ଆସୁଛି ଆଉ ଏକ ବଡ଼ ଲଘୁଚାପ: ୧୨ରୁ ପ୍ରବଳ ବର୍ଷିବ

Key Points
ରାଜ୍ୟରେ ଏବେ ବର୍ଷା ପ୍ରକୋପ କମ୍ ଅଛି
ଆସନ୍ତା ଦୁଇଦିନ ବି ବିଶେଷ ବର୍ଷା ସମ୍ଭାବନା ନାହିଁ
ଲଘୁଚାପ ପ୍ରଭାବରେ ୧୨ରୁ ବର୍ଷା ବଢ଼ିପାରେ
୧୨ରୁ ୧୪ ଯାଏ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ଆସନ୍ତା ୧୩ ଅଗଷ୍ଟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ଏହି ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି।
ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି, ଯେଉଁଠାରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ଏହା ସହିତ ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲା ପାଇଁ ମଧ୍ୟ ୟେଲୋ ଆଲର୍ଟ ଜାରି ହୋଇଛି। ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ୧୨ ଓ ୧୩ ଅଗଷ୍ଟ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ରାଜ୍ୟରେ ଗତ କିଛିଦିନ ହେବ ବର୍ଷା କମିଯାଇଛି। ୯ ଜିଲ୍ଲାରେ ମୌସୁମୀ ବର୍ଷା ନିଅଣ୍ଟିଆ ଅଛି । ଅନ୍ୟପଟେ ଖରା ବଢ଼ିବା ସହ ତାପମାତ୍ରା ଓ ଗୁଳୁଗୁଳି ବି ଅଧିକ ରହୁଛି। ଶନିବାର ବୌଦ୍ଧ ତାପମାତ୍ରା ୩୬.୨ ଡିଗ୍ରୀ ସେଲସିୟସ୍ ଥିବାବେଳେ ଛତ୍ରପୁର ୩୫.୭, ସମ୍ବଲପୁର ୩୫.୪, ଚାନ୍ଦବାଲି ୩୫, କଟକ ୩୪.୮, ଭୁବନେଶ୍ୱର ୩୪.୬, ଭବାନୀପାଟଣା ୩୪.୬, ଭଦ୍ରକ ୩୪.୫, ଟିଟିଲାଗଡ଼ ୩୪.୫, ଗୋପାଳପୁର ୩୪ ଓ ଜଗତସିଂହପୁର ୩୪ ଡିଗ୍ରୀ ସେଲସିୟସ୍ ଥିଲା। ଦିନ ଭିତରେ କୋରାପୁଟରେ ୧୫.୨ ମିଲିମିଟର ବର୍ଷା ହୋଇଥିବାବେଳେ କାଁ ଭାଁ ହାଲୁକା ବର୍ଷା ହୋଇଛି । ଆର୍ଦ୍ରତା ପରିମାଣ ବାୟୁମଣ୍ଡଳରେ ଅଧିକ ରହୁଛି। ତଥାପି ବର୍ଷା ବିଶେଷ ହେଉନି।
ପୂର୍ବାନୁମାନ ହେଲା, ଆସନ୍ତା ଦୁଇଦିନ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ। ଅଳ୍ପ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ଆଉ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ଆସନ୍ତା ୧୩ ତାରିଖ ବେଳକୁ ଉତ୍ତର-ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ବର୍ଷା ପରିମାଣ ୧୨ରୁ ବଢ଼ିବା ସମ୍ଭାବନା ଅଛି ।
୧୨ରୁ ୧୪ ଯାଏ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ । ୧୨ରେ ମାଲକାନଗିରି ଓ କୋରାପୁଟର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ବହୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଆଶଙ୍କା ରହିଛି। ୧୩ରେ ମାଲକାନଗିରି, କୋରାପୁଟରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଥିବାବେଳେ ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇପାରେ । ୧୪ରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୧୫ରୁ ବଡ଼ ବର୍ଷା ସମ୍ଭାବନା ନାହିଁ ।
ରାଜ୍ୟର ୯ଟି ଜିଲ୍ଲାରେ ବର୍ଷା ଅଭାବ ସ୍ଥିତି ରହିଛି । ଗଜପତିରେ ୪୦%, ପୁରୀରେ ୩୭%, ରାୟଗଡ଼ାରେ ୩୪%, କଳାହାଣ୍ଡିରେ ୩୩%, ଗଞ୍ଜାମରେ ୨୮%, ଖୋର୍ଦ୍ଧାରେ ୨୩%, ନବରଙ୍ଗପୁରରେ ୨୪%, ବଲାଙ୍ଗିରରେ ୨୪%, ନୂଆପଡ଼ାରେ ୨୨% ବର୍ଷା ନିଅଣ୍ଟିଆ ଅଛି । ବର୍ତ୍ତମାନ ସ୍ୱାଭାବିକ ବର୍ଷା ତାଲିକାରେ ଥିବା ଯାଜପୁର, କନ୍ଧମାଳ, ଢେଙ୍କାନାଳ, ନୟାଗଡ଼, କଟକ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ ଆଦି ଜିଲ୍ଲାରେ ଆଗକୁ ଭଲ ବର୍ଷା ନହେଲେ ନିଅଣ୍ଟିଆ ସ୍ଥିତି ଉପୁଜିପାରେ । ସମ୍ଭାବ୍ୟ ଲଘୁଚାପ ବର୍ଷା ଉପରେ ରାଜ୍ୟବାସୀ ଆଶା ଭରସା କରି ରହିଛନ୍ତି।