Videos
|
Weather-calamities

Low Pressure / ଆସୁଛି ଆଉ ଏକ ଲଘୁଚାପ... ୨୨ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା

Rashmita Mishra
Browse all articles by Rashmita Mishra
·3 hours ago·2 min read
ଆସୁଛି ଆଉ ଏକ ଲଘୁଚାପ... ୨୨ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା
Low Pressure

Key Points

ଆସୁଛି ଆଉ ଏକ ଲଘୁଚାପ ।
ଆସନ୍ତା ୨୨ ଓ ୨୩ ଆଡ଼କୁ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର ।
ଆସନ୍ତା ୨୨ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ ।
ଅବପାତ ଦୁର୍ବଳ ହୋଇ ସୁସ୍ପଷ୍ଟ ଲଘୁଚାପରେ ପରିଣତ ହୋଇଛି । 
ଆସନ୍ତା କାଲି ପାଇଁ ତିନି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି । 

ଆସୁଛି ଆଉ ଏକ ଲଘୁଚାପ... ଆସନ୍ତା ୨୨ ଓ ୨୩ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ୨୨ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା ।

ଏପଟେ ଉତ୍ତର ଝାଡ଼ଖଣ୍ଡ, ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବିହାର ଓ ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ ଉପରେ ଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ବର୍ଷାର ସମ୍ଭାବନା ନଥିବାରୁ କୌଣସି ଚେତାବନୀ ଜାରି କରାଯାଇନାହିଁ। କିନ୍ତୁ ୨୧ ତାରିଖ ପାଇଁ ମୟୁରଭଞ୍ଜ, କେଉଁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜାରି ହୋଇଛି ୟେଲୋ ଆଲର୍ଟ।

ସେପଟେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା ଫଳରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକ୍‌ରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ବନ୍ୟା ଯୋଗୁ ଶତାଧିକ ଗାଁ ଜଳବନ୍ଦି ହୋଇପଡ଼ିଛି । ଉତ୍ତର ବାଲେଶ୍ବରର ୪୦ଟି ପଞ୍ଚାୟତର ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବିଶେଷକରି ଭୋଗରାଇ ଓ ବାଲିଆପାଳ ବ୍ଲକ୍‌ର ହଜାର ହଜାର ଲୋକ ଏବେ ପାଣି ଘେରରେ ଅଛନ୍ତି। ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଉତ୍ତର ବାଲେଶ୍ବରର ୪ଟି ବ୍ଲକ୍‌ରେ ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି ।

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଫଳରେ ବାଲିଆପାଳ ବ୍ଲକର ୯ରୁ ଉର୍ଦ୍ଧ୍ବ ପଞ୍ଚାୟତ ପ୍ରଭାବିତ ହୋଇଛି । ରାଜଘାଟ ଠାରେ ବିପଦ ସଂକେତ ଟପିଛି ନଦୀର ଜଳସ୍ତର । ବିପଦ ସଂକେତ ୧୦.୩୬ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଏହା ୧୧.୮୦ ମିଟରରେ ପ୍ରବାହିତ ହେଉଛି। ବନ୍ୟା ବିପନ୍ନଙ୍କ ପାଇଁ ପ୍ରଶାସନ ପକ୍ଷରୁ ୧୫ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ସମସ୍ତ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ତେବେ ବାଲିଆପାଳ ବ୍ଲକର ୪୫ ହଜାରରୁ ଅଧିକ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟଲାଗି ନିୟୋଜିତ ଅଛନ୍ତି ୯ଟି ଏସଆରସି ଓ ବୋଟ୍ ସମେତ 3ଟି ଓଡ୍ରାଫ ଟିମ୍। ନଦୀ ବନ୍ଧ ଭାଙ୍ଗିଯିବା ଭୟରେ ରାତି ତମାନ ପହରା ଦେଇଛନ୍ତି ଅଞ୍ଚଳବାସୀ ।

କେନ୍ଦ୍ରାପଡ଼ାରେ ବୈତରଣୀ ଓ ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ଜଳ ଆସିବା ପରେ ଚିନ୍ତା ବଢ଼ିଛି। ରାଜକନିକା ବ୍ଲକ ଅନ୍ତର୍ଗତ ବାରହା ଦୋମଣ୍ଡ ପଞ୍ଚାୟତର କାଇମା କନପୁରୁରୁ ଗୁଣ୍ଠଳ ଲୁଣା ଘେରି ବନ୍ଧରେ ସୃଷ୍ଟି ହୋଇଛି ୭୦ ଫୁଟର ଘାଇ । ଭୟ ଭିତରେ ଗୁଣ୍ଠଳ, ମାନପୁରୁ ଓ ଦୋମଣ୍ଡ ଗାଁ ଲୋକେ। ହଜାର ହଜାର ହେକ୍ଟର ଚାଷ ଜମିରେ ମାଡି ଗଲା ବନ୍ୟା ପାଣି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: