ଏବଂ ବିଭିନ୍ନ ସ୍ଥାନରେ ହନୁମାନଙ୍କୁ ଦେଖିବାକୁ ମିଳେ । ଏହା ବ୍ୟତୀତ ପୁରୀ ସହର ମଧ୍ୟରେ ସିଦ୍ଧ ମହାବୀର, ବେଡି ମହାବୀର ପ୍ରଭୃତି ଭକ୍ତମାନଙ୍କୁ ଆକର୍ଷିତ କରିଥାଏ । କୁହାଯାଏ ଶ୍ରୀମନ୍ଦିର ଓ ନୀଳଚକ୍ର ସୁରକ୍ଷା ଦାୟିତ୍ୱ ହନୁମାନଙ୍କର ।


ଆଜିର ଦିନରେ ସକାଳ ଧୂପ ପରେ ଦକ୍ଷିଣୀ ଘରୁ ଶ୍ରୀହନୁମାନ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ପ୍ରାପ୍ତ ହେବାପରେ ବିମାନରେ ଶ୍ରୀମନ୍ଦିରର ପୂର୍ବଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ନିଆଯାଇ ପୂଜାର୍ଚ୍ଚନା କରାଯାଏ । ତା'ପରେ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ ମହାବୀରଙ୍କ ନିକଟକୁ ବିଜେ କରନ୍ତି ହନୁମାନ।



ଏହି ଅବସରରେ ଶ୍ରୀକ୍ଷେତ୍ରର ୫୦ରୁ ଉର୍ଦ୍ଧ୍ବ ଜାଗାଆଖଡାରେ ରହିଛି ନିଆରା ପରମ୍ପରା । ସେବାୟତ ଘରର ଭେଣ୍ଢିଆ ମାନେ ନୂଆଲୁଗା ପିନ୍ଧି ଆଜିଠାରୁ କୁସ୍ତି ଅଭ୍ୟାସ ଆରମ୍ଭ କରିଥାନ୍ତି । ସକାଳୁ ସକାଳୁ ଜାଗାରେ ପହଞ୍ଚି ମହାବୀରଙ୍କ ଠାରୁ ଆଶୀର୍ବାଦ ନେଇ କାଛିଆ ପିନ୍ଧି ବାଲିରେ କୁସ୍ତି ଆରମ୍ଭ କରିଦିଅନ୍ତି । ଏଭଳି ପରମ୍ପରା ବହୁ ପୁରାତନ କାଳରୁ ରହିଆସିଛି । ଶ୍ରୀମନ୍ଦିରକୁ ବିଦେଶୀ ଶତୃକବଳରୁ ରକ୍ଷା କରିବା ପାଇଁ ସେବାୟତ ଭେଣ୍ଡିଆ ମାନେ ଆଗକୁ ଆସିଥିଲେ । ଜାଗାଆଖଡା କରି ସେଠାରେ ମଲ୍ଲଯୋଦ୍ଧା ଶିକ୍ଷା ଆରମ୍ଭ କରିଦେଇଥିଲେ । ମହାବୀର ଜୟନ୍ତୀରୁ ଆରମ୍ଭ ହେଉଥିଲା ସେମାନଙ୍କର କୁସ୍ତି ଅଭ୍ୟାସ । ଖାଲି ଭେଣ୍ଡିଆ ନୁହଁନ୍ତି ଖଡିଛୁଆଁ ଭଳି ସେବାୟତଙ୍କ ଶିଶୁମାନେ ହନୁମାନ ଜୟନ୍ତୀରୁ କୁସ୍ତି ଶିକ୍ଷାର ଅୟମାରମ୍ଭ କରିଥାନ୍ତି । ହନୁମାନଙ୍କ ନିକଟରେ ନୂଆ କାଛିଆ ପୂଜା କରିବା ପରେ ସେହି କାଛିଆକୁ ପିନ୍ଧି ପ୍ରଭୁଙ୍କ ଠାରୁ ଆଶୀର୍ବାଦ ନେଇ କୁସ୍ତିରେ ଯୋଗ ଦିଅନ୍ତି । ଆଉ ସେହି ଜାଗାରେ କୁସ୍ତି କରିବା ପରେ ଭାଙ୍ଗପଣାର ଆସର ଜମିଥାଏ । ସେପଟେ ଆଜିଠାରୁ ମଧ୍ୟ ବିଶ୍ୱ ବ୍ରହ୍ମାଣ୍ଡରେ ନୂତନ ପଞ୍ଜିକା ପ୍ରଚଳନ ଆରମ୍ଭ ହୋଇଥାଏ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମତ ଦିଅନ୍ତି ।


ଅନ୍ୟପଟେ ଆଜି ଓଡିଆ ନବବର୍ଷ ଉପଲକ୍ଷେ ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଟିକକ ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଥାନ୍ତି ।


Sponsored
ଶ୍ରୀମନ୍ଦିର ଓ ନୀଳଚକ୍ର ସୁରକ୍ଷା ଦାୟିତ୍ୱ ହନୁମାନଙ୍କର... | Argus News