Weather Update / ରାଜ୍ୟକୁ ପୁଣି ଫେରିଛି ଶୀତ: କିଛି ଅଞ୍ଚଳରେ ଘନ କୁହୁଡ଼ି

Key Points
ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା ।
ଦୁଇ ତିନି ଦିନ ହେବ ତାପମାତ୍ରାରେ କ୍ରମାଗତ ହ୍ରାସ ଫଳରେ ଥଣ୍ଡାର ପ୍ରଭାବ ବୃଦ୍ଧି ପାଇଛି ।
ରାଜ୍ୟକୁ ପୁଣି ଫେରିଛି ଶୀତ । ଦୁଇ ତିନି ଦିନ ହେବ ତାପମାତ୍ରାରେ କ୍ରମାଗତ ହ୍ରାସ ଫଳରେ ଥଣ୍ଡାର ପ୍ରଭାବ ବୃଦ୍ଧି ପାଇଛି । ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା ।
ରାଜ୍ୟର ୫ ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିବା ବେଳେ ଦାରିଙ୍ଗବାଡ଼ି ଓ ଫୁଲବାଣୀର ରାତି ପାରଦ ୮.୫ ଡିଗ୍ରିକୁ ଖସିଛି। ସେହିଭଳି ଗୁରୁବାର ରାତିରେ ଝାରସୁଗୁଡ଼ାରେ ୯.୨ ଡିଗ୍ରି, ଅନୁଗୁଳର ୯.୬ ଡିଗ୍ରି ଓ ଭବାନୀପାଟଣାରେ ୯.୮ ଡିଗ୍ରି ରାତ୍ରି ତାପମାତ୍ରା ରହିଥିଲା। ଅନ୍ୟପଟେ କୋରାପୁଟରେ ୧୦ ଡିଗ୍ରି, ରାଉରକେଲାରେ ୧୦.୧ ଡିଗ୍ରି, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ୧୧.୨ ଡିଗ୍ରି, କେନ୍ଦୁଝରରେ ୧୧.୮ ଡିଗ୍ରି ଓ ଢେଙ୍କାନାଳରେ ୧୨ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରହିଥିଲା।
ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହା ସହିତ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିବ । ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁର ପ୍ରବାହ ଅଧିକ ରହୁଛି ।
ଆଜି ସକାଳୁ ଦକ୍ଷିଣ ଓଡ଼ିଶାର ସୋନପୁର ଓ କନ୍ଧମାଳ ଜିଲ୍ଲାର କିଛି କିଛି ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଓଡ଼ିଶାରେ ପାଗ ଶୁଖିଲା ଓ ଆକାଶ ନିର୍ମଳ ରହିଥିବା ବେଳେ ରାଜ୍ୟର କିଛି କିଛି ସ୍ଥାନର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ଅନ୍ୟ କୌଣସି ସ୍ଥାନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଘଟିନାହିଁ ।
ଅନ୍ୟପଟେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ତାପମାତ୍ରା ସ୍ଵାଭାବିକଠାରୁ ପ୍ରାୟ ୬ ଡିଗ୍ରି କମ୍ ରହିଥିଲା। ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ୩ରୁ ୫ ଡିଗ୍ରି କମ୍ ଥିଲା। ଉତ୍ତର ଓଡ଼ିଶାର କିଛି ସ୍ଥାନରେ ୨ରୁ ୩ ଡିଗ୍ରି କମ୍ ଥିଲା ଓ ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ତାପମାତ୍ରା ସ୍ଵାଭାବିକ ରହିଥିଲା।
ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ସକାଳୁ ହାଲୁକା କୁହୁଡ଼ି ପଡ଼ିପାରେ । ଆକାଶ ନିର୍ମଳ ରହିବ। ସର୍ବନିମ୍ନ ରାତି ତାପମାତ୍ରା ୧୪ ଡିଗ୍ରି ମଧ୍ୟରେ ରହିପାରେ। ଶ୍ରୀଲଙ୍କା ଉପକୂଳ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳ ଉପରେ ରହିଥିବା ବାତ୍ୟା ‘ଡିଟ୍ୱା’ ଧୀରେଧୀରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆଜି ସେହି ଅଞ୍ଚଳରେ ହିଁ ରହିଥିଲା । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ନିଜ ଗତି ଜାରି ରଖି ଶ୍ରୀଲଙ୍କା ଉପକୂଳ ଓ ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଦେଇ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୩୦ ତାରିଖ ଭୋର୍ ସୁଦ୍ଧା ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଆକଳନ କରାଯାଉଛି ।
📱 Get Argus News App
✨Related Topics
Explore more stories