ପୁଣି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ

Key Points
ଆହୁରି ୫ ଦିନ ପ୍ରବଳ ବର୍ଷା
ପୁଣି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ
ଆଜି ପାଇଁ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ,
ପାଇଁ କଳାହାଣ୍ଡି, କନ୍ଧମାଳ ଓ କୋରାପୁଟକୁ ଅରେଞ୍ଜ ଆଲର୍ଟ ଜାରି
ମୌସୁମୀ ଟ୍ରପ ପ୍ରଭାବରେ ଆହୁରି ୫ ଦିନ ପର୍ଯ୍ୟନ୍ତ ବର୍ଷା ଆଶଙ୍କା ଥିବା ବେଳେ ପୁଣି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଯାହାକୁ ନେଇ ରାଜ୍ୟରେ ବଢିବ ବର୍ଷା। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଭିନ୍ନ ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ହେବାର ଆଶଙ୍କା ରହିଛି । ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ନେଇ ଆସନ୍ତା ୩ ତାରିଖ ଯାଏଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଆଜି ପାଇଁ ୨୧ ଜିଲ୍ଲାକୁ ୟୋଲୋ ଆଲର୍ଟ ସହିତ କଳାହାଣ୍ଡି, କନ୍ଧମାଳ ଓ କୋରାପୁଟକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ୩ ତାରିଖ ପାଇଁ ୨୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଥିବା ବେଳେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ।
ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ରବିବାର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସୋମବାର ବା ମଙ୍ଗଳବାର ସୁଦ୍ଧା ଏହା ଲଘୁଚାପ ରୂପ ନେବ । ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳରେ ଏହି ବଙ୍ଗୋପସାଗର କେନ୍ଦ୍ରୀଭୂତ ହେବ । ଏହା ତିନି ଦିନ ଯାଏ ସେହି ସ୍ଥାନରେ ରହିବ । ୪ ତାରିଖରେ ଦୁର୍ବଳ ହୋଇ ୫ ଓ ୬ ତାରିଖରେ ଓଡ଼ିଶା ଉପକୂଳ ପାଖରେ ପହଞ୍ଚିବ । ୩ ତାରିଖ ଯାଏ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ୧୫ରୁ ୨୫ମିମି ଯାଏଁ ବର୍ଷା ହେବ। ସମ୍ବଲପୁରଠାରୁ କଳାହାଣ୍ଡି ଯାଏ ୧୫ମିମି ଓ ଅନ୍ୟ ସ୍ଥାନରେ ୧୦ରୁ ୧୫ ମିମି ବର୍ଷା ହୋଇପାରେ ।
ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱରର କାଁ ଭାଁ ସ୍ଥାନରେ ବର୍ଷା ସମ୍ଭାବନା ଅଛି ବୋଲି ସେ ଆକଳନ କରିଛନ୍ତି । ୪ ତାରିଖରେ ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ । ୫ରେ ଉପକୂଳ ଓଡ଼ିଶାର କିଛି ସ୍ଥାନ ସମେତ ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ୬ରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୭ରେ ବର୍ଷା କମିଯିବ । ଏବେ ଧାନରେ ୟୁରିଆ ଶୀର୍ଷ ସାର ପ୍ରୟୋଗ କରନ୍ତୁ । ୟୁରିଆ କମିଗଲେ ଗଛ ବଢ଼ିବା କମିଯିବ। ବର୍ଷା ହେଲେ କିଆରୀ ବାନ୍ଧି ରଖିବାକୁ ପ୍ରଫେସର ପଶୁପାଳକ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ।