Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Rain Alert / ବନ୍ୟା ଭିତରେ ବଡ଼ ଚିନ୍ତା ପୁଣି ଆସୁଛି ଲଘୁଚାପ, ୭ ରାଜ୍ୟକୁ ଆଲର୍ଟ

Rashmita Mishra
Browse all articles by Rashmita Mishra
·18 hours ago·2 min read
ବନ୍ୟା ଭିତରେ ବଡ଼ ଚିନ୍ତା ପୁଣି ଆସୁଛି ଲଘୁଚାପ, ୭ ରାଜ୍ୟକୁ ଆଲର୍ଟ
Rain Alert

Key Points

ରାଜ୍ୟରେ ପୁଣି ବଦଳିବାକୁ ଯାଉଛି ପାଣିପାଗର ମିଜାଜ୍ । 
ରାଜ୍ୟରେ ଆଜି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା । 
ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ଅଧିକ ବର୍ଷିବ । 
୨୩-୨୪ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି । 

ଲଗାଣ ବର୍ଷାରେ ଲୋକଙ୍କ ଦୁର୍ଦ୍ଦଶା କମି ନଥିବା ବେଳେ ଚିନ୍ତା ବଢ଼ାଇଛି ପାଣିପାଗ ବିଭାଗର ଆକଳନ । ଚଳିତ ମାସ ଶେଷ ଆଡ଼କୁ ଅର୍ଥାତ୍ ୨୩-୨୪ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଯାହାର ପ୍ରଭାବରେ ୨୨ ରୁ ୨୫ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ । ଫଳରେ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷାର ସମ୍ଭାବନା ସବୁଠୁ ଅଧିକ ରହିଛି । ପ୍ରବଳ ବର୍ଷା ହେବା ନେଇ ଓଡ଼ିଶା ସମେତ ଦେଶର ୭ ରାଜ୍ୟକୁ ଜାରି ହୋଇଛି ଆଲର୍ଟ ।

ଆରବ ସାଗର ଆଡୁ ପ୍ରଚୁର ଜଳୀୟ ବାଷ୍ପପୂର୍ଣ୍ଣ ପଶ୍ଚିମା ପବନ ଓଡ଼ିଶା ଆଡ଼କୁ ବହିବା ଆରମ୍ଭ କରିଛି । ବର୍ତ୍ତମାନ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ମାତ୍ରା ପ୍ରାୟ ୮୦ ରୁ ୯୦ ପ୍ରତିଶତ ଭିତରେ ରହିଛି । ମୌସୁମୀ ସମୟରେ ଅଧିକ ଜଳୀୟ ବାଷ୍ପ ସାଙ୍ଗକୁ ସ୍ଥାନୀୟ ତାପମାତ୍ରା ବୃଦ୍ଧି ଯୋଗୁଁ ମେଘ ଘନୀଭୂତ ହେଉଛି ।

ଫଳରେ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷାର ସମ୍ଭାବନା ସବୁଠୁ ଅଧିକ ରହିଛି । ବିଶେଷ କରି ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ସମେତ ଉତ୍ତର ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ଆଜି ବର୍ଷା ହୋଇପାରେ । ସୋମବାର ଉପକୂଳରେ ବର୍ଷା କମିବ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ସାମାନ୍ୟ ବଢ଼ିବ ।

ସେପଟେ ରାଜ୍ୟରେ ବନ୍ୟା ବିଭୀଷିକା... ଆଠଗଡ଼ରୁ ଧାମନଗର, ଆଳିରୁ ବାସୁଦେବପୁର ସବୁଠି ସ୍ଥିତି ସଂଗୀନ ହୋଇପଡ଼ିଛି । ହଜାର ହଜାର ହେକ୍ଟର ଚାଷଜମି ଏବେ ପାଣି ଘେରରେ ଥିବା ବେଳେ ଉଜୁଡ଼ି ଯାଇଛି ବର୍ଷକର ଆହାର । କଟକର ଆଠଗଡ଼ ଓ ତିଗିରିଆରେ ସାପୁଆ ଓ କଣ୍ଟିଆ ନଦୀର ଉଗ୍ର ରୂପ ଯୋଗୁଁ ବ୍ୟାପକ ଧାନ ତଳି ଓ ପନିପରିବା ନଷ୍ଟ ହୋଇଛି ।

ସେହିପରି ଭଦ୍ରକ ବାସୁଦେବପୁର ଓ ଧାମନଗର ଅଞ୍ଚଳରେ ରେବ ଓ କପାଳି ନଦୀର ବନ୍ୟା ଜଳ ପଶିବା ଫଳରେ ୩୦ରୁ ଊର୍ଦ୍ଧ୍ୱ ଗାଁର ପ୍ରାୟ ୪୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ରାପଡ଼ା ଆଳି ବ୍ଲକରେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ବନ୍ୟାଜଳ ଯୋଗୁଁ ଚାଷ ଜମି ଏବେ ଜଳାଶୟ ପାଲଟିଛି ।

ଅନ୍ୟପଟେ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ଏବେ ୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି, ତଳିଆ ଅଞ୍ଚଳକୁ ସତର୍କ ସୂଚନା ।ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରବିବାର ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ହୀରାକୁଦର ୪ଟି ଗେଟ୍ ଖୋଲାଯାଇଛି । ଗେଟ୍ ଖୋଲିବା ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଇବା ପାଇଁ ଡ୍ୟାମ୍ ପରିସରରେ ସାଇରନ୍ ବଜାଯାଇଥିଲା । ଉପରମୁଣ୍ଡରୁ କ୍ରମାଗତ ଭାବେ ବନ୍ୟାଜଳ ପ୍ରବେଶ କରୁଥିବାରୁ ଜଳଭଣ୍ଡାରର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored