Videos
|
Weather-calamities

Weather Update / ଖରାରେ ଜଳୁଛି ଓଡ଼ିଶା, ୨ରୁ ୩ ଡିଗ୍ରୀ କମିବ ତାପମାତ୍ରା, ଏହି ଜିଲ୍ଲାରେ ବର୍ଷା ସମ୍ଭାବନା

Rashmita Mishra
Browse all articles by Rashmita Mishra
·1 hour ago·2 min read
ଖରାରେ ଜଳୁଛି ଓଡ଼ିଶା, ୨ରୁ ୩ ଡିଗ୍ରୀ କମିବ ତାପମାତ୍ରା, ଏହି ଜିଲ୍ଲାରେ ବର୍ଷା ସମ୍ଭାବନା
Weather Update

Key Points

ଖରାରେ ଜଳୁଛି ଓଡ଼ିଶା...
ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ ।
ଦିନ ବଢ଼ିବା ସହ ବଢ଼ୁଛି ତାତିର ତାଉ

ଖରାରେ ଜଳୁଛି ଓଡ଼ିଶା... ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଦିନ ବଢ଼ିବା ସହ ବଢ଼ୁଛି ତାତିର ତାଉ । ରାଜ୍ୟର ଅନେକ ସହରରେ ପାରଦ ୩୫ ଡିଗ୍ରୀ ଉପରେ ରହୁଥିବାବେଳେ, ତାତି ସାଙ୍ଗକୁ ବଢ଼ିଥିବା ଆର୍ଦ୍ରତା ଲୋକଙ୍କୁ କଲବଲ କରୁଛି । ରାସ୍ତାଘାଟରେ ଦିନ ଦ୍ୱିପ୍ରହରରେ ଖାଁ ଖାଁ ପରିସ୍ଥିତି । ଛାଇ ଟିକିଏ ପାଇଁ ଲୋକେ ଖୋଜୁଛନ୍ତି ଆଶ୍ରୟ ।

ତେବେ ତାତି ଭିତରେ ମିଳିଛି ଆଶ୍ୱସ୍ତିର ଖବର । ଆଉ ମାତ୍ର ଦୁଇରୁ ତିନି ଦିନ । ଏହାପରେ ପାଣିପାଗରେ ଆସିପାରେ ପରିବର୍ତ୍ତନ । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ଦିନ ତାପମାତ୍ରା । ଅର୍ଥାତ୍ ଗୁଳୁଗୁଳି ଓ ଗରମରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । କେବଳ ତାତି ନୁହେଁ, କିଛି ଜିଲ୍ଲାରେ ବର୍ଷାର ଆଭାସ ମଧ୍ୟ ମିଳିଛି । କିଛି ସ୍ଥାନରେ ହୋଇପାରେ ହାଲୁକାରୁ ମଧ୍ୟମ ବର୍ଷା । ଘଡ଼ଘଡ଼ି ସହ ବର୍ଷାର ବି ସମ୍ଭାବନା ରହିଛି । ତେବେ ପ୍ରଶ୍ନ ହେଉଛି କେବେ କମିବ ତାତି ? କେଉଁ କେଉଁ ଜିଲ୍ଲାରେ ବର୍ଷା ହେବ ?

ରାଜ୍ୟରେ ଆଗାମୀ ଦୁଇ ଦିନ ଜାରି ରହିବ ପ୍ରବଳ ଖରା ଓ ଗୁଳୁଗୁଳି । ଦିନ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବାରୁ ଅନେକ ସ୍ଥାନରେ ଗରମ ଓ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ତେବେ ଆସନ୍ତା ୨ରୁ ୩ ଦିନ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ସହ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସହରରେ ଉଚ୍ଚ ତାପମାତ୍ରା ରେକର୍ଡ ହୋଇଛି । ପୁରୀରେ ସର୍ବାଧିକ ୩୫.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଭୁବନେଶ୍ୱରରେ ୩୫.୨ ଡିଗ୍ରୀ ଏବଂ କଟକରେ ୩୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଦିନବେଳେ ତାପମାତ୍ରା ସହ ଆର୍ଦ୍ରତା ବୃଦ୍ଧି ପାଇବାରୁ ଗୁଳୁଗୁଳିର ପ୍ରଭାବ ଅଧିକ ଅନୁଭୂତ ହେଉଛି ।

ଅନ୍ୟପଟେ, ରାଜ୍ୟର କିଛି ଜିଲ୍ଲାରେ ସ୍ଥାନୀୟ ପାଣିପାଗ ପ୍ରଭାବରେ ବର୍ଷା ଓ ଘଡ଼ଘଡ଼ିର ସମ୍ଭାବନା ରହିଛି । ବାଲେଶ୍ୱର, ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରିର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାସହ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି ।

ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର-ପୂର୍ବ ବିହାରରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ୍‌ ରେଖା ସକ୍ରିୟ ରହିଛି । ଏହାର ପ୍ରଭାବରେ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷାର ପରିବେଶ ସୃଷ୍ଟି ହୋଇପାରେ । ସେପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଆଗାମୀ କିଛି ଦିନରେ ତାପମାତ୍ରା କମିଲେ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ଆଶା କରାଯାଉଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Weather Update | Odisha Heatwave Update: Temperature May Drop by 2–3°C, Rain Likely in These Districts | Argus News Odia