Heat wave / ସିଝୁଛି ସାରା ଓଡ଼ିଶା: ଆସନ୍ତା ୪ ଦିନ ଯାଏ ସ୍ଥିତି ବଦଳିବ ନାହିଁ

Key Points
ପଶ୍ଚିମରୁ ଉପକୂଳ ସବୁଠି ପ୍ରଚଣ୍ଡ ରୌଦ୍ରତାପ ସହ କଲବଲ କରୁଛି ଗୁଳୁଗୁଳି ।
୪୪ ଡିଗ୍ରୀ ଡେଇଁଲା ପାରଦ, ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ...୨୫ ଯାଏଁ ନାହିଁ ନିସ୍ତାର ।
ଆସନ୍ତା ୪ ଦିନ ଯାଏ ସ୍ଥିତି ବଦଳିବ ନାହିଁ... ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ରତାପ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଛି । ଉପକୂଳ ଓଡ଼ିଶାରେ ୪୧ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ପ୍ରବଳ ତାତି ଅନୁଭୂତ ହେଉଛି । ଗତକାଲି ଝାରସୁଗୁଡ଼ାରେ ଦିନ ୨ଟା ୩୦ ସୁଦ୍ଧା ସର୍ବାଧିକ ୪୪.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାଜଧାନୀରେ ପାରଦ ୪୧ ଡିଗ୍ରୀ ଛୁଇଁଛି ।
ବଢ଼ିବ ସୂର୍ଯ୍ୟଦେବଙ୍କ କୋପ ବୋଲି ସତର୍କ କରାଇ ଦେଇଛି ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଡେଇଁପାରେ । ଉପକୂଳ ଓ ଦକ୍ଷିଣ ଓଡ଼ିଶା ବି ବର୍ତ୍ତିବ ନାହିଁ । ବୁଧବାର ଝାରସୁଗୁଡ଼ା ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଢେଙ୍କାନାଳ ଦଶମ ଉତ୍ତପ୍ତ ସହର ଓ ଅନୁଗୁଳ ୧୨ତମ ସ୍ଥାନରେ ରହିଥିଲା । ପାଣିପାଗ ବିଭାଗ ସତର୍କ କରାଇଛି, ଆଗକୁ ବି ଏହି ଅସହ୍ୟ ତାତିରୁ ନିସ୍ତାର ମିଳିବାର ଆଶା କ୍ଷୀଣ । ତାତି ଆହୁରି ବଢ଼ିବ, ଅସମ୍ଭାଳ ହେବ ।
ଝାରସୁଗୁଡ଼ାରେ ୪୪.୬ ଡିଗ୍ରୀ ସେଲ୍ସିୟସ୍, ତାଳଚେରରେ ୪୩.୫, ଭୁବନେଶ୍ୱର ୪୧.୨, ପାରଳାଖେମୁଣ୍ଡିରେ ୪୦.୮, ବାରିପଦାରେ ୪୦.୬ ଡିଗ୍ରୀ । ପଶ୍ଚିମରୁ ଉପକୂଳ, ଦକ୍ଷିଣ, ଉତ୍ତର ଓଡ଼ିଶା ଦାଉ ଦାଉ ଜଳିଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ । ୨୫ ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଡେଇଁଯାଇଥିଲା । ଆକାଶରୁ ନିଆଁ ବର୍ଷିଥିଲା । ମୁଣ୍ଡ ଝାଇଁ ଝାଇଁ କରି ଦେଉଥିଲା । ତାତି ଏତେ ଅଧିକ ଥିଲା ଯେ, କେଇ ମିନିଟ ବାହାରକୁ ଗଲେ ନିଆଁ ପାଖରେ ବସିବା ଭଳି ଲାଗୁଥିଲା । ସକାଳ ୮ଟା ବେଳକୁ ସ୍ଥିତି ଅସହ୍ୟ ହୋଇ ପଡ଼ିଥିଲା ।
ଗୁରୁବାର ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହେବ । ଝାରସୁଗୁଡ଼ା, ବଲାଙ୍ଗୀର ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ପଶ୍ଚିମ ଓଡ଼ିଶା ସମେତ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମ ଓ ଗଜପତିରେ ଗୁଳୁଗୁଳି ଅସହ୍ୟ ହେବ ।
ବୁଧବାର ଝାରସୁଗୁଡ଼ା, ବଲାଙ୍ଗୀର, ଟିଟିଲାଗଡ଼ ଓ ସମ୍ବଲପୁରରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ରାଉରକେଲା, ସୋନପୁର ଓ ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୪୩ ଡିଗ୍ରୀ ରହିପାରେ । ୨୪ ଓ ୨୫ ତାରିଖରେ ବି ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ରୁ ୪୪ ଡିଗ୍ରୀ ପାଖାପାଖି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ୨୩ ଓ ୨୪ ତାରିଖ ଖୋର୍ଦ୍ଧା, ଭୁବନେଶ୍ୱର, ଯାଜପୁର, କଟକ ଓ ଭଦ୍ରକରେ ତାତି ୪୦ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ । ୨୬ ତାରିଖରେ ଉପକୂଳରେ ତାତି କମ୍ ରହିପାରେ । ୨୭ ତାରିଖଠାରୁ ରାଜ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଭୀଷଣ ତାତି ପାଇଁ ଢେଙ୍କାନାଳରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ସୋନପୁର, ସୁନ୍ଦରଗଡ଼ରେ ୨୫ ତାରିଖକୁ ଛୁଟି ବଢ଼ାଯାଇଛି । ପୂର୍ବରୁ ଏହି ୪ ଜିଲ୍ଲାରେ ୨୨ ତାରିଖ ଯାଏ ଛୁଟି ଘୋଷଣା ହୋଇଥିଲା । କିନ୍ତୁ ଖରା ବଢୁଥିବାରୁ ଏଥିରେ ପରିବର୍ତ୍ତନ କରାଯାଇଛି ।
ଆସନ୍ତା ୨୬ ତାରିଖ ଯାଏ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବି ବର୍ଷା ଆଶଙ୍କା ଅଛି । ଢେଙ୍କାନାଳରେ ତାପମାତ୍ରା ୪୨.୪ ଡିଗ୍ରୀ, ତାଳଚେରରେ ୪୩.୫, ସମ୍ବଲପୁରରେ ୪୩.୩, ଅନୁଗୁଳରେ ୪୩.୧, ହୀରାକୁଦରେ ୪୩.୨, ବଲାଙ୍ଗୀର ଓ ସୋନପୁରରେ ୪୧.୯, ଢେଙ୍କାନାଳରେ ୪୨.୪, ନୟାଗଡ଼ ଓ ଭବାନୀପାଟଣାରେ ୪୧.୫, ରାଉରକେଲାରେ ୪୧.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି
📱 Get Argus News App
✨Related Topics
Explore more stories