Heavy Rain / ୨୪ ଘଣ୍ଟାରେ ମାଡ଼ି ଆସୁଛି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Key Points
ବୈତରଣୀ-ସାଳନ୍ଦୀରେ ବନ୍ୟା ସ୍ଥିତି ଗମ୍ଭୀର, ଅନେକ ଗାଁ ଜଳମଗ୍ନ
ଓଡ଼ିଶାରେ ୨୨ ଯାଏଁ ବର୍ଷା, ସମୁଦ୍ର ଅଶାନ୍ତ; ମତ୍ସ୍ୟଜୀବୀଙ୍କୁ ବାରଣ
ପ୍ରବଳ ବର୍ଷାରେ ବଢୁଛି ନଦୀ ଜଳସ୍ତର, ରାସ୍ତା ଉପରେ ୪ ଫୁଟ ବନ୍ୟା ପାଣି
ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସଂଲଗ୍ନ ଅଞ୍ଚଳରେ ଅବପାତ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଝାଡ଼ଖଣ୍ଡ ଓ ବିହାର ଅତିକ୍ରମ କରିବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଓ ବଲାଙ୍ଗିର, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ଆଲର୍ଟ । ରାଜ୍ୟରେ ୨୨ ତାରିଖ ଯାଏଁ ବର୍ଷା ଜାରି ରହିବ ।
ଓଡ଼ିଶା ଉପକୂଳରେ ମେଘୁଆ ପାଗ ସହ ୪୫ରୁ ୫୫ କିମି ବେଗରେ ପବନ, ଏପରିକି ସର୍ବାଧିକ ୬୫ କିମି ବେଗରେ ପବନ ବହିବାର ସମ୍ଭାବନାକୁ ନେଇ ସମୁଦ୍ର ଅସାନ୍ତ ରହିବ । ତେଣୁ ଆଜି ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ସେପଟେ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ, ଗତକାଲି ଠାରୁ ଫୁଲିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର । ଏହି ଦୁଇଟି ନଦୀର ଜଳସ୍ତର ବିପଦ ସଂକେତର ବହୁ ଉର୍ଦ୍ଧରେ ପ୍ରବାହିତ ହେଉଛି । ଆଖୁଆପଦା ଆନିକଟ ଠାରେ ବୈତରଣୀ ନଦୀର ବିପଦ ସଂକେତ ୧୮.୩୩ ମିଟର ରହିଥିବା ବେଳେ ସକାଳ ୫ଟା ସୁଦ୍ଧା ୧୯.୨୬ ମିଟର ଉପରେ ପ୍ରବାହିତ ହେଉଛି ନଦୀର ଜଳସ୍ତର ।
ବୈତରଣୀ ନଦୀର ପଞ୍ଚମ ବନ୍ୟା ଜଳ କଣ୍ଟିଏସ୍କକେଫ ଦେଇ ଜନବସତିକୁ ପଶିବାରେ ଲାଗିଛି । ଏହି ବନ୍ୟା ଜଳରେ ଭଣ୍ଡାରିପୋଖରୀ ବ୍ଲକରେ ବିଶେଷ କରି ଷୋଳମପୁର, ମାଳଦା, ନପଙ୍ଗ, ରହଣିଆ, କୁରୀଗାଁ, ବନ୍ଦାଳ, ମାଢିଆଳି ପଞ୍ଚାୟତର ଅନେକ ଗାଁ ଜଳମଗ୍ନ ହେଇଛି ।
ସେହିପରି ଷୋଳମପୁର ଠାରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଭଦ୍ରକ-ଯାଜିପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏହି ବନ୍ୟାଜଳ ଦ୍ୱାରା ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଦଗଡ଼ ଡ୍ୟାମ ଭିତରକୁ ପ୍ରଚୁର ପାଣି ଆସୁଛି । ଯାହା ଫଳରେ ଡ୍ୟାମ କର୍ତ୍ତୃପକ୍ଷ ସାଳନ୍ଦୀ ନଦୀକୁ ଅଧିକ ପାଣି ଛାଡ଼ିଛନ୍ତି ।
ରାଜଘାଟ ଠାରେ ବିପଦ ସଂକେତ ୧୭ ଫୁଟ ରହିଥିବା ବେଳେ ସକାଳ ୫ଟା ସୁଦ୍ଧା ୧୮.୧୦ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ସାଳନ୍ଦୀ ନଦୀରେ ତୃତୀୟ ବନ୍ୟା ଜଳ ଯୋଗୁଁ ଭଦ୍ରକ ବ୍ଲକରେ ୨ଟି ପଞ୍ଚାୟତ, ତିହିଡି଼ ବ୍ଲକର ୮ଟି ପଞ୍ଚାୟତର ଅନେକ ଗାଁ ଜଳମଗ୍ନ ହୋଇଛି । ରାଜାମୁକୁନ୍ଦପୁର ଠାରେ ଥିବା ବ୍ରିଜ ଓ ମାତଗଜପୁର ଠାରେ ଥିବା ବ୍ରିଜ ଉପରେ ୪ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।
📱 Get Argus News App
✨Related Topics
Explore more stories