Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Weather Update / କିଛି ଦିନ ପରେ ପୁଣି ବଢ଼ିଛି ଶୀତ

Rashmita Mishra
Browse all articles by Rashmita Mishra
·7 months ago·2 min read
କିଛି ଦିନ ପରେ ପୁଣି ବଢ଼ିଛି ଶୀତ
Weather Update

Key Points

କନ୍ଧମାଳକୁ ଫେରିଲା ଶୀତ...
ଘନ କୁହୁଡ଼ିରେ ଘେରି ରହିଛି ପୁରା ଅଞ୍ଚଳ
୧୨ ଡିଗ୍ରୀ ତଳକୁ ଖସିଲା ପାରଦ
ଜି ଉଦୟଗିରିରେ ଅଧିକ ଥଣ୍ଡା ଅନୁଭୂତ

ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ । ଶନିବାର ଯାଏଁ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।

ସେପଟେ କିଛି ଦିନ ପରେ ଶୀତ ପୁଣି ବଢ଼ିଛି । କନ୍ଧମାଳକୁ ଫେରିଲା ଶୀତ, ଘନ କୁହୁଡିରେ ପୁରା କନ୍ଧମାଳ। ଶୀତର ମାତ୍ରା ଟିକେ କମିଥିଲେ ମଧ୍ୟ, ଏତେ ମାତ୍ରାରେ କୁହୁଡି ହୋଇଛି ଯେ ୫୦ ମିଟର ରାସ୍ତା ମଧ୍ୟ ଭଲରେ ଦେଖା ଯାଉନାହିଁ । ଶୀତ ପ୍ରଭାବ ମଧ୍ୟ ଏବେ ଦୁଇ ଦିନ ହେବ ଜୋର୍ ରହିଛି । ଜାଡରେ, ଥରୁଛନ୍ତି କନ୍ଧମାଳବାସୀ । ପୌଷ ମାସର ଥଣ୍ଡା ଅନୁଭୂତ ହେଉଛି । ଜିଲ୍ଲାରେ ପାରଦ ୧୨ ଡିଗ୍ରୀ ତଳେ ରହିଛି । ଜି ଉଦୟଗିରି ରେ ଅତ୍ୟଧିକ ଥଣ୍ଡା ହେଉଛି । ଯାହାକି ରାଜ୍ୟରେ ରେକର୍ଡ କରିଛି।

ମଙ୍ଗଳବାର ରାତିରେ ଜି. ଉଦୟଗିରି, ଦାରିଙ୍ଗବାଡ଼ି, ଚିପିଲିମା, ଫୁଲବାଣୀ, ବୌଦ୍ଧ ଓ ସୋନପୁର ଭଳି ସ୍ଥାନର ରାତି ତାପମାତ୍ରା ଖସିଛି । ଦିନକରେ ଜି. ଉଦୟଗିରିରେ ପାରଦ ପ୍ରାୟ ୫ ଡିଗ୍ରୀ କମିଛି । ଦାରିଙ୍ଗିବାଡ଼ିରେ ପ୍ରାୟ ୨.୫ ଡିଗ୍ରୀ, ଫୁଲବାଣୀରେ ୧.୫ ଡିଗ୍ରୀ, ଭୁବନେଶ୍ୱରରେ ୪ ଡିଗ୍ରୀ, କଟକରେ ୩ ଡିଗ୍ରୀ ଖସିଯାଇଛି । ପ୍ରଫେସର ପଶୁପାଳକ କହିଛନ୍ତି, ଆଗକୁ ଶୀତ ବଢ଼ିବା ସହ କୁହୁଡ଼ି ବି ବଢ଼ିବ ।

ଆଗାମୀ ୪ ଦିନରେ ପାରଦ ୪ ଡିଗ୍ରୀ କମିଯିବ । ଆସନ୍ତା ୭ ତାରିଖ ରାତିରେ ମଧ୍ୟ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ତାପମାତ୍ରା ଆଉ ୧ ଡିଗ୍ରୀ କମିପାରେ । କିନ୍ତୁ ୮ ତାରିଖ ରାତିରେ ବହୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିବ । ୯ ତାରିଖରୁ ପୁଣି ତାପମାତ୍ରା ଖସିବ ଓ ଶୀତ ଜାରି ରହିବ । ୫ ଓ ୯ ତାରିଖରେ ଘନ କୁହୁଡ଼ି ଦେଖାଦେବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ପାଣିପାଗ କେନ୍ଦ୍ରର ଆକଳନ କହୁଛି, ଆସନ୍ତା ଦୁଇ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିପାରେ। ଗୁରୁବାର ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, କେନ୍ଦୁଝରରେ ରାତି ତାପମାତ୍ରା କମ୍ ରହିବ । ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁରରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ।

ଜି. ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ବା ୯.୮ ଡିଗ୍ରୀ ରହିଥିଲା । ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ, ଚିପିଲିମାରେ ୧୧.୭, ଫୁଲବାଣୀରେ ୧୨, ଝାରସୁଗୁଡ଼ାରେ ୧୨.୧, ରାଉରକେଲାରେ ୧୨.୨, କିରେଇ ଓ କେନ୍ଦୁଝରରେ ୧୩.୨, ଢେଙ୍କାନାଳ, ଭଦ୍ରକ ଓ ସୁନ୍ଦରଗଡ଼ରେ ୧୪, ନବରଙ୍ଗପୁରରେ ୧୪.୨, ସିମିଳିଗୁଡ଼ାରେ ୧୪.୫ ଡିଗ୍ରୀ ରେକର୍ଡ ହୋଇଛି । କଟକରେ ୧୪.୮ ଓ ଭୁବନେଶ୍ୱରରେ ୧୬.୪ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୧.୪ ଡିଗ୍ରୀ କମ୍ ଥିଲା । ଦକ୍ଷିଣ ବଙ୍ଗୋପସାଗରରେ ଥିବା ବାତ୍ୟା ‘ଡିଟୱା’ ଦୁର୍ବଳ ହୋଇ ଗଭୀର ଅବପାତ ଓ ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ସାମାନ୍ୟ ମେଘୁଆ ପାଗ ରହୁଥିଲା ।

ଅଧିକ ପଢ଼ନ୍ତୁ ପାଣିପାଗ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weather Update | Cold Wave Returns After a Brief Pause | Temperature Drops Again | Argus News