୪୦ ବର୍ଷର ସୌନ୍ଦର୍ଯ୍ୟ ଭଣ୍ଡାର, ୪୦ ସେକେଣ୍ଡରେ ହେଲା ଛାରଖାର...

Key Points
ଉତ୍ତରାଖଣ୍ଡର ଧରାଲୀ ଗାଁ ଏବେ ଧ୍ବଂସପ୍ରାୟ
କିନ୍ତୁ ଏହି ପାହାଡି ଗାଁ ଦିନେ ନିଜର ସୌନ୍ଦର୍ଯ୍ୟ ପାଇଁ ସାରା ଦେଶରେ ସୃଷ୍ଟି କରିଥିଲା ଏକ ସ୍ବତନ୍ତ୍ର ପରିଚୟ
ଯାହାର କାରଣ , ଅଶୀ ଦଶକର ସୁପରହିଟ୍ ହିନ୍ଦି ଫିଲ୍ମ ରାମ୍ ତେରୀ ଗଙ୍ଗା ମୈଲୀ
ଆମ ଦେଶରେ ଥିବା ହର୍ଶିଲ ଘାଟି ସ୍ୱିଜରଲ୍ୟାଣ୍ଡ ଠାରୁ ବି କିଛି କମ୍ ନୁହେଁ
ଉତ୍ତରାଖଣ୍ଡର ଧରାଲୀ ଗାଁ ଏବେ ଧ୍ବଂସପ୍ରାୟ । ପ୍ରକୃତିର ଭୟଙ୍କର ତାଣ୍ଡବ ମୁହୂର୍ତକ ମଧ୍ୟରେ ପୂରା ଗାଁକୁ ଛାରଖାର କରିଦେଇଛି। ବାଦଲ ଫଟା ବର୍ଷା ପୁରା ଗାଁକୁ ନିଶ୍ଚିହ୍ନ କରିଦେଇଛି। ବର୍ଷା କମିଛି କିନ୍ତୁ ପଛରେ ଛାଡ଼ିଯାଇଛି ବିଧ୍ବଂସର କରାଳ ରୂପ। ଉତ୍ତରକାଶୀରେ ଏବେ ଖାଲି ମାଟି ଆଉ ମାଟି। ଆଉ ଏଇ ମାଟି ତଳେ ଚାପି ହୋଇଯାଇଛି ଅନେକ ଜୀବନ ଓ ଜୀବିକା। କିନ୍ତୁ ଆପଣ ହୁଏତ ଜାଣିନଥିବେ ଯେ ଏହି ପାହାଡି ଗାଁ ଦିନେ ନିଜର ସୌନ୍ଦର୍ଯ୍ୟ ପାଇଁ ସାରା ଦେଶରେ ସୃଷ୍ଟି କରିଥିଲା ଏକ ସ୍ବତନ୍ତ୍ର ପରିଚୟ। ଯାହାର କାରଣ , ଅଶୀ ଦଶକର ସୁପରହିଟ୍ ହିନ୍ଦି ଫିଲ୍ମ ରାମ୍ ତେରୀ ଗଙ୍ଗା ମୈଲୀ। ଅବସର ବିନୋଦନ ପାଇଁ ଭ୍ରମଣରେ ଯିବାକୁ ଚାହୁଁଥିବା ଲୋକଙ୍କ ପ୍ରଥମ ସାଧାରଣତଃ ସ୍ବିଜରଲାଣ୍ଡ ହୋଇଥାଏ । ହେଲେ ଆମ ଦେଶରେ ଥିବା ହର୍ଶିଲ ଘାଟି ସ୍ୱିଜରଲ୍ୟାଣ୍ଡ ଠାରୁ ବି କିଛି କମ୍ ନୁହେଁ ।
ଆଜିକାଲି କୌଣସି ସ୍ଥାନର YouTube ବ୍ଲଗ୍ ଭାଇରାଲ୍ ହେଲେ, ସେହି ସ୍ଥାନ ପ୍ରସିଦ୍ଧ ହୋଇଯାଏ। ହେଲେ 80-90 ଦଶକରେ ଏହି କାମ ଫିଲ୍ମ କରୁଥିଲା। ହର୍ଶିଲ୍ଘାଟୀ ସହିତ ମଧ୍ୟ ସେହି କଥା ଘଟିଲା। "ରାମ ତେରୀ ଗଙ୍ଗା ମୈଲୀ" ର ଶୁଟିଂ ପରେ ଏହି ଅଞ୍ଚଳ ଦୁନିଆର ନଜରକୁ ଆସିଗଲା। ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ଲାଗିଲେ । "ରାମ ତେରୀ ଗଙ୍ଗା ମୈଲୀ" ପରେ ଏଠାରେ ଆହୁରି ଅନେକ ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହୋଇଗଲା। ସାଉଥ୍ର ଅନେକ ଫିଲ୍ମ ମଧ୍ୟ ଏଠାରେ ଶୁଟ ହୋଇଥିଲା। ଯେଉଁଠି ଦିନେ କ୍ୟାମେରା ଓ କଳାକାରମାନଙ୍କର ଗହଳି ଲାଗୁଥିଲା, ସେହି ସ୍ଥାନରେ ଆଜି ଦୁଃଖ ଓ ଶୋକର ଛାୟା ।
ଯେଉଁ ସୁନ୍ଦର ଉପତ୍ୟକାରେ ଏହି ସଙ୍ଗୀତର ସ୍ୱର ଗୁଞ୍ଜରିତ ହେଉଥିଲା, ଆଜି ସେଠାରେ ଶୋକର ଛାୟା ଖେଳିଯାଇଛି। ଗୀତିକାର ଯିଏ ପର୍ବତମାଳାର ସୌନ୍ଦର୍ଯ୍ୟର ବର୍ଣ୍ଣନା କରିଥିଲେ, ସେହି ସ୍ଥାନ ହେଉଛି -ଧରାଲୀ-ହର୍ଶିଲ୍ ଘାଟୀ। ଏହା ସେଇ ହର୍ଶିଲ୍ ଘାଟୀ, ଯାହାର ସୌନ୍ଦର୍ଯ୍ୟ ପ୍ରାୟ ୪ ଦଶକ ପୂର୍ବେ ଭାରତୀୟ ସିନେମାର ଶୋ-ମ୍ୟାନ୍ ରାଜ କପୁରଙ୍କୁ ଆକର୍ଷିତ କରିଥିଲା।
‘ମନ୍ଦାକିନୀ ଫଲ୍’ ନାମ କେମିତି ପଡିଲା?
ଏହି ଅଞ୍ଚଳର ଲୋକମାନଙ୍କ ପାଇଁ "ରାମ ତେରୀ ଗଙ୍ଗା ମୈଲୀ" ଫିଲ୍ମର ଶୁଟିଂ ଏକ ଅଭୂଲା ସ୍ମତି ହୋଇ ରହିଛି। ମନ୍ଦାକିନୀଙ୍କ ସ୍ଵେତ ଶାଢୀ ପିନ୍ଧିଥିବା ସେ ସିନ୍ଟି, ତିଲଗାଡରେ ଶୁଟ୍ହୋଇଥିଲା। ଏହି ଗୀତରେ ସାଧା ଶାଡ଼ି ପିନ୍ଧିଥିବା ମନ୍ଦାକିନୀଙ୍କ ଝରଣାରେ ସ୍ନାନ କରୁଥିବା ଏକ ଦୃଶ୍ୟ ମଧ୍ୟ ଥିଲା, ଯାହା ସେହି ସମୟରେ ଖୁବ ଚର୍ଚ୍ଚା ସାଉଁଟିଥିଲା। ଫିଲ୍ମ ରିଲିଜ୍ହେବା ପରେ ସେହି ସିନ୍ଟି ଏତେ ପ୍ରସିଦ୍ଧ ହେଲା, ଯେ ଲୋକମାନେ ସେହି ଜଳପ୍ରପାତକୁ ଅଭିନେତ୍ରୀଙ୍କ ନାମରେ ‘ମନ୍ଦାକିନୀ ଫଲ୍’ ବୋଲି କୁହିବା ଆରମ୍ଭ କଲେ।
📱 Get Argus News App
✨ଶୁଟିଂ ସ୍ପଟ୍ଗୁଡିକ ବର୍ତ୍ତମାନ ପର୍ଯ୍ୟଟନ ସ୍ଥଳୀରେ ପରିଣତ
ଫିଲ୍ମରେ ଏକ ସିନ୍ ଅଛି, ଯେଉଁଠାରେ ଗଙ୍ଗା ଦୌଡି-ଦୌଡି ପୋଷ୍ଟ ଅଫିସ୍ ପାଖକୁ ଆସେ ଏବଂ ପୋଷ୍ଟମ୍ୟାନ୍ଙ୍କୁ “ନରେନ” (ନରେନ୍ଦ୍ର) ନାମର ଅର୍ଥ ପଚାରେ। ସେହି ପୋଷ୍ଟ ଅଫିସ୍ ହର୍ଶିଲ୍ରେ ଅଛି। ଏହି ଡାକଘର ପାଖାପାଖି ଫିଲ୍ମର ଅନେକ ସିନ୍ ଶୁଟ୍ ହୋଇଥିଲା। ଭାରତ ଓ ଚୀନ୍ସୀମାରେ ଥିବା ଏହି ଡାକଘର ଆଜି ମଧ୍ୟ ପର୍ଯ୍ୟଟକମାନଙ୍କ ପାଇଁ ହଟ୍ସ୍ପଟ୍।
ସୁନ୍ଦର ଉପତ୍ୟକା ଓ ମନୋରମ ଦୃଶ୍ୟ ପାଇଁ ପ୍ରସିଦ୍ଧ ଏହି ଘାଟୀ ଏବେ ପ୍ରକୃତିର ଦାଉ ସହୁଛି। ପ୍ରକୃତିର କରାଳ ରୂପ ଏହି ସ୍ୱର୍ଗ ସଦୃଶ ସ୍ଥାନକୁ ଆଜି ଶୋକର ଛାୟାରେ ଢାକିଦେଇଛି। ବିପର୍ଯ୍ୟୟ ପରେ ଏଠାରେ ଛାଇଯାଇଛି ଅସମ୍ଭବ ନିରବତା ।
ଶୋ ମ୍ୟାନ୍ ରାଜ କପୁରଙ୍କ ଫିଲ୍ମରେ ଯେ “ଗଙ୍ଗା କେ ମୈଲ୍”ର କଥା ଥିଲା, ସେଠି ଏବେ ପ୍ରକୃତିର ତାଣ୍ଡବ ପରେ ଓ ସର୍ବହରା ମଣିଷ ମାନଙ୍କ କରୁଣ ଆର୍ତ୍ତନାଦ ରାଜୁତି କରୁଛି । କେବେ "ରାମ ତେରୀ ଗଙ୍ଗା ମୈଲୀ"ରେ ଗଙ୍ଗା କାନ୍ଦିଥିଲା… ଆଜି ଧରା ପୃଷ୍ଠରେ ସେଇ କ୍ରନ୍ଦନର ପ୍ରତିଧ୍ୱନି ପୁଣି ଥରେ ଗୁଞ୍ଜରି ଉଠିଛି।