Odisha weather / ଓଡ଼ିଶାରେ ବଢ଼ିବ ଶୀତର ପ୍ରକୋପ, ୨ ଦିନରେ ୨ରୁ ୩ ଡିଗ୍ରୀ ଖସିବ ରାତି ତାପମାତ୍ରା

Key Points
ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ
ରାଉରକେଲା ଓ କୋରାପୁଟରେ ଦେଖାଦେଇଛି ଘନ କୁହୁଡ଼ି
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ବଢ଼ିବ ଶୀତର ପ୍ରକୋପ । ଆଗାମୀ ୨ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି । ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତର ଅନୁଭୂତି ଆହୁରି ବଢ଼ିବ । ତେବେ ଆଗାମୀ ୭ ଦିନ ଯାଏଁ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଅନ୍ୟପଟେ ରାଜ୍ୟରେ ଘନ କୁହୁଡ଼ିର ପ୍ରଭାବ ଧୀରେ ଧୀରେ କମିବାର ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ଘନ କୁହୁଡ଼ିର ବିଶେଷ ଆଶଙ୍କା ନଥିଲେ ମଧ୍ୟ ୮ଟି ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇପାରେ । ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ଅନୁଗୋଳ ।
ଗତ ୨୪ ଘଣ୍ଟାର ପାଣିପାଗ ରେକର୍ଡ ଅନୁଯାୟୀ, ରାଉରକେଲା ଓ କୋରାପୁଟର କିଛି ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହୋଇଛି । ତାପମାତ୍ରା କ୍ଷେତ୍ରରେ ଝାରସୁଗୁଡ଼ାରେ ସମତଳ ଅଞ୍ଚଳର ସର୍ବନିମ୍ନ ୧୧.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ପାହାଡ଼ିଆ ଅଞ୍ଚଳ ଜି. ଉଦୟଗିରିରେ ପାରଦ ୮.୬ ଡିଗ୍ରୀକୁ ଖସିଛି । ଭୁବନେଶ୍ୱରରେ ୧୬.୪ ଡିଗ୍ରୀ ଓ କଟକରେ ୧୫.୨ ଡିଗ୍ରୀ ସେଲସିୟସ୍ ସର୍ବନିମ୍ନ ତାପମାତ୍ରା ରହିଛି ।
ଏପଟେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏଯାଏଁ ଏହି ସିଷ୍ଟମ୍ ସୃଷ୍ଟି ହୋଇନଥିବାରୁ ଓଡ଼ିଶା ଉପରେ ଏହାର ପ୍ରଭାବ କିପରି ରହିବ, ତାହା ସ୍ପଷ୍ଟ ହୋଇନାହିଁ । ପାଣିପାଗ ବିଭାଗ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଉପରେ ନଜର ରଖିଛି । ପରବର୍ତ୍ତୀ ସମୟରେ ଏନେଇ ସ୍ପଷ୍ଟ ଆକଳନ ଓ ସତର୍କ ସୂଚନା ଜାରି କରାଯିବ ।
ଖସୁଛି ପାରଦ, ବଢ଼ୁଛି ଶୀତ
ରାଜଧାନୀରେ ପ୍ରଥମ ଥର ପାଇଁ ୧୫ ଛୁଇଁଲା ପାରଦ
ଝାରସୁଗୁଡା ୧୦.୮°C, ରାଉରକେଲା ୧୨.୩°,
କେନ୍ଦୁଝରରେ ୧୩.୦° ରେକର୍ଡ
ଆଗାମୀ ୨ ଦିନରେ ଆହୁରି ଖସିବ ରାତି ତାପମାତ୍ରା
ସମ୍ବଲପୁର ୧୩.୮°C
ବାଲେଶ୍ୱର ୧୫.୦°C
ଭୁବନେଶ୍ୱର ୧୫.୫°C
ହୀରାକୁଦ ୧୫.୬°C ତାପମାତ୍ରା ରେକର୍ଡ ହୋଇଛି
ଶୀତ ବଢ଼ିବା ସହିତ ରାଜଧାନୀ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଭୁବନେଶ୍ୱରର ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ୧୫୨ରେ ପହଞ୍ଚିଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ରେକର୍ଡ ତଥ୍ୟ ଆଧାରରେ ସହରର AQI ୧୫୨ ରେକର୍ଡ କରାଯାଇଛି, ଯାହା ମଧ୍ୟମ ଶ୍ରେଣୀରେ ରହିଛି । ଗତ ୨୫ ତାରିଖରେ AQI ୭୧ ଥିବା ବେଳେ ୨୬ ତାରିଖରେ ଏହା ୯୯ ଏବଂ ଶୁକ୍ରବାର ୧୫୨ ଛୁଇଁଛି । ଅର୍ଥାତ୍ ଗତ ତିନି ଦିନରେ ବାୟୁର ମାନ ଦ୍ରୁତ ଗତିରେ ତଳକୁ ଖସିଛି । ତାପମାତ୍ରା କମିବା ସହ ପବନର ବେଗ ଧୀର ହେଉଥିବାରୁ ବାୟୁମଣ୍ଡଳରେ ପ୍ରଦୂଷିତ କଣିକା ଅଧିକ ସମୟ ଲାଗି ରହୁଛି ।
📱 Get Argus News App
✨Related Topics
Explore more stories