Cyclone Montha / ସମୁଦ୍ରରେ ବଳ ଗୋଟାଉଛି 'ମୋନ୍ଥା', ନେଲା ଭୀଷଣ ବାତ୍ୟାର ରୂପ

Key Points
ଭୁବନେଶ୍ଵର: ସାମୁଦ୍ରିକ ଝଡ଼ 'ମୋନ୍ଥା' ଭୀଷଣ ବାତ୍ୟାରେ ପରିଣତ ହୋଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା 'ମୋନ୍ଥା' ଏବେ ଘଣ୍ଟାକୁ ୧୫ କିଲୋମିଟର ବେଗରେ ଆନ୍ଧ୍ର ଉପକୂଳ ଆଡ଼କୁ ଅଗ୍ରସର ହେଉଛି । 'ମୋନ୍ଥା' ପାଇଁ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି ହୋଇଛି ।
ଭୀଷଣ ବାତ୍ୟା 'ମୋନ୍ଥା' ଏବେ ଆନ୍ଧ୍ରର ମଛଲିପାଟନମରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୧୯୦ କିଲୋମିଟର, କାକିନାଡ଼ା ଠାରୁ ୨୭୦ କିଲୋମିଟର, ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୫୫୦ କିଲୋମିଟର ଦୂରରେ ରହିଛି ।
ଏଥିସହ ପଢ଼ନ୍ତୁ: 'ମୋନ୍ଥା' ପାଇଁ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ, ଗୋପାଳପୁର ଠାରୁ ୫୭୦ କିମି ଦୂରରେ ବାତ୍ୟା
'ମୋନ୍ଥା' କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ । ଆଜି ସନ୍ଧ୍ୟା କିମ୍ବା ରାତିରେ ମଛଲିପାଟନମରୁ କଳିଙ୍ଗପାଟନମ ମଧ୍ୟରେ କାକିନାଡ଼ା ପାଖାପାଖି ଭୀଷଣ ବାତ୍ୟା 'ମୋନ୍ଥା' ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି ।
ସକାଳ 5ଟା 30ର update:#ଭୀଷଣବାତ୍ୟା ମୋନ୍ଥା
— usd (@usd0705) October 28, 2025
ଘନୀଭୂତ ହୋଇ ଭୀଷଣବାତ୍ୟା ର ରୂପ ନେଲା #ମୋନ୍ଥା#ଭୀଷଣବାତ୍ୟା #ମୋନ୍ଥା ଘଣ୍ଟା ପ୍ରତି #15କିମି ବେଗରେ ଅଗ୍ରସର ହେଉଥିବା ବେଳେ
ମଛଲିପଟ୍ଟନମ ଠାରୁ 190କିମି, କାକିନାଡ଼ା ଠାରୁ 270କିମି ଏବଂ ଗୋପାଳପୁର ଠାରୁ 550କିମି ଦୂରରେ କେନ୍ଦ୍ରୀଭୂତ ରହିଛି pic.twitter.com/h7zMvo9Yxz
ଭୀଷଣ ବାତ୍ୟା 'ମୋନ୍ଥା' ଲ୍ୟାଣ୍ଡଫଲ୍ କରିବା ବେଳେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ପୂର୍ବାନୁମାନ କରାଯାଇଛି । ସେହି ସମୟରେ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।
ମଙ୍ଗଳବାର ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିଭଳି ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଖୋର୍ଦ୍ଧା, ପୁରୀ ଓ ବରଗଡ଼ ଜିଲ୍ଲାକୁ ରହିଛି ଅରେଞ୍ଜ ୱାର୍ଣ୍ଣିଂ ।
ଆସନ୍ତାକାଲି ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ଆଲର୍ଟ ରହିଛି । ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ସମ୍ବଲପୁର, ସୋନପୁର ଓ ବରଗଡ଼ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ ।
ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ୩ ଘଣ୍ଟା ସତର୍କତା, ୯ ଜିଲ୍ଲା ପାଇଁ ଆଲର୍ଟ ଜାରି
ବାତ୍ୟା 'ମୋନ୍ଥା' ପାଇଁ ସମୁଦ୍ର ଅଶାନ୍ତ ରହିଛି । ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଓଡ଼ିଶାର ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ଅନ୍ୟ ସବୁ ବନ୍ଦରରେ ଦୁଇ ନମ୍ବର ବିପଦ ସଂକେତ ରହିଛି ।
📱 Get Argus News App
✨
ସେପଟେ ଆଜି ସକାଳ ସାଢ଼େ ୧୦ ଟାରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ରେଡ୍ ଜୋନ୍ରେ ଥିବା ୮ ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା ହୋଇଥିବା ବେଳେ ୨ଟି ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି । ୨୦୦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଗ୍ରାଉଣ୍ଡରେ ପହଞ୍ଚିଛନ୍ତି NDRF, ODRAF ଓ ଅଗ୍ନିଶମ ବାହିନୀ । ବିଭାଗ ୱାରୀ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ରାଜସ୍ଵ ମନ୍ତ୍ରୀ । ତେବେ ଲୋକଙ୍କୁ ବିଚଳିତ ନ ହେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।
କଚ୍ଚା ଘର ଥିବା ଲୋକ ନିକଟ ଆଶ୍ରୟସ୍ଥଳୀ ବା ସ୍କୁଲକୁ ଯିବାକୁ କୁହାଯାଇଛି । ବୟସ୍କ, ମହିଳା, ଶିଶୁଙ୍କୁ ସୁରକ୍ଷା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ଖୋଲା ଯାଇଛି । କଣ୍ଟ୍ରୋଲ ରୁମ୍ ଖୋଲା ଅଛି, ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅଙ୍ଗନବାଡ଼ି ହିତାଧିକାରୀଙ୍କ ଘରକୁ ଶୁଖିଲା ଖାଦ୍ୟ ପହଞ୍ଚାଇବାକୁ ସରକାର ବ୍ୟବସ୍ଥା କରିଛନ୍ତି ।
Related Topics
Explore more stories