Air Pollution / ଶୀତ ବଢ଼ିବା ସହ ବଢ଼ୁଛି ବାୟୁ ପ୍ରଦୂଷଣ, ଭୁବନେଶ୍ୱରରେ AQI ୧୫୨

Key Points
ତିନି ଦିନରେ ଦ୍ରୁତ ଖସିଲା ବାୟୁ ଗୁଣବତ୍ତା
୭୧ରୁ ବଢ଼ି ଭୁବନେଶ୍ୱରର AQI ୧୫୨
ରାଜଧାନୀରେ ବଢ଼ୁଛି ବାୟୁ ପ୍ରଦୂଷଣ ଚିନ୍ତା
ଭୁବନେଶ୍ୱର: ଶୀତର ଆଗମନ ସହ ଧୀରେ ଧୀରେ ବଦଳୁଛି ରାଜଧାନୀ ଭୁବନେଶ୍ୱରର ପାଣିପାଗ । ସକାଳୁ ସକାଳୁ କୁହୁଡ଼ିର ଚାଦର, ଦିନରେ ଥଣ୍ଡା ପବନ ଆଉ ସନ୍ଧ୍ୟାରେ ଶୀତର ଅନୁଭୂତି ଲୋକଙ୍କୁ ଶୀତର ଆଗମନର ସଙ୍କେତ ଦେଉଛି । ହେଲେ ଏହି ଶୀତୁଆ ପାଗ ଏବେ ରାଜଧାନୀବାସୀଙ୍କ ପାଇଁ ଆଉ ଏକ ନୂଆ ଚିନ୍ତା ନେଇ ଆସିଛି । ଥଣ୍ଡା ପବନ ସାଙ୍ଗକୁ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣର ମାତ୍ରା। ଯେଉଁ ସହରରେ ଜୀବନର ଗତି ସବୁବେଳେ ଦ୍ରୁତ, ସେଠାରେ ଏବେ ନିଶ୍ୱାସ ନେବାର ନିର୍ମଳତାକୁ ନେଇ ଉଠିଛି ପ୍ରଶ୍ନ । ଦିନକୁ ଦିନ ଖରାପ ହେଉଥିବା ବାୟୁର ଗୁଣବତ୍ତା ଏବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସଚେତନ ମହଲ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢ଼ାଇଛି ।
ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ସହ ରାଜଧାନୀ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ମଧ୍ୟ ଚିନ୍ତା ବଢ଼ାଇଛି । ଦିନକୁ ଦିନ ସହରର ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ, ଭୁବନେଶ୍ୱରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୧୫୨ରେ ପହଞ୍ଚିଛି । ଏହା ମଧ୍ୟମ ଶ୍ରେଣୀର ବାୟୁ ପ୍ରଦୂଷଣ ଅନ୍ତର୍ଗତ ହୋଇଥିଲେ ମଧ୍ୟ ପ୍ରଦୂଷଣର ବଢ଼ୁଥିବା ଧାରା ଚିନ୍ତାର କାରଣ ପାଲଟିଛି ।
ଗତ ତିନି ଦିନର AQI ତଥ୍ୟକୁ ଦେଖିଲେ ସହରର ବାୟୁ ଗୁଣବତ୍ତାରେ ଦ୍ରୁତ ଅବନତି ହୋଇଥିବା ସ୍ପଷ୍ଟ ହେଉଛି । ଗତ ୨୫ ତାରିଖରେ ଭୁବନେଶ୍ୱରର AQI ୭୧ ରହିଥିବା ବେଳେ ୨୬ ତାରିଖରେ ଏହା ବୃଦ୍ଧି ପାଇ ୯୯ରେ ପହଞ୍ଚିଥିଲା । ତେବେ ଶୁକ୍ରବାର ଏହା ଆହୁରି ବଢ଼ି ୧୫୨ ଛୁଇଁଛି । ମାତ୍ର ତିନି ଦିନ ମଧ୍ୟରେ AQI ରେ ଏହି ବୃଦ୍ଧି ସହରବାସୀଙ୍କ ପାଇଁ ଚିନ୍ତା ବଢ଼ାଇଛି ।
ପାଣିପାଗରେ ପରିବର୍ତ୍ତନ ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ତାପମାତ୍ରା କମିବା ସହ ପବନର ବେଗ ଧୀର ହେଉଥିବାରୁ ବାୟୁମଣ୍ଡଳରେ ଥିବା ପ୍ରଦୂଷିତ କଣିକା ସହଜରେ ଦୂରେଇ ଯାଇପାରୁନାହିଁ । ଫଳରେ ଏହି କଣିକା ଅଧିକ ସମୟ ଧରି ବାୟୁମଣ୍ଡଳରେ ଜମା ହୋଇ ରହୁଛି ଏବଂ ବାୟୁର ଗୁଣବତ୍ତା ପ୍ରଭାବିତ ହେଉଛି ।
ଶୀତ ଦିନରେ ବାୟୁ ପ୍ରଦୂଷଣ ବୃଦ୍ଧି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଚିନ୍ତାଜନକ । ବିଶେଷକରି ଶିଶୁ, ବୟସ୍କ ଓ ଶ୍ୱାସକ୍ରିୟା ସମସ୍ୟା ଥିବା ଲୋକମାନେ ସତର୍କ ରହିବା ଆବଶ୍ୟକ । ଆଗାମୀ ଦିନରେ ଶୀତ ଓ ପବନର ବେଗ କିପରି ରହୁଛି, ତାହା ଉପରେ ରାଜଧାନୀର ବାୟୁ ଗୁଣବତ୍ତା ନିର୍ଭର କରିବ ।
📱 Get Argus News App
✨Related Topics
Explore more stories