Videos
|
Viral-stories

Gujarat Lion Viral Video / ସିଂହକୁ ବାଇକରେ ଗୋଡ଼ାଇ ଫସିଲେ ୩ ବନ କର୍ମଚାରୀ…ଚାକିରିରୁ ବହିଷ୍କୃତ

Ritu Das
Browse all articles by Ritu Das
·53 mins ago·2 min read
ସିଂହକୁ ବାଇକରେ ଗୋଡ଼ାଇ ଫସିଲେ ୩ ବନ କର୍ମଚାରୀ…ଚାକିରିରୁ ବହିଷ୍କୃତ
India

Key Points

ସିଂହକୁ ବାଇକରେ ଗୋଡ଼ାଇ ବିଦା ହେଲେ ୩ ବନ କର୍ମଚାରୀ
ସିଂହ ହେଉଛି ଜଙ୍ଗଲର ରାଜା, ତାକୁ ଦେଖିଲେ ଭୟରେ ଥରହର ହୁଅନ୍ତି ଲୋକେ। ହେଲେ ଏଠି ଘଟିଛି ଓଲଟା ଦୃଶ୍ୟ! ମୋଟରସାଇକେଲ୍‌ରେ ସିଂହକୁ ଗୋଡ଼ାଉଛନ୍ତି ବନ କର୍ମଚାରୀ। ଆଉ ଏହି ଅଜବ ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି। ଭିଡିଓକୁ ନେଇ ବିବାଦ ବଢ଼ିବା ପରେ ଆକ୍ସନ୍ ମୋଡ୍‌କୁ ଆସିଛି ବନ ବିଭାଗ। ଘଟଣାରେ ୩ ଜଣ କର୍ମଚାରୀଙ୍କୁ ବହିଷ୍କାର କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି। ତେବେ କାହିଁକି ଏମିତି ସିଂହକୁ ବାଇକ୍‌ରେ ଗୋଡ଼ାଉଥିଲେ ବନ କର୍ମଚାରୀ? ଆସନ୍ତୁ ଜାଣିବା ପୂରା ଘଟଣା।

ଗୁଜରାଟର ଆମ୍ରେଲି ଜିଲ୍ଲାରେ ଥିବା ଅମ୍ବର୍ଦ୍ଦି ସଫାରୀ ପାର୍କରେ ବନ କର୍ମଚାରୀ ଏକ ସିଂହକୁ ମୋଟର ସାଇକେଲରେ ଗୋଡାଇବା ଘଟଣା ସାମ୍ନାକୁ ଆସିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବନ ବିଭାଗ ପକ୍ଷରୁ ୩ ଜଣ ଆଉଟସୋର୍ସିଂ କମର୍ଚାରୀଙ୍କୁ ବହିଷ୍କୃତ କରାଯାଇଛି । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଜୟପାଲ ସିଂହଙ୍କ ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ସଫାରୀ ପାର୍କରେ ଥିବା ଖୁଆଡକୁ ସିଂହକୁ କିଛି ବନ କର୍ମଚାରୀ ଘଉଡାଇ ଆଣିଥିଲେ । ସାଧାରଣତଃ ଏଥିପାଇଁ ଜିପ୍ ବ୍ୟବହାର କରାଯାଇଥାଏ । କିନ୍ତୁ ସମ୍ପୃକ୍ତ କର୍ମଚାରୀମାନେ ମୋଟରସାଇକେଲ୍ ବ୍ୟବହାର କରିଥିଲେ। 

ସିଂହକୁ ଘଉଡାଇବା କାର୍ଯ୍ୟରେ ସମ୍ପୃକ୍ତ ଥିବା ୩ ବନ କର୍ମଚାରୀଙ୍କୁ ପ୍ରଥମେ ସସ୍ପେଣ୍ଡ କରାଯିବା ସହ ସେମାନଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି। ପରେ ସମ୍ପୃକ୍ତ ୩ କର୍ମଚାରୀଙ୍କୁ ବହିଷ୍କୃତ କରାଯିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ବନ କର୍ମଚାରୀମାନେ ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ କରିଥିଲେ କି ନାହିଁ ତାହା ତଦନ୍ତ କରାଯିବ। ସେହିଭଳି ଅତିରିକ୍ତ ବନ ସଂରକ୍ଷକ ମିତେଶ ବନିୟା କହିଛନ୍ତି ଦୀପାବଳି ଉତ୍ସବ ସମୟରେ ଏହି ଭିଡିଓ ରେକର୍ଡିଂ କରାଯାଇଛି। ସୂତ୍ରରୁ ଜଣାପଡ଼ିଛି ଯେ, ଭିଆଇପି ଅତିଥିମାନେ ସିଂହକୁ ପାଖରୁ ଦେଖିବାକୁ ସଫାରୀକୁ ଯାଇଥିଲେ। କିନ୍ତୁ ଲୋକମାନଙ୍କୁ ଦେଖି ସିଂହଟି ବିଚଳିତ ହୋଇପଡ଼ି ଇଆଡେ ସିଆଡେ ଦୌଡ଼ୁଛି। ଯାହା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ସିଂହଙ୍କୁ ହଇରାଣ କରାଯିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। 

ଅଭିଯୋଗକୁ ନେଇ ସେମାନେ କହିଛନ୍ତି ସଫାରୀ ପାର୍କ ୩୦୦ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ପ୍ରତିଦିନ ଅପରାହ୍ନ ୫ଟାରେ ସିଂହମାନଙ୍କୁ ସେମାନଙ୍କ ଲାଗି ନିର୍ମିତ ବାଡା (କ୍ରାଲ) ଭିତରେ ଖାଇବାକୁ ଦିଆଯାଇଥାଏ । କିନ୍ତୁ ଗୋଟିଏ ସିଂହ ସେହିଦିନ ବାଡା ବାହାରେ ରହିଯାଇଥିବା କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ତେଣୁ ତାକୁ ଖୁଆଡକୁ ଆଣିବା ଲାଗି ବନ କର୍ମଚାରୀମାନେ ଉଦ୍ୟମ କରିଥିଲେ । ବନ୍ୟପ୍ରାଣୀଙ୍କୁ ହଇରାଣ କରିବାର ସେମାନଙ୍କର କୌଣସି ଉଦ୍ଦେଶ୍ୟ ନଥିଲା । ପର୍ଯ୍ୟଟନ ଋତୁ ବେଳେ ଏହି ସଫାରୀ ପାର୍କକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି । ତା’ଛଡା ଛୁଟି ଦିନମାନଙ୍କରେ ମଧ୍ୟ ପ୍ରବଳ ଲୋକଙ୍କ ସମାଗମ ହୋଇଥାଏ । ସେମାନଙ୍କ ସୁବିଧା ଲାଗି ବନ କର୍ମଚାରୀମାନେ ୧୨ ଘଣ୍ଟା କାର୍ଯ୍ୟ କରିଆସୁଛନ୍ତି ବୋଲି ସେ କହିଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣା ବନ୍ୟପ୍ରାଣୀ ପ୍ରେମୀ ଏବଂ ପରିବେଶବିତଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଛି। ଲୋକମାନେ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏସୀୟ ସିଂହଙ୍କ ପାଇଁ ଏକ ନିରାପଦ ସ୍ଥାନ ଭାବେ ବିବେଚନା କରାଯାଉଥିବା ସଫାରୀ ପାର୍କ ଭିତରେ ତଦାରଖ ଏବଂ ପ୍ରୋଟୋକଲ ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠାଯାଉଛି।