ନିଖୋଜ ମହିଳା କନେଷ୍ଟବଳଙ୍କୁ ହତ୍ୟା, ଜଙ୍ଗଲରେ ମାରି ଫିଙ୍ଗିଦେଲା ପ୍ରେମିକ

Key Points
ରାଜଧାନୀରୁ ମହିଳା କନେଷ୍ଟବଳ ନିଖୋଜ ମାମଲା। କେନ୍ଦୁଝର ଘଟଗାଁ କାଜୁ ଜଙ୍ଗଲରୁ ମିଳିଲା ଶୁଭମିତ୍ରାଙ୍କ ମୃତଦେହ।ମୃତଦେହ ଉଦ୍ଧାର କରି ଛାନଭିନ୍ କରୁଛି ସ୍ପେଶାଲ୍ ସ୍କ୍ବାର୍ଡ।
ରାଜଧାନୀରୁ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ ନିଖୋଜ ମାମଲା । କେନ୍ଦୁଝରର କାଜୁ ଜଙ୍ଗଲରୁ ମିଳିଲା ଶୁଭମିତ୍ରାଙ୍କ ମୃତଦେହ । ସ୍ପେଶାଲ ସ୍କ୍ବାର୍ଡ ଶୁଭମିତ୍ରାଙ୍କ ମୃତଦେହ ୧୨ ଦିନ ପରେ ଉଦ୍ଧାର କରିଛି । ଶୁଭମିତ୍ରାଙ୍କ ପୁରୁଷ ବନ୍ଧୁକୁ ଅଟକ ରଖି ପଚରା ଉଚରା ବେଳେ ସେ ମହିଳା କନେଷ୍ଟବଳଙ୍କୁ ମାରି କେନ୍ଦୁଝର ଘଟଗାଁର ଜଙ୍ଗଲରେ ଫିଙ୍ଗି ଦେଇଥିବା ମାନିଥିଲା । ତେବେ ସବୁଠୁ ବଡ଼ କଥା ହେଉଛି ମହିଳା କନେଷ୍ଟବଳଙ୍କ ପୁରୁଷ ବନ୍ଧୁ ମଧ୍ୟ ଜଣେ କନେଷ୍ଟବଳ । ହତ୍ୟା କରିଥିବା ମାନିବା ପରେ ପୋଲିସ୍ ତାକୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୬ ତାରିଖରୁ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ନିଖୋଜ ଥିଲେ । ଶୁଭମିତ୍ରା ଡିସିପି ଅଫିସକୁ ଡ୍ୟୁଟି ଆସି ସନ୍ଧ୍ୟା ସମୟରେ ଘରକୁ ଫେରିଥିଲେ । ଏହାପରଠୁ ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା । ଶୁଭମିତ୍ରାଙ୍କ ଯୋଗାଯୋଗ ନହେବାରୁ ତାଙ୍କ ବାପା ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ ।
ବାପାଙ୍କ ଅଭିଯୋଗ ପରେ ପୋଲିସ ମାମଲାରେ ଛାନ୍ଭିନ୍ ଆରମ୍ଭ କରିଥିଲା । ମହିଳା କନେଷ୍ଟବଲ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ ବାବଦରେ ଜାଣିବାକୁ ପାଇଥିଲା ପୋଲିସ । ପରେ ତାଙ୍କୁ ମାରାଥନ ଜେରା କରିଥିଲା ପୋଲିସ । ଏହି ଜେରା ସମୟରେ ସେ ପୋଲିସ ଆଗରେ ସବୁ ସତ ମାନିଥିବା କୁହାଯାଉଛି । ତେବେ ପୁରୁଷ ବନ୍ଧୁ ଶୁଭମିତ୍ରାଙ୍କୁ କାହିଁକି ଓ କେମିତି ହତ୍ୟା କଲା ତାର କାରଣ ଅସ୍ପଷ୍ଟ ରହିଥିବାବେଳେ କମିଶନରେଟ୍ ପୋଲିସ ଘଟଣାର ଅଧିକ ଛାନଭିନ୍ ଜାରି ରଖିଛି ।