Temple Mystery / ରହସ୍ୟମୟ କାହାଣୀ: ବିଶ୍ୱର ସବୁଠୁ ବଡ଼ ଶିବଲିଙ୍ଗ କେଉଁଠି ଅଛି ?

Key Points
ଶତାବ୍ଦୀ ପରେ ବି ଅଧାଗଢ଼ା ଶିବ ମନ୍ଦିର !
ବାବା ଭୋଜେଶ୍ୱରଙ୍କ ରହସ୍ୟମୟ କାହାଣୀ
ଗୋଟିଏ ରାତିରେ ଗଢ଼ା ବିଶାଳ ଶିବ ମନ୍ଦିର !
ଶ୍ରାବଣ ମାସ... ଭକ୍ତି ଓ ଆସ୍ଥାର ମାସ । ଶିବାଳୟରେ ଲାଗୁଛି ଭକ୍ତଙ୍କ ଅସମ୍ଭାଳ ଭିଡ଼ । କେହି ଜଳାଭିଷେକ କରୁଛନ୍ତି, କେହି ରୁଦ୍ରାଭିଷେକ, ତ ଆଉ କେହି କେବଳ ମହାଦେବଙ୍କ ଦର୍ଶନ ପାଇଁ ଧାଇଁ ଆସୁଛନ୍ତି । କଥାରେ ଅଛି ଭଗବାନଙ୍କ ରୂପ ଓ ଆକାର କେବେ ତୁଳନା କରାଯାଏନି । ହେଲେ ମନରେ କେବେନା କେବେ ପ୍ରଶ୍ନ ଆସିଥିବ, ବିଶ୍ଵର ସବୁଠୁ ବଡ଼ ଶିବଲିଙ୍ଗ କେଉଁଠାରେ ଅଛି ?
କିନ୍ତୁ ଆପଣ ଜାଣନ୍ତି କି, ଭାରତରେ ରହିଛି ଏମିତି ଏକ ଶିବ ମନ୍ଦିର, ଯେଉଁଠି ବିରାଜମାନ ଅଛି ବିଶ୍ୱର ସବୁଠୁ ବଡ଼ ଶିବଲିଙ୍ଗ । ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି, ଶତାବ୍ଦୀ ବିତିଯାଇଥିଲେ ମଧ୍ୟ ମନ୍ଦିରଟି ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । କ'ଣ ରହିଛି ଏହା ପଛର ଇତିହାସ, କ'ଣ କହେ କିମ୍ବଦନ୍ତୀ ? ଆସନ୍ତୁ ଜାଣିବା ବାବା ଭୋଜେଶ୍ୱର ମନ୍ଦିରର ଅନନ୍ୟ କାହାଣୀ ।
ବାବା ଭୋଜେଶ୍ବର । ନାଁ ଯେମିତି କରୁଣା ବି ସେମିତି । ସବୁ ମନ୍ଦିର ପରି ଏହି ମନ୍ଦିରରେ ବି ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଏ । ହେଲେ ମନ୍ଦିରଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି । ମଧ୍ୟପ୍ରଦେଶ ଭୋପାଳ ନିକଟରେ ଥିବା ଭୋଜପୁର ସହରରେ ଭୋଜେଶ୍ବର ମନ୍ଦିର ଅବସ୍ଥିତ । ପରମାର ବଂଶର ରାଜା ଭୋଜଙ୍କ ନାମ ଅନୁଯାୟୀ ଏହି ସହରର ନାମ ଭୋଜପୂର ରଖାଯାଇଛି । ଐତିହାସିକ ତଥ୍ୟ ଅନୁଯାୟୀ ରାଜା ଭୋଜ ଏହି ଶିବ ମନ୍ଦିରର ନିର୍ମାଣ କରିଥିଲେ । ଏଠାରେ ଥିବା ଦୁନିଆର ସବୁଠାରୁ ବଡ଼ ଶିବଲିଙ୍ଗର ଉଚ୍ଚତା ୨.୩ ମିଟର, ପରିଧି ୫.୪ ମିଟର ଏବଂ ମୋଟ ଉଚ୍ଚତା ହେଉଛି ୧୨ ମିଟର ।
ବାବା ଭୋଜେଶ୍ଵର ମନ୍ଦିରର କିଛି ପୌରାଣିକ କିମ୍ବଦନ୍ତୀ ମଧ୍ୟ ରହିଛି । କୁହାଯାଏ, ପାଣ୍ଡବ ମାତା କୁନ୍ତିଙ୍କ ପୂଜା ପାଇଁ ଏହି ଶିବ ମନ୍ଦିରର ନିର୍ମାଣ କରିଥିଲେ । ସ୍ଵୟଂ ଭୀମ ବଡ଼ ବଡ଼ ପଥର ଦ୍ଵାରା ଏହି ମନ୍ଦିରର ନିର୍ମାଣ କରିଥିଲେ । ଐତିହାସିକ ମତ ଅନୁଯାୟୀ ମନ୍ଦିର ସମ୍ପୂର୍ଣ୍ଣ ନହେବା ପଛରେ ଅନେକ କାରଣ ରହିଛି ଯେମିତି କି କୁହାଯାଏ ଯେତେବେଳେ ମନ୍ଦିର ନିର୍ମାଣ ଚାଲିଥିଲା ସେତେବେଳେ ଗୁଜୁରାଟର ସୋମନାଥ ମନ୍ଦିରକୁ ଆଫଗାନିସ୍ତାନ ମୁସଲମାନ ଆକ୍ରମଣ କରିଥିବାରୁ ରାଜା ଭୋଜ ତାଙ୍କର ସବୁ ଧ୍ୟାନ ଭୋଜେଶ୍ଵର ମନ୍ଦିରରୁ ହଟାଇଦେଇଥିଲେ ।
ଆଉ କିଛି କୁହନ୍ତି ଯେ ମନ୍ଦିରର ଗଢଣୀରେ କିଛି ତ୍ରୁଟି ଥିଲା ସେଥିପାଇଁ ଛାତର ଓଜନ ସହିନପାରି ଆଂଶିକ ଭୁଶୁଡି ପଡିଥିଲା । ତ ଆଉ କିଛି ସ୍ଥାନୀୟ ଲୋକ କୁହନ୍ତି ଯେ ରାଜା ଭୋଜ ଗୋଟିଏ ଦିନରେ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ କିନ୍ତୁ ତାହା କରିବାରେ ବିଫଳ ହୋଇଥିଲେ । ସେଥିପାଇଁ ବାବାଙ୍କ ଏହି ମନ୍ଦିର ଆଜି ବି ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି ।
📱 Get Argus News App
✨Related Topics
Explore more stories