Videos
|
Weather-calamities

Weather Update / ରାଜ୍ୟରେ ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ବହୁ ସହର

Banajyotshna Ray
Browse all articles by Banajyotshna Ray
·10 months ago·2 min read
ରାଜ୍ୟରେ ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ବହୁ ସହର

Key Points

ଖସୁଛି ପାରଦ, ରାଜ୍ୟରେ ବଢୁଛି ଶୀତ
୧୫ ଡିଗ୍ରୀ ତଳେ ରାଜ୍ୟର ବହୁ ସହର
ରାଉରକେଲା ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ
ଖସୁଛି ପାରଦ, ରାଜ୍ୟରେ ବଢୁଛି ଶୀତ । ପ୍ରଚଣ୍ଡ ଶୀତ ଆରମ୍ଭ ହୋଇଛି। ସାରା ଓଡିଶା ଶୀତରେ ଥରୁଛି। ୧୫ ଡିଗ୍ରୀ ତଳେ ରାଜ୍ୟର ବହୁ ସହର। ରାଉରକେଲା ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ। ଆଜି ସକାଳେ ଘନ କୁହୁଡ଼ିର ଧଳା ଚାଦରରେ ଘୋଡ଼େଇ ହୋଇଥିଲା କୋରାପୁଟ ଓ ସୁନ୍ଦରଗଡ଼ ସହର । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବି ଥିଲା କୁହୁଡ଼ିର ଆସ୍ତରଣ । ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କୁହୁଡି ହୋଇଥିବା ଦେଖିବାକୁ ମିଳିଛି । ଶୀତୁଆ ସକାଳରେ ଥଣ୍ଡାରୁ ବର୍ତ୍ତିବା ପାଇଁ ଗାଁ ଗହଳିରେ ଲୋକମାନେ ନିଆଁ ଲଗାଇ ବସିଥାନ୍ତି। ଯାହା ଥଣ୍ଡାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥାଏ।

ଏପଟେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି କମିଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ପାରଦ ୨ ଡିଗ୍ରି ବଢ଼ିଛି । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସହରର ରାତି ତାପମାତ୍ରା ସ୍ଵାଭାବିକଠୁ ୭ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ବୁଧବାର ରାତିରେ ଫୁଲବାଣୀ, ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିଥିଲା । କେନ୍ଦୁଝର ଓ ଅନୁଗୁଳରେ ୧୨ ଡିଗ୍ରୀ, ଢେଙ୍କାନାଳ, କୋରାପୁଟ ଓ ଭଦ୍ରକରେ ରାତି ତାପମାତ୍ରା ୧୩ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରାଯାଇଥିଲା ।

ଏଥିସହ ପଢ଼ନ୍ତୁ: ସହର ଗୁଡ଼ିକ ଘନ କୁହୁଡ଼ିର ଧଳା ଚାଦରରେ ଘୋଡ଼େଇ ରହିଛି

ଆଗକୁ ମଧ୍ୟ ପାରଦ ତଳମୁହାଁ ହେବା ସହ ଥଣ୍ଡା ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨ରୁ ୩ ଦିନରେ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । କୁହାଯାଏ ସହରର ଶୀତ ଠାରୁ ଗାଁର ଶୀତ ଭାରି ନିଆରା । ଶୀତ ମାଟିକୁ ଛୁଇଁଲେ ମତୁଆଲା ହୁଏ ମନ, । ଗାଁରେ ଶୀତ ଗୋଟେ ଶାସ୍ତି, ଗୋଟେ ସ୍ମୃତି । ଶୀତ ବି କାହାର ମିତ, କାହା ସମ୍ପର୍କର ସାକ୍ଷୀ । ଏଠି ଢୋକେ ଚା’ ପିଇଲେ ଶୀତ, ଶୀତ ପରି ଲାଗେ । ପାଟିରୁ ଭସ ଭସ ବାହାରୁଥିବା ଧୂଆଁ ସ୍ମୋକ୍ ଆର୍ଟ ଆଙ୍କେ । ଧାନ ବିଲ, ଚଷା ଭାଇ କାନ୍ଧରେ ଶୀତ ଗୀତ ଗାଏ । ମାର୍ଗଶୀରର ଝୋଟିଲିପା କାନ୍ଥରେ ଝଟକୁଥାଏ । ଆଉ ପୋଖରୀ ପାଣିର ପହିଲି ଛୁଆଁରେ କୁଆଁରୀ ଦେହର ଲାଜମିଶା ଡରରେ ଶୀତ ସବୁଠୁ ସୁନ୍ଦର, ସବୁଠୁ ରୋମାଣ୍ଟିକ୍ ଲାଗେ ଗାଁରେ । ହେଲେ ସହରରେ ଏସବୁ କିଛି ଦେଖିବାକୁ ମିଳେନାହିଁ କି ଏଭଳି କିଛି ସ୍ମୃତି ବାଣ୍ଟିହୁଏ ନାହିଁ। ଏଠି ସମସ୍ତେ ବ୍ୟସ୍ତ ନିଜ କାର୍ଯ୍ୟକୁ ନେଇ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ପାଣିପାଗ ଖବର: 

Related Topics

Explore more stories