Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

ଲଘୁଚାପ ବର୍ଷା ଯୋଗୁଁ ବେହାଲ୍ ରାଜ୍ୟର ବିଭିନ୍ନ ସ୍ଥାନ

Smruti Parija
Browse all articles by Smruti Parija
·10 months ago·2 min read
ଲଘୁଚାପ ବର୍ଷା ଯୋଗୁଁ ବେହାଲ୍ ରାଜ୍ୟର ବିଭିନ୍ନ ସ୍ଥାନ

Key Points

ଗଜପତି ନାମନଗଡରେ ପାହାଡ଼ରୁ ଧସିଲା ମାଟି ଅତଡ଼ା
କଳାହାଣ୍ଡି ଚାନ୍ଦଗିରି ନାଳରେ ହଠାତ୍ ପାଣି ଆସିବାରୁ ଫସିଲେ ଯୁବତୀ
ବୈତରଣୀରେ ଆସିଲା ପୁଣି ବନ୍ୟା

ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ବର୍ଷା ଯୋଗୁ ନାହିଁ ନଥିବା ହୀନସ୍ତା ହେଉଛନ୍ତି ଲୋକେ । ସବୁଠୁ ଅଧିକ ପ୍ରଭାବିତ ହୋଇଛି ବାଲେଶ୍ବର ସହର । ବର୍ଷା ଜଳର ନିଷ୍କାସନ ହୋଇପାରୁନି। ୩ ଦିନ ଧରି ଜଳ ବନ୍ଦୀ ଅବସ୍ଥାରେ ସହରବାସୀ । ସହରରେ ଅନେକ ଘରେ ବର୍ଷାଜଳ ପଶିଛି । ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଲୋକେ । କେଉଁଠି ସପିଂ ମଲ୍‌ରେ ବର୍ଷା ଜଳ ପଶିଛି ତ ଆଉ କେଉଁଠି ପୋଷ୍ଟ ଅଫିସରେ । ଏବେ ବି ସହରର ପ୍ରମୁଖ ସ୍ଥାନ ବାଲିଆଛକ, ନୁଆ ସାହି, ଗୁଡିପଦା, ଭାସ୍କରଗଞ୍ଜ, ତଳସାହି, ଏକତା ନଗର, ଲୋକନାଥ କଲୋନୀ ଆଦି ଅଞ୍ଚଳରେ ବର୍ଷା ଜଳ ଲହଡି ମାରୁଛି । ସେପଟେ ଉଚ୍ଛୁଳୁଛି ବୁଢାବଳଙ୍ଗ । ଗାଁରେ ପଶିଛି ନଦୀର ପାଣି । ବାଲେଶ୍ବର ବଲିଘାଟ- ପରିକ୍ଷୀ ମୁଖ୍ୟ ରାସ୍ତାରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ସଦର ବ୍ଲକର ୫ ପଞ୍ଚାୟତ ପ୍ରଭାବିତ ହେବା ଅଶଙ୍କା ରହିଛି ।

ବର୍ଷା ଯୋଗୁଁ ବ୍ରିଜ୍ ତଳେ ପ୍ରବଳ ପାଣି ସ୍ରୋତରେ ଫସିଲେ ଦୁଇ ଯୁବତୀ । କଳାହାଣ୍ଡି ଜିଲ୍ଲା ଥୁଆମୁଳରାମପୁର ବ୍ଳକ ଅଡ୍ରି ନିକଟସ୍ଥ ଚାନ୍ଦଗିରି ନାଳରେ ଘଟିଛି ଘଟଣା । ପ୍ରବଳ ବର୍ଷା ହେବାରୁ ଚାନ୍ଦଗିରି ନାଳରେ ହଠାତ୍ ପାଣି ଆସିଥିଲା । ଏହି ସମୟରେ ବଡବଫଲା ଗାଁର ଦୁଇ ଯୁବତୀ ବର୍ଷା ଯୋଗୁଁ ବ୍ରିଜ୍ ତଳେ ଆଶ୍ରୟ ନେଇଥିବାବେଳେ ପାଣି ମଝିରେ ଫସି ଯାଇଥିଲେ । ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।

ବର୍ଷା ଯୋଗୁଁ ପାହାଡ଼ରୁ ଧସିଛି ମାଟି ଅତଡ଼ା । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ନାମନଗଡ ପଞ୍ଚାୟତର ଏହି ଦୃଶ୍ୟକୁ ଦେଖନ୍ତୁ। ଗତ ଦୁଇ ଦିନ ଧରି ଲଗାତାର ବର୍ଷା ଲାଗି ରହିଥିବାରୁ ସକାଳୁ ମାଟି ଅତଡ଼ା ଧସି ଅଜୟଗଡ଼ ପଞ୍ଚାୟତକୁ ଯାତାୟତ ଠପ୍ ହୋଇଛି । ୧୦ରୁ ଅଧିକ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ବୈତରଣୀରେ ଆସିଛି ବନ୍ୟା । ଗତ ତିନି ମାସରେ ବୈତରଣୀରେ ଏହା ତୃତୀୟ ବନ୍ୟା । ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । 14 ବ୍ଲକରେ 100 ମିମିରୁ ଅଧିକ ଓ 42 ବ୍ଲକରେ 50 ମିମିରୁ ଅଧିକ ବର୍ଷା ହୋଇଛି । ଯାହା ପ୍ରବଳରୁ ଅତି ପ୍ରବଳ । ଉପର ମହାନଦୀ, ବୈତରଣୀ, ବୁଢାଵଳଙ୍ଗ ଓ ବୈତରଣୀରେ ବହୁତ ବର୍ଷା ହୋଇଛି । କେବଳ ବୈତରଣୀରେ ଛୋଟ ବନ୍ୟା ଅଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ହୀରାକୁଦରେ 10 ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଆବଶ୍ୟକ ପଡିଲେ, ଆହୁରି ଗେଟ ଖୋଲା ହେବ । ଜଳସ୍ତର ବୃଦ୍ଧି ହେବ, ହେଲେ ମହାନଦୀରେ ବନ୍ୟା ଆସିବ ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
balasore-city-has-been-waterlogged-for-three-days | Argus News