Murder Mystery / ବାହା ହୋଇଥିବା ନେଇ ଲୁଚାଇଥିଲା ଦୀପକ, ଜାଣିବାରୁ ଭୁବନେଶ୍ଵରରେ ହତ୍ୟା ପରେ କେନ୍ଦୁଝରରେ ପୋତିଦେଲା

Key Points
ପୂର୍ବରୁ ବିବାହ କରିଥିବା ଦୀପକ ୨୦୨୪ ଜୁଲାଇରେ ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିଥିଲା । ଆଉ ମନ ଦେଇ ବସିଥିବା ଶୁଭମିତ୍ରା, ଦୀପକକୁ ଭରସା କରି ସଞ୍ଚିତ ଅର୍ଥ ବି ଦେଇ ଦେଇଥିଲେ । ଆଉ ପ୍ରତାରକ ଦୀପକ, ଶୁଭମିତ୍ରାଙ୍କ ବିଶ୍ଵାସରେ ବିଷ ଦେଇ ମାରିବା ପରେ ପୋତି ଦେଲା ।
ଭୁବନେଶ୍ଵର: ପ୍ରେମରେ ଭରି ରହିଥିଲା ପ୍ରତାରଣା । ଲୋଭ ଥିଲା ଖାଲି ଟଙ୍କାରେ । ବିବାହିତ ହୋଇ ବି ରଖିଥିଲା ସମ୍ପର୍କ । ଟଙ୍କା ନେଇ ମେଣ୍ଟାଉଥିଲା ସଉକ । ଆଉ ଯେତେବେଳେ ଶୁଭମିତ୍ରା ସବୁ ସତ ଜାଣିଲା, ସେତେବେଳେ ଦୀପକ ପାଲଟିଗଲା ପିଶାଚ । ରାଜଧାନୀ ଭୁବନେଶ୍ଵରରେ କାର୍ ଭିତରେ ତଣ୍ଟି ଚିପି ମାରିବା ପରେ ନେଇ ଯାଇଥିଲା କେନ୍ଦୁଝର । ଆଉ ସେଠି ଅଖାରେ ଶୁଭମିତ୍ରାଙ୍କ ମରଶରୀରକୁ ବାନ୍ଧି ମାଉସୀ ପୁଅ ସହାୟତାରେ ଜଙ୍ଗଲରେ ପୋତି ଦେଇଥିଲା । ମାମଲାରେ ପୋଲିସ ଅଭିଯୁକ୍ତ ଦୀପକ ସହ ଆଉ ୨ ଜଣଙ୍କୁ ଗିରଫ କରିଛି । ଘଟଗାଁର ଜଙ୍ଗଲରୁ ଜେସିବି ସହାୟତାରେ ମାଟି ଖୋଳି ବାହାର କରାଯାଇଛି ଶୁଭମିତ୍ରାର ମୃତଦେହ ।
ଅଭିଯୁକ୍ତ ଦୀପକ ରାଉତକୁ କ୍ରାଇମ୍ ସିନ୍ରିକ୍ରିଏସନ୍ ଲାଗି ପୋଲିସ କେନ୍ଦୁଝର ନେବା ସହ ହାତେଇଛି ନୂଆ ତଥ୍ୟ । ଜେସିବି ସହାୟତାରେ ମାଟି ଖୋଳି ଜଙ୍ଗଲରୁ ଉଦ୍ଧାର କରାଯାଇଛି ଶୁଭମିତ୍ରାର ମୃତଦେହ । ଭୁବନେଶ୍ଵରରେ ମାରିବା ପରେ ମାଉସୀ ପୁଅ ଓ ଅନ୍ଯ ଜଣଙ୍କ ସହାୟତାରେ ଦୀପକ ଶୁଭମିତ୍ରାଙ୍କ ମରଶରୀରକୁ ଅଖାରେ ବାନ୍ଧି ପୋତି ଦେଇଥିଲା । ଏବେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ନିଖୋଜର ୧୨ ଦିନ ପରେ ପୋଲିସ ହାତରେ ସବୁ ପ୍ରମାଣ ଲାଗିଥିବା ବେଳେ ୧୦ ଲକ୍ଷ ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି ।
ଏଥିସହ ପଢ଼ନ୍ତୁ: ନିଖୋଜ ମହିଳା କନେଷ୍ଟବଳଙ୍କୁ ହତ୍ୟା, ଜଙ୍ଗଲରେ ମାରି ଫିଙ୍ଗିଦେଲା ପ୍ରେମିକ
📱 Get Argus News App
✨
ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, 'ଶୁଭମିତ୍ରା ନିଖୋଜ ଅଭିଯୋଗ ପରେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷଥର ପାଇଁ ଶୁଭମିତ୍ରା, ଦୀପକଙ୍କ ସହ କଥା ହୋଇଥିବାରୁ ପୋଲିସ ତାଙ୍କ ଉପରେ ନଜର ରଖିଥିଲା । ସବୁ ତଥ୍ୟ ପ୍ରମାଣ ମିଳିବା ପରେ ଦୀପକକୁ ଗିରଫ କରାଯାଇଛି । ଶୁଭମିତ୍ରାଙ୍କ ଠାରୁ ଦୀପକ ୧୦ ଲକ୍ଷ ଟଙ୍କା ନେଇଥିଲେ । ଆଉ ଧାର ଟଙ୍କା ଫେରାଇବାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ଏହି ଝଗଡ଼ା ପରେ ହିଁ ଦୀପକ ରଚିଥିଲା ହତ୍ୟା ଷଡ଼ଯନ୍ତ୍ର ।' ଏହାଛଡ଼ା ଶୁଭମିତ୍ରାଙ୍କ ନାଁରେ ୧ କୋଟିର ଜୀବନ ବୀମା ଥିବାରୁ ଟଙ୍କା ହଡ଼ପ ପାଇଁ ହତ୍ୟା କରାଯାଇଥାଇ ପାରେ ବୋଲି ସନ୍ଦେହ କରୁଛି ପୋଲିସ ।
ମାମଲାରେ ପୋଲିସ ଏବେ ଅଭିଯୁକ୍ତ ଦୀପକ ରାଉତ ସହ ତା'ର ମାଉସୀ ପୁଅ ବିନୋଧ ଭୂୟାଁଙ୍କ ସହ ତୃତୀୟ ଅଭିଯୁକ୍ତ ଜଟିଆ ମହାନ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଶୁଭମିତ୍ରାଙ୍କୁ ହତ୍ୟା ପରେ ଜଟିଆ ମହାନ୍ତଙ୍କ ଜମିରେ ମୃତଦେହକୁ ଦୀପକ ପୋତି ଦେଇଥିଲା । ଦୀପକ ମଧ୍ୟ ପୋଲିସି ବିଭାଗରେ କନଷ୍ଟେବଲ୍ ଥିବାରୁ ବେଶ ଚତୁରତାର ସହ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରିଥିଲା ।
କେହି ଯେଭଳି ଦୀପକକୁ ସନ୍ଦେହ ନ କରିବେ ସେଥିପାଇଁ ସେ ବଡ଼ ଯୋଜନା ବି କରିଥିଲା । ପୂର୍ବରୁ ବିବାହ କରିଥିବା ଦୀପକ ୨୦୨୪ ଜୁଲାଇରେ ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିଥିଲା । ଆଉ ମନ ଦେଇ ବସିଥିବା ଶୁଭମିତ୍ରା, ଦୀପକକୁ ଭରସା କରି ସଞ୍ଚିତ ଅର୍ଥ ବି ଦେଇ ଦେଇଥିଲେ । ଆଉ ପ୍ରତାରକ ଦୀପକ, ଶୁଭମିତ୍ରାଙ୍କ ବିଶ୍ଵାସରେ ବିଷ ଦେଇ ମାରିବା ପରେ ପୋତି ଦେଇଥିଲା ।
Related Topics
Explore more stories