Videos
|
Weather-calamities

Rain Alert / ବଦଳିଲା ପାଗ: ଦିଲ୍ଲୀ-NCR ସମେତ ୧୨ଟି ରାଜ୍ୟରେ ବର୍ଷା ଆଲର୍ଟ, ବଢ଼ିବ ଶୀତ

Rashmita Mishra
Browse all articles by Rashmita Mishra
·29 mins ago·2 min read
ବଦଳିଲା ପାଗ: ଦିଲ୍ଲୀ-NCR ସମେତ ୧୨ଟି ରାଜ୍ୟରେ ବର୍ଷା ଆଲର୍ଟ, ବଢ଼ିବ ଶୀତ
Rain Alert

Key Points

ବଦଳିଲା ପାଗ ୧୨ ରାଜ୍ୟକୁ ୟେଲୋ ଆଲର୍ଟ । 
ବଦଳିଲା ପାଗ: ଦିଲ୍ଲୀ-NCR ସମେତ ୧୨ଟି ରାଜ୍ୟରେ ବର୍ଷା ଆଲର୍ଟ, ବଢ଼ିବ ଶୀତ

ବାତ୍ୟାର ପ୍ରଭାବରେ କରୱା ଚୌଥ ଦିନ ଦିଲ୍ଲୀ-NCRର ପାଗରେ ହଠାତ୍ ପରିବର୍ତ୍ତନ ଦେଖାଦେଇଛି । ଆଜି ସକାଳୁ କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଥିବା ବେଳେ ଆଉ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଆକାଶରେ ଘନ ବାଦଲ ଛାଇ ରହିବା ସହ ଥଣ୍ଡା ପବନ ବହୁଥିବାରୁ ପାଗରେ ଶୀତଳତା ଅନୁଭୂତ ହେଉଛି ।

ଭାରତୀୟ ପାଣିପାଗ ବିଭାଗ (IMD) ଆଜି ଦିଲ୍ଲୀ ସମେତ ୧୨ଟି ରାଜ୍ୟ ପାଇଁ ବର୍ଷାର ୟେଲୋ ଆଲର୍ଟ ଜାରି କରିଛି । ଆଜି ଦିନସାରା ଆକାଶ ମେଘୁଆ ରହିବା ସହ ସନ୍ଧ୍ୟା ସୁଦ୍ଧା କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇବା ସହ ଦିଲ୍ଲୀ-NCRରେ ଶୀତର ଆଗମନ ହୋଇପାରେ ।

ଉତ୍ତର ଭାରତରେ କିପରି ରହିବ ପାଗ ?
IMDର ପୂର୍ବାନୁମାନ ଅନୁସାରେ, ଅକ୍ଟୋବର ୨୯ରୁ ୩୧ ତାରିଖ ମଧ୍ୟରେ ପୂର୍ବ ଉତ୍ତରପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ ଓ ଦିଲ୍ଲୀରେ ବର୍ଷା ହୋଇପାରେ । କେତେକ ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ଏବଂ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।

ପୂର୍ବାଞ୍ଚଳ ଉତ୍ତରପ୍ରଦେଶର ଗୋରଖପୁର, ବାରାଣସୀ ଓ ବସ୍ତି ମଣ୍ଡଳରେ ଅକ୍ଟୋବର ୩୧ରୁ ନଭେମ୍ବର ୨ ତାରିଖ ମଧ୍ୟରେ ଭଲ ବର୍ଷା ହୋଇପାରେ । ସେହିପରି ପଶ୍ଚିମ ରାଜସ୍ଥାନରେ ଅକ୍ଟୋବର ୨୯ ଓ ୩୦ ତାରିଖରେ ବର୍ଷା ହେବାର ଆଶଙ୍କା ରହିଛି । ଏହି ପାଣିପାଗ ପରିବର୍ତ୍ତନ ଯୋଗୁଁ ଉତ୍ତର ଭାରତରେ ଶୀତର ପ୍ରଭାବ ବଢ଼ିପାରେ ।

ବିହାର ଓ ଝାଡ଼ଖଣ୍ଡରେ ଜାରି ରହିବ ବର୍ଷା
ଘୂର୍ଣ୍ଣିବାତ୍ୟାର ପ୍ରଭାବରେ ବିହାର ଓ ଝାଡ଼ଖଣ୍ଡରେ ବର୍ଷା ଜାରି ରହିଛି । IMD ଅନୁସାରେ, ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହି ଦୁଇ ରାଜ୍ୟରେ ପାଗରେ ବିଶେଷ ସୁଧାର ହେବାର ସମ୍ଭାବନା କମ୍ । ପଶ୍ଚିମବଙ୍ଗରେ ମଧ୍ୟ ଘଡ଼ଘଡ଼ି ଓ ଝଡ଼ବର୍ଷା ସହ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପବନ ବହିପାରେ । ଝାଡ଼ଖଣ୍ଡରେ ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ଅନ୍ୟପଟେ, ଓଡ଼ିଶାରେ ଆଜି ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ରହିପାରେ ।

ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବର୍ଷା ସହ ବରଫପାତ ଆଶଙ୍କା
ଜମ୍ମୁ-କଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ପ୍ରବଳ ବର୍ଷା ହୋଇପାରେ । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର କେତେକ ସ୍ଥାନରେ ଝଡ଼ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି । ପାହାଡ଼ିଆ ଅଞ୍ଚଳରେ ବରଫପାତ ମଧ୍ୟ ହୋଇପାରେ ।

ଜମ୍ମୁ-କଶ୍ମୀରର ଡୋଡା, ଭଦ୍ରବାହ, କିସ୍ତୱାଡ଼, ପୁଲୱାମା ଓ ଅନନ୍ତନାଗ ଅଞ୍ଚଳ ପାଇଁ ବର୍ଷା ସତର୍କତା ଜାରି କରାଯାଇଛି । ହିମାଚଳ ପ୍ରଦେଶର ଚମ୍ବା, ମନାଲି, ଶିମଲା ଓ କୁଲ୍ଲୁ ଅଞ୍ଚଳରେ ବର୍ଷା ସହ ବରଫପାତ ହେବାର ସମ୍ଭାବନା ରହିଛି । ସେହିପରି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ, ପିଥୋରାଗଡ଼ ଓ ଚମୋଲି ସମେତ ଅନେକ ପାହାଡ଼ିଆ ଅଞ୍ଚଳରେ ବର୍ଷା ଓ ବରଫପାତ ହୋଇପାରେ ।

ପାଣିପାଗର ଏହି ପରିବର୍ତ୍ତନ ଯୋଗୁଁ ଉତ୍ତର ଭାରତର ଅନେକ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇବା ସହ ଶୀତର ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି । ତେଣୁ ବର୍ଷା, ଝଡ଼ବର୍ଷା ଓ ପାହାଡ଼ିଆ ଅଞ୍ଚଳରେ ସମ୍ଭାବ୍ୟ ବରଫପାତକୁ ଦୃଷ୍ଟିରେ ରଖି ଲୋକମାନେ ସତର୍କ ରହିବା ଆବଶ୍ୟକ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: