Heavy Rain / ବର୍ଷା-ବନ୍ୟାରେ ବେହାଲ ଓଡ଼ିଶା ୧୭୪ ସ୍କୁଲ୍-ଅଙ୍ଗନବାଡ଼ିରେ ତାଲା

Key Points
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିବା ଫଳରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଜାରି ରହିବ । ତେବେ ଆଜିଠାରୁ ବର୍ଷାର ପରିମାଣ କମିବା ସହ ମୁଖ୍ୟତଃ ଉପକୂଳ ଓ ଉତ୍ତର-ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
ଲଘୁଚାପଟି ଗାଙ୍ଗେୟ ପଶ୍ଚିମବଙ୍ଗ ସମେତ ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି । ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବାର ଶଙ୍କା ରହିଛି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେପଟେ ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଶିଶୁ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆଜି ଜିଲ୍ଲାର କେତେକ ବ୍ଲକରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଭଦ୍ରକ, ତିହିଡ଼ି ଓ ଚାନ୍ଦବାଲି - ଏହି ୩ଟି ବ୍ଲକର ମୋଟ ୮୧ଟି ସ୍କୁଲ ଆସନ୍ତାକାଲି ବନ୍ଦ ରହିବ ।
ଏହାସହ ବନ୍ୟା ପ୍ରଭାବିତ ତିହିଡ଼ି ଓ ଚାନ୍ଦବାଲି ବ୍ଲକର ୧୦୩ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଛୁଟି ଘୋଷଣା କରାଯାଇଛି । ସେହିପରି ଯାଜପୁର ରେ ୫ଟି ବ୍ଲକର ୯୩ ସ୍କୁଲକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ବିଂଝାରପୁର ବ୍ଲକର ୨୦, ବରୀ ୪ଟି, ରସୁରପୁର ୧ ଟି, ଦଶରଥପୁର ୬୭, ଧର୍ମଶାଳା ବ୍ଲକର ୧ ଟି ସ୍କୁଲ ଛୁଟି ଘୋଷଣା ।
ଖାଲିସେତିକି ନୁହେଁ ଦିଲ୍ଲୀରେ ମଧ୍ୟ ଲଗାତାର ବର୍ଷା...ଆଜି ବି ବର୍ଷାରେ ଭିଜୁଛି ଦେଶର ରାଜଧାନୀ ଦିଲ୍ଲୀ...ସକାଳୁ ସକାଳୁ ଆକାଶ ମେଘାଚ୍ଛନ୍ନ ରହିବା ସହ ପ୍ରବଳ ବର୍ଷା ଲାଗିରହିଛି । ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଵା ବେଳେ ଯାନବାହନ ଚଳାଚଳ ଠପ ହୋଇପଡିଛି । ଏପଟେ ପାଣିପାଗ ବିଭାଗ ଦିଲ୍ଲୀ ଓ ଏନ୍ସିଆର୍ ଅଞ୍ଚଳ ପାଇଁ ବର୍ଷା ସତର୍କତା ଜାରି କରିଥିବା ବେଳେ ଆଗାମୀ କିଛି ଘଣ୍ଟା ଯାଏଁ ବର୍ଷା ଜାରି ରହିବାର ସମ୍ଭାବନା ରହିଛି ।
📱 Get Argus News App
✨Related Topics
Explore more stories