Rain: ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା, ୨ ବେଳକୁ ଲଘୁଚାପ ସମ୍ଭାବନା

Key Points
ରାଜ୍ୟରେ ବର୍ଷା ହେଉଥିବା ବେଳେ ଏଭଳି ସ୍ଥିତି ୪ ତାରିଖ ପର୍ଯ୍ୟନ୍ତ ରହିବ । ସେପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୨ ତାରିଖ ପାଖାପାଖି ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଭୁବନେଶ୍ଵର: ପୂର୍ବ-ଦକ୍ଷିଣପୂର୍ବ ଦିଗରେ ରାୟପୁର, ପୁରୀ ଦେଇ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରୁଛି ମୌସୁମୀ ଟ୍ରଫ୍ । ପ୍ରଭାବରେ ରାଜ୍ୟରେ ବର୍ଷା ହେଉଥିବା ବେଳେ ଏଭଳି ସ୍ଥିତି ୪ ତାରିଖ ପର୍ଯ୍ୟନ୍ତ ରହିବ । ସେପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୨ ତାରିଖ ପାଖାପାଖି ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵରର ଆକଳନ ଅନୁସାରେ, ରାଜ୍ୟର ବିଭିନ୍ନ ସ୍ଥାନରେ ୪ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ସେପ୍ଟେମ୍ବର ୧ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିଭଳି ରାୟଗଡ଼ା, ମାଲକାନଗରିରି, ନବରଙ୍ଗପୁର, ଗଜପତି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୨ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ରହିଥିବା ବେଳେ ପ୍ରବଳ ବର୍ଷା ନେଇ ନୂଆପଡ଼ା, ବଲାଙ୍ଗିର, ସୁନ୍ଦରଗଡ଼, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, କଟକ ଓ ରାୟଗଡ଼ା ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ।
📱 Get Argus News App
✨
ବର୍ଷା ସହ ୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହେବାର ଆଶଙ୍କା ରହିଛି । ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ଆଶଙ୍କା ରହିଛି । ଏନେଇ ବିଭିନ୍ନ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି । ୨ରୁ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଓ ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ପାଣିପାଗ ବିଭାଗ ।