Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Jammu Kashmir / ଜମ୍ମୁ-କାଶ୍ମୀରରେ ପ୍ରଳୟଙ୍କାରୀ ବାଦଲଫଟା ବର୍ଷା, ୧୨ ଜଣଙ୍କ ମୃତ୍ୟୁ

Rashmita Mishra
Browse all articles by Rashmita Mishra
·19 hours ago·2 min read
 ଜମ୍ମୁ-କାଶ୍ମୀରରେ ପ୍ରଳୟଙ୍କାରୀ ବାଦଲଫଟା ବର୍ଷା, ୧୨ ଜଣଙ୍କ ମୃତ୍ୟୁ
Jammu Kashmir

Key Points

ଜମ୍ମୁ-କାଶ୍ମୀର ଫ୍ଲାସ ଫ୍ଲଡ, ୧୨ ଜଣଙ୍କ ମୃତ୍ୟୁ
ଫ୍ଲାସ ଫ୍ଲଡରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା
ବନ୍ୟାରେ ଯୋଗୁ ଅନେକ ଗାଡ଼ି ଭାସିଯାଇଛି
ପ୍ରବଳ ବର୍ଷା ଯୋଗୁଁ ରାଜୌରୀରେ ଆସିଥିଲା ହଠାତ୍ ବନ୍ୟା

ଜମ୍ମୁ-କାଶ୍ମୀରରେ ପ୍ରଳୟଙ୍କାରୀ ବାଦଲଫଟା ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିରେ ଅତିକମରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ହୋଇଥିବା ଏହି ପ୍ରାକୃତିକ ବିପର୍ଯ୍ୟୟ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।

ଜମ୍ମୁ-କାଶ୍ମୀରର ପୁଞ୍ଚ, ରାଜୌରୀ, କିସ୍ତୱାଡ ଏବଂ ଡୋଡା ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ପୁଞ୍ଚ ଜିଲ୍ଲାର ସୁରନକୋଟ୍‌ରେ ବନ୍ୟା ଯୋଗୁଁ ଅନେକ ଘରଦ୍ଵାର ଭାସିଯାଇଛି । ଖରାପ ପାଗ ଏବଂ ରାସ୍ତାଘାଟ ନଷ୍ଟ ହେବା କାରଣରୁ ସୁରକ୍ଷା ଦୃଷ୍ଟିରୁ ପହଲଗାମ ଓ ବାଲଟାଲ୍ ଉଭୟ ରୁଟରେ ଅମରନାଥ ଯାତ୍ରା ଏବଂ ମାତା ବୈଷ୍ଣୋଦେବୀ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ।

ଭୂସ୍ଖଳନ ଏବଂ ପଥର ଖସିବା ଯୋଗୁଁ ଡୋଡା-କିସ୍ତୱାଡ ଜାତୀୟ ରାଜପଥ ସହ ଅନ୍ୟାନ୍ୟ ପ୍ରମୁଖ ରାସ୍ତାଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଭାରତୀୟ ସେନା, ପୋଲିସ, SDRF ଏବଂ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଶତାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ଜମ୍ମୁକାଶ୍ମୀରର ଉପରାଜ୍ୟପାଳ ପରିସ୍ଥିତିର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦିଲ୍ଲୀ ଗସ୍ତ ମଝିରୁ ଫେରି ବନ୍ୟା ପରିସ୍ଥିତି ଉପରେ ନଜର ରଖିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ।

ପ୍ରବଳ ବର୍ଷା ଜାରି ରହିଥିବାରୁ ପ୍ରଶାସନ ଲୋକଙ୍କୁ ନଦୀ, ନାଳ ଓ ଭୂସ୍ଖଳନପ୍ରବଣ ଅଞ୍ଚଳଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି । ସୁରକ୍ଷା ଦୃଷ୍ଟିରୁ ଅମରନାଥ ଓ ବୈଷ୍ଣୋଦେବୀ ଯାତ୍ରାକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ପୁଲିସ ଓ ସେନାର ବିଭିନ୍ନ ଦଳ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ସେପଟେ ନାଗାଲାଣ୍ଡର ମୋନ୍‌ ଜିଲ୍ଲାର ଏକାଧିକ ସ୍ଥାନରେ ରବିବାର ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଭୟାବହ ଭୂସ୍ଖଳନରେ ଅନେକ ଜୀବନହାନି ଘଟିଛି। ସ୍ଥାନୀୟ ପ୍ରଶାସନର ପ୍ରାରମ୍ଭିକ ଆକଳନ ଅନୁସାରେ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ମୁତାବକ ରାତିସାରା ପ୍ରବଳ ବର୍ଷା ଲାଗି ରହିଥିଲା ଏବଂ ସକାଳ ୬ରୁ ୭ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପାହାଡ଼ ଧସିଥିଲା । ବିପର୍ଯ୍ୟୟ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବ୍ୟାପକ ସରକାରୀ ଓ ଘରୋଇ ସମ୍ପତ୍ତି ନଷ୍ଟ ହୋଇଛି ।

ପ୍ରଶାସନର ସୂଚନା ଅନୁସାରେ, ଭୂସ୍ଖଳନ ପ୍ରଭାବରେ ବିଶେଷ କରି ମୋନ୍‌ ସହର ଏବଂ ଟିଜିଟ୍‌ ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବ୍ୟାପକ ମାଟି ଅତଡ଼ା ସହ ବଡ଼ ପଥର ଧସି ଆବାସିକ କ୍ଷେତ୍ରଗୁଡ଼ିକ ଉପରେ ପଡ଼ିବା ଫଳରେ ଅନେକ ପରିବାରର ବାସଗୃହ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଅନେକ ସ୍ଥାନୀୟ ଲୋକେ ଅତଡ଼ା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଏହି ପ୍ରାକୃତିକ ଦୁର୍ଘଟଣା ଯୋଗୁଁ ଜିଲ୍ଲାର ଆନ୍ତଃସଂଯୋଗୀକରଣ ସଡ଼କ ପଥଗୁଡ଼ିକ ଅବରୋଧ ହୋଇ ଯାଇଥିବାରୁ ଯାତାୟାତ ଏବଂ ଜରୁରିକାଳୀନ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored