Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cyclone Montha Impact / ଗଞ୍ଜାମ ଉପୂକଳରେ ତାଣ୍ଡବ ରଚୁଛି ‘ମୋନ୍ଥା’

Rashmita Mishra
Browse all articles by Rashmita Mishra
·8 months ago·2 min read
ଗଞ୍ଜାମ ଉପୂକଳରେ ତାଣ୍ଡବ ରଚୁଛି ‘ମୋନ୍ଥା’

Key Points

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗାଁଠାରୁ ୧୦ମିଟର ଦୂରରେ ଥିବା ସମୁଦ୍ର ବର୍ତ୍ତମାନ ଗାଁ ମୁହାଁ ହୋଇ ୩ଟି ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି।

ବାତ୍ୟା ‘ମୋନ୍ଥା’ ଗୋପାଳପୁରଠାରୁ ୪୮୦ କିମି ଦୂରରେ ରହିଥିବାବେଳେ, ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲା ଉପୂକଳରେ ଦେଖିବାକୁ ମିଳୁଛି। ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗାଁଠାରୁ ୧୦ମିଟର ଦୂରରେ ଥିବା ସମୁଦ୍ର ବର୍ତ୍ତମାନ ଗାଁ ମୁହାଁ ହୋଇ ୩ଟି ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ଅବଶ୍ୟ ସେଠାରେ ଜନବସତି ନାହିଁ। ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ସ୍ଥିତି ଉପରେ ନଜର ରଖି ପଦକ୍ଷେପ ଗ୍ରହଣ କରା ଯାଉଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ସେପଟେ ଆନ୍ଧ୍ରର ୪୮ଟି ମାଛ ଧରା ଟ୍ରଲର, ଡଙ୍ଗାକୁ ସୁରକ୍ଷିତ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ସମସ୍ତ ମତ୍ସଜୀବୀଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମର ପାତ୍ରପୁର ବ୍ଲକରେ ସର୍ବାଧିକ ୧୧୭.୬ ମିମି ବର୍ଷା ହୋଇଥିବାବେଳେ ଜିଲ୍ଲାରେ ହାରାହାରି ୪୪.୬୨ ମିମି ବର୍ଷା ରେକର୍ଡ ହୋଇଛି।

ସେହିପରି ଆସିକା ଜଗଦଲପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ୧୧୦ ବାତ୍ୟା ଆଶ୍ରୟ ସ୍ଥଳୀ, ୧୦୨୯ ଟି ରିଲିଫ ସେଣ୍ଟର ଚିହ୍ନିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୪୫୧ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୬୫୦୦ ଜଣଙ୍କୁ ଚିହ୍ନଟ କରାଯାଇଛି। ୯୭୦ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଇଛି। ୩ ଟି ଓଡ୍ରାଫ ଟିମକୁ ନିୟୋଜିତ କରା ଯାଇଛି।

ଅନ୍ୟପଟେ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ୫୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକକୁ ଖଲିକୋଟ ନିକଟରେ ସ୍ଥାନୀୟ ପ୍ରଶାସନ ଅଟକାଇ ବାତ୍ୟା ଆଶ୍ରୟସ୍ଥଳୀରେ ରହିବାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଜଳ ଭଣ୍ଡାରର ସ୍ଥିତିକୁ ଦେଖି ଘୋଡ଼ାହାଡ଼, ବାଘଲଟି, ଡହ ଡ୍ୟାମର ଗେଟ ଖୋଲାଯାଇ ପାଣି ଛଡ଼ାଯାଇଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସମସ୍ତ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦେଶ ଥିବା ବେଳେ କେତେକ କର୍ମଚାରୀ କାର୍ଯ୍ୟରେ ଅବହେଳା କରିଥିବା ନଜରକୁ ଆସିଛି। ଏନେଇ ଜିଲ୍ଲପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୨୮ ତାରିଖରେ ବ୍ଲକ ନିୟନ୍ତ୍ରଣ କକ୍ଷରେ ଅନୁପସ୍ଥିତ ଥିବା ଯୋଗୁ ଆସିକା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ସେହିପରି ଶେରଗଡ଼ ବ୍ଲକର ଏସଆରଏ ସଦାନନ୍ଦ ନେହେରା କାର୍ଯ୍ୟରେ ଅବହେଳା କରିଥିବା ଯୋଗୁ ଚାକିରିରୁ ନିଲମ୍ବିତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତ ପାହାଡ଼ିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସେହଭଳି ୩ ଗାଁ ଲୁହାସିଙ୍ଗି, ଏଲୋଗୋଲ, ସିରିସିଗଣ୍ଡର ମଧ୍ୟ ପ୍ରାୟ ୧୨୪ ଜଣଙ୍କୁ ତାଡକାସାହି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ରଖାଯାଇଛି । ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ପହଁଞ୍ଚି ଲୋକଙ୍କୁ ସାକ୍ଷତ କରି ସମସ୍ତ ପ୍ରକାର ବ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ସେହିଭଳି ଗଜପତି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ଗୋଶାଣି ବ୍ଲକରେ ସର୍ବାଧିକ ୧୧୫ ମିମି ବର୍ଷା ହୋଇଥିବାବେଳେ ଜିଲ୍ଲାରେ ସର୍ବ ମୋଟ ୫୯୦ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ପାହାଡ଼ିଆ ଦୁର୍ଗମ ଅଞ୍ଚଳରୁ ଲୋକଙ୍କୁ ପକ୍କା ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Montha Impact | Montha Storm Creates Havoc Along Ganjam Coast | Ganjam Cyclone News | Argus News | Argus News