|
logo
Live
Argus News App
GET APP

Argus News - ଶୀତ ପଡିଲାଣି..ଡାକୁଛି କୋରାପୁଟ

Travel & Tourism

Winter Special / ଶୀତ ପଡିଲାଣି..ଡାକୁଛି କୋରାପୁଟ

Smruti Parija
Browse all articles by Smruti Parija
·4 months ago·2 min read
ଶୀତ ପଡିଲାଣି..ଡାକୁଛି କୋରାପୁଟ

Key Points

ସବୁଜିମାରେ ଭରା ପାହାଡ ମଝିରେ ଅଳସୀ ଫୁଲର ଅପୂର୍ବ ସମ୍ଭାର । ଯୁଆଡେ ଆଖିବୁଲାଇବ ଅପରୂପ ସୌନ୍ଦର୍ଯ୍ୟ । ଶୀତ ଦିନେ ଆହୁରି ସୁନ୍ଦର ଦିଶୁଛି କୋରାପୁଟ
ମୁଁ ଅଳସୀ । ମୁଁ ଆସିଲେ ଶୀତ ଆସେ । ମତେ ଦେଖିଲେ କବି ଭାବୁକ ହୁଏ । ହଁ ମୁଁ ଟିକେ ଫୁଲେଇ ସତ..ହେଲେ ମତେ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମେ...ଲୋକଙ୍କ ଆଳସ୍ୟ ଭାଙ୍ଗେ...ମୋ ମହକରେ ଚତୁର୍ଦ୍ଦିଗ ମହକେ...ଶୀତୁଆ ସକାଳରେ କୁହୁଡିର ପତଳା ଚାଦର । ତା' ସାଙ୍ଗକୁ ସକାଳର ସୂର୍ଯ୍ୟୋଦୟ । ସବୁଜିମାରେ ଭରା ପାହାଡ ମଝିରେ ଅଳସୀ ଫୁଲର ଅପୂର୍ବ ସମ୍ଭାର । ଯୁଆଡେ ଆଖିବୁଲାଇବ ଅପରୂପ ସୌନ୍ଦର୍ଯ୍ୟ ।



ଏ ପରା କୋରାପୁଟ...ବର୍ଷା ଛାଡି ଶୀତ ଆସିବା ପରେ ଏ ହେଉଛି କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟର ଦୃଶ୍ୟ । ଶୀତ ଆସିଲେ କୋରାପୁଟ ଟିକେ ଅଧିକ ସୁନ୍ଦର ଦିଶେ । ପାହାଡର ସ୍ଥାନେ ସ୍ଥାନେ ଥିବା ଅଳସୀ ଫୁଲ କୋରାପୁଟର ସୌନ୍ଦର୍ଯ୍ୟକୁ ଆହୁରି ବଢାଇଦିଏ । ଦେଖୁନାହାନ୍ତି ଲାଗୁଛି ଯେମିତି ପ୍ରକୃତି ରାଣୀ ସୁନାର ଓଢଣୀ ମେଲି ବସିଛି । ଆଉ ପବନର ଟିକିଏ ସ୍ପର୍ଶରେ ଏହି ଫୁଲର ମହକ ଚାରି ଆଡେ ମହକିତ ହେଉଛି । ଏ ଅଳସୀ ଫୁଲ ବି ଦୋହଲି ଦୋହଲି ଶୀତର ମଜା ନେଉଛି । ସତରେ ଯୁଆଡେ ଆଖି ବୁଲାଇବ ଅପରୂପ ସୌନ୍ଦର୍ଯ୍ୟ । ଶୀତର ଆଗମନରେ ଏବେ କୋରାପୁଟରେ ଧୀରେ ଧୀରେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ । କିଏ ଅଳସୀ ଫୁଲର ଖେତରେ ସେଲ୍ପି ନେଇ ସ୍ମୃତି ସାଉଁଟୁଛି ତ ଆଉ କିଏ ଏହାର ମହକକୁ ଉପଭୋଗ କରୁଛି । ତ ପୁଣି କିଏ କୋରାପୁଟର ଏ ସୌନ୍ଦର୍ଯ୍ୟକୁ କ୍ୟାମେରା ଲେନ୍ସରେ କଏଦ କରୁଛି ।

ସେପଟେ ଶୀତ ଦିନରେ ନିଜକୁ ସତେଜ ରଖିବା ପାଇଁ ପ୍ରାତଃ ଭ୍ରମଣ ସାଙ୍ଗକୁ ବ୍ୟାୟାମ ଶାଳାରେ ବି ଭିଡ ଜମୁଛି କଅଁଳିଆ ଖରା ମିଶା ଶୀତୁଆ ସକାଳରେ ଶୀତବସ୍ତ୍ର ପିନ୍ଧି ଲୋକେ ବ୍ୟାୟାମ କରିବାକୁ ବାହାରିଯାଉଛନ୍ତି । । ଶୀତକୁ ଖାତିର୍ ନକରି କଡା ନାଲି ଚା ଟିକେ ପିଇ ଦେଇ ଶ୍ରମିକ ଓ ମଜୁରିଆମାନେ ନିଜ କର୍ମ କ୍ଷେତ୍ରକୁ ଯାଉଛନ୍ତି ।

କୋରାପୁଟ ହେଉଛି ଓଡିଶାର ଭୂସ୍ବର୍ଗ । ଓଡିଶାର କାଶ୍ମୀର । ଯେଉଁଠିକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୁଅ ଛୁଟେ । ହେଲେ ଶୀତ ଦିନେ କୁହୁଡି ସାଙ୍ଗକୁ ଅଳସୀ ଫୁଲର ମହକ ପ୍ରକୃତି ପ୍ରେମୀଙ୍କୁ ଆନମନା କରିଥାଏ । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ କବି ଓ ଲେଖକଙ୍କୁ ପ୍ରେରଣା ଦେଇଥାଏ । ମନରେ ଉନ୍ମାଦ ଭରିଥାଏ । କଳାକାର ଟିଏ ପାଇଁ ନୂଆଁ କିଛି ଚିନ୍ତା କରିବାର ବାଟ ଫିଟାଇଥାଏ । ସେଥିପାଇଁ ତ ଶୀତ ଆସିବା କ୍ଷଣି କାହିଁ କେତେ ଦୂରରୁ ଧାଇଁ ଆସନ୍ତି ପର୍ଯ୍ୟଟକ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Winter Special: ଶୀତ ପଡିଲାଣି..ଡାକୁଛି କୋରାପୁଟ | Argus News