Cyclone Alert / ପାଣିପାଗ ବିଜ୍ଞାନୀଙ୍କ ଆକଳନ ବଢାଇଲା ଛନକା... ଆସିପାରେ ଆଉ ଏକ ବାତ୍ୟା

Key Points
ପାଣିପାଗ ବିଜ୍ଞାନୀଙ୍କ ଆକଳନ ବଢାଇଲା ଛନକା ।
ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ଆସିପାରେ ବୋଲି ଶରତ ସାହୁଙ୍କ ଆକଳନ ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ସୁସ୍ପଷ୍ଟ ଲଘୁଚାପରେ ପରିଣତ ।
ପୁଣି ଆସିବ କି ବାତ୍ୟା ? ପାଣିପାଗ ବିଜ୍ଞାନୀଙ୍କ ଆକଳନ ବଢାଇଲା ଛନକା । ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ସାହୁ ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ଆସିପାରେ ବୋଲି ଆକଳନ କରିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ସୁସ୍ପଷ୍ଟ ଲଘୁଚାପରେ ପରିଣତ ହୋଇଛି । ଏହା କ୍ରମଶଃ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ଏବଂ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେଇପାରେ । ଏହା ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳ ଆଡ଼କୁ ମୁହାଁଇବ ।
ଆସନ୍ତା ୨ ତାରିଖ ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେଇପାରେ । ୨ ତାରିଖ ବିଳମ୍ବିତ ରାତି କିମ୍ବା ୩ ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ତେବେ ଏହା ଅତି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା କମ୍ ରହିଛି ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ । ଏହି ପାଣିପାଗ ପ୍ରଣାଳୀ ସିଧାସଳଖ ଓଡ଼ିଶା ଆଡ଼କୁ ଆସୁନଥିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ ।
ଆସନ୍ତା ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ।
ସେହିପରି ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଆଦି ଜିଲ୍ଲାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି । ତେବେ ଏହି ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ନାହିଁ । ୫ ତାରିଖ ସୁଦ୍ଧା ବର୍ଷାର ପ୍ରଭାବ କମିଯିବା ସମ୍ଭାବନା ରହିଛି ।
ଆସନ୍ତା ୮ରୁ ୯ ତାରିଖରୁ ରାଜ୍ୟରେ ଶୀତର ପ୍ରଭାବ ପଡ଼ିବ । ଧୀରେ ଧୀରେ ବଢ଼ିବ ଶୀତ । ଲଘୁଚାପ ପ୍ରଭାବରେ ବାୟୁମଣ୍ଡଳକୁ ଜଳୀୟବାଷ୍ପ ପ୍ରବେଶ କରୁଥିବାରୁ ଶୀତର ପ୍ରକୋପ କିଛିଟା କମିପାରେ । ଆସନ୍ତା ୮ରୁ ୯ ତାରିଖ ପରଠାରୁ ରାଜ୍ୟରେ ଶୀତର ପ୍ରଭାବ ଧୀରେ ଧୀରେ ବଢ଼ିବା ସମ୍ଭାବନା ରହିଛି ।
ସେପଟେ ଓଡ଼ିଶା ଓ ଆନ୍ଧ୍ରରେ ଛାରଖାର ପରେ ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅର୍ଣ୍ଣବ । ଏହା ଦୁର୍ବଳ ହେବା ସହ ଏହାର ଅବଶିଷ୍ଟାଂଶ ଆଜି ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ପୂର୍ବ ମଧ୍ୟପ୍ରଦେଶରେ ଏକ ଲଘୁଚାପ କ୍ଷେତ୍ରରେ ସକ୍ରିୟ ରହିଛି । ଓଡ଼ିଶା ଉପରୁ ‘ଅର୍ଣ୍ଣବ’ ବିପଦ ଟଳିଥିଲେ ସୁଦ୍ଧା ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।
📱 Get Argus News App
✨Related Topics
Explore more stories