Cyclone Montha Impact / ବାତ୍ୟା ମୋନ୍ଥା ପାଇଁ ଶିମିଳିପାଳ ବନ୍ଦ

Key Points
ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ଜାତୀୟ ଉଦ୍ୟାନ ଶିମିଳିପାଳ।
ବାତ୍ୟା ମୋନ୍ଥା ପାଇଁ ବନ୍ଦ ରହିବ ଶିମିଳିପାଳ। ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ଜାତୀୟ ଉଦ୍ୟାନ ଶିମିଳିପାଳ। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିବା ପରେ ଶିମିଳିପାଳ କର୍ତ୍ତୃପକ୍ଷ ଏହି ନିଷ୍ପତି ନେଇଛନ୍ତି।
ୟେଲୋ ୱାର୍ଣ୍ଣିଙ୍ଗ ଯୋଗୁଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଆସନ୍ତାକାଲି ଠାରୁ ଜାତୀୟ ଉଦ୍ୟାନ ଶିମିଳିପାଳ ପର୍ଯ୍ୟଟକ ମାନଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରକାଶଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ୫ ଘଣ୍ଟାଧରି ଜାରି ରହିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଆଇଏମଡ଼ି ପକ୍ଷରୁ ବଡ଼ ସୂଚନା। ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ୫ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପକ୍ରିୟା । ବଡ଼ ବାତ୍ୟା ହୋଇଥିବାରୁ ବାତ୍ୟାର ଆଖି ନାହିଁ । ଘଣ୍ଟାପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରୁଛି । ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରୁଛି ।
ସେପଟେ ବାତ୍ୟା 'ମୋନ୍ଥା'ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ମୋନ୍ଥାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛନ୍ତି । ସରକାର ଜିରୋ କାଜୁଆଲିଟି ଦିଗରେ କାର୍ଯ୍ୟ କରୁଛନ୍ତି ।"
୨ ହଜାର ୪୮ଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ଏବେ ସୁଦ୍ଧା ୮ଟି ଜିଲ୍ଲାରେ ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଆବଶ୍ୟକ ସ୍ଥଳେ ଆଉ ୩୦ ହଜାର ୫୫୪ ଜଣଙ୍କୁ ଆଶ୍ରୟ ସ୍ଥଳୀକୁ ନେବା ପାଇଁ ଚିହ୍ନଟ କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏବେ ସୁଦ୍ଧା ୧ ହଜାର ୮୭୧ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ଆଉ ୮୨୨ ଜଣଙ୍କୁ ସ୍ଥାନାନ୍ତର କରାଯିବ । ମୋଟ ୨ ହଜାର ୬୯୩ ଜଣ ଗର୍ଭବତୀ ସ୍ଥାନାନ୍ତରିତ ହେବେ । ବିଦ୍ୟୁତ୍ ଓ ପାଣି ବନ୍ଦୋବସ୍ତ ପାଇଁ ୩୯ଟି ଓଡ୍ରାଫ, ୧୨୩ଟି ଅଗ୍ନିଶମ, ୫ଟି NDRF ଟିମ୍ଙ୍କୁ ମୁତୟନ କରାଯାଇଛି । ପର୍ଯ୍ୟଟକଙ୍କୁ ଗୋପାଳପୁର, ମହେନ୍ଦ୍ରଗିରି, ଦେଓମାଳି ଆଦି ପର୍ଯ୍ୟଟନସ୍ଥଳୀକୁ ବାରଣ କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି ।
📱 Get Argus News App
✨Related Topics
Explore more stories