ଲଘୁଚାପ ପ୍ରଭାବରେ ବର୍ଷା ଜାରି, ବିପଦ ସଙ୍କେତ ଉପରେ ବୈତରଣୀ ଓ ଜଳକା

Key Points
ସକାଳୁ ଝିପି ଝିପି ବର୍ଷା ଆରମ୍ଭ ହୋଇଗଲାଣି
ବିପଦ ସଙ୍କେତ ଉପରେ ବୈତରଣୀ ଓ ଜଳକା ନଦୀ
ହୀରାକୁଦର ୮ ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ
ଆଜି ଦିନ ସାରା ଛେଚିବ । ସକାଳୁ ଝିପି ଝିପି ବର୍ଷା ଆରମ୍ଭ ହୋଇଗଲାଣି । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ରର ପ୍ରଭାବ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଫଳରେ ଆଜି ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦିନସାରା ଲାଗି ରହିବ ବର୍ଷା । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ବର୍ଷା ସହ ଘଣ୍ଟାପ୍ରତି ୩୦ ରୁ ୪୦ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ବିପଦ ସଙ୍କେତ ଉପରେ ବୈତରଣୀ ଓ ଜଳକା ନଦୀ । ପୁଣି ଥରେ ଭଦ୍ରକ ଓ ବାଲେଶ୍ବରରେ ବନ୍ୟା ଆଶଙ୍କା ଦେଖାଦେଇଛି । ତଳିଆ ଅଞ୍ଚଳରେ ପାଣି ପଶିଛି । ସେପଟେ ସମ୍ବଲପୁରରେ ମହାନଦୀରେ ବି ଲଗାତାର ବଢୁଛି ଜଳସ୍ତର ।

ଏବେ ହୀରାକୁଦର ୮ ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ଡ୍ୟାମ୍ ବାମ ପାର୍ଶ୍ବର ୫ ଓ ଡାହାଣ ପାର୍ଶ୍ବର ୩ଟି ଗେଟ୍ ଖୋଲା ହୋଇଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୨୧ ଫୁଟ୍ ରହିଛି । ଡ୍ୟାମ୍ ଭିତରକୁ ୨,୩୩,୪୭୮ କ୍ୟୁସେକ୍ ଜଳ ପ୍ରବେଶ କରିଛି । ଜଳଭଣ୍ଡାରରୁ ୧,୬୧,୬୭୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ୍ ଜଳସ୍ତର ।
📱 Get Argus News App
✨
କେନ୍ଦୁଝର ଜିଲ୍ଲା ସମାକୋଇ ନଦୀରେ ବନ୍ୟାଜଳ କୂଳ ଲଂଘିଛି । ତେଲକୋଇ ପୋଲ ଉପରେ ଚାଲୁଛି ପାଣି । ତେଲକୋଇରୁ ଭୁବନେଶ୍ବର, କଟକ, ଢେଙ୍କାନାଳ, ତାଳଚେର, କେନ୍ଦୁଝର ସ୍ଥାନକୁ ଗମନାଗମନ ବ୍ୟାହତ ହୋଇଛି । ଏପଟେ ଲଗାଣ ବର୍ଷା ଯୋଗୁଁ ବଢୁଛି ବୈତରଣୀ ଜଳସ୍ତର । ଆନନ୍ଦପୁର ନିକଟରେ ନଦୀର ଜଳସ୍ତର ସତର୍କ ସୂଚନା ପାର୍ କରିଛି । ଆନନ୍ଦପୁର ରାଜଘାଟରେ ବି ବୈତରଣୀ ଜଳସ୍ତର ସତର୍କ ସୂଚନା ପାର୍ କରିଛି। ସେହିପରି ଭଦ୍ରକରେ ବୈତରଣୀ ନଦୀରେ ଚଳିତ ବର୍ଷ ତୃତୀୟ ଥର ପାଇଁ ବନ୍ୟା ଜଳ ଆସିଛି । ଆଖୁଆପଦା ଠାରେ ବିପଦ ସଙ୍କେତର ବହୁ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି ବନ୍ୟାଜଳ । ଏଠାରେ ବିପଦ ସଙ୍କେତ 18.33 ମିଟର ଥିବା ବେଳେ, ସକାଳ 6 ଟା ସୁଦ୍ଧା 18. 54 ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।
ଏହି ବନ୍ୟାଜଳ ବୃଦ୍ଧି ପାଇ କଣ୍ଟିଘାଇ ଏସ୍କକେଫ ଦେଇ ଜନ ବସତି ଆଡକୁ ବନ୍ୟାଜଳ ପ୍ରବେଶ କରିଛି । ଜାତୀୟ ରାଜପଥରୁ ବାଲେଶ୍ବର ସହରକୁ ସଂଯୋଗ କରୁଥିବା ସହଦେବଖୁଣ୍ଟା ରାସ୍ତା ବାଲିଆ ଛକରେ ୨ଫୁଟର ବର୍ଷା ଜଳ ଲହଡ଼ି ମାରୁଛି । ଅନ୍ୟପଟେ ପାଣିପାଗ ବିଭାଗର ଆକଳନ, ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ଯାଏ ଜାରି ରହିବ ପ୍ରବଳ ବର୍ଷା ।