|
logo
Live
Argus News App
GET APP

Argus News - ଉପନିର୍ବାଚନ ହେଲେ ବିକ୍ରମ ପଣ୍ଡା ବିଧାୟକ ହେବା ଆଶା ହିଁ ପୀତବାସ ପଣ୍ଡା ହତ୍ୟାର କାରଣ: ଏସ୍‌ପି

Crime

Pitabas Panda Murder Mystery / ଉପନିର୍ବାଚନ ହେଲେ ବିକ୍ରମ ପଣ୍ଡା ବିଧାୟକ ହେବା ଆଶା ହିଁ ପୀତବାସ ପଣ୍ଡା ହତ୍ୟାର କାରଣ: ଏସ୍‌ପି

Sushanta Sahoo
Browse all articles by Sushanta Sahoo
·5 months ago·5 min read
ଉପନିର୍ବାଚନ ହେଲେ ବିକ୍ରମ ପଣ୍ଡା ବିଧାୟକ ହେବା ଆଶା ହିଁ ପୀତବାସ ପଣ୍ଡା ହତ୍ୟାର କାରଣ: ଏସ୍‌ପି

Key Points

ବିକ୍ରମଙ୍କ ବିଧାୟକ ହେବା ଆଶା, ଶିବଶଙ୍କରଙ୍କ ମେୟର ହେବାର ସ୍ଵପ୍ନ ହିଁ ପୀତବାସଙ୍କ ମୃତ୍ୟୁର କାରଣ । ହତ୍ୟା ମାମଲାରେ ୧୨ ଜଣ ବନ୍ଧା ହୋଇଥିବା ବେଳେ ପୀତବାସଙ୍କୁ ହତ୍ୟା ପଛରେ ରାଜନୈତିକ ସହ ବ୍ୟକ୍ତିଗତ, ବୃତ୍ତିଗତ ଓ ବ୍ୟବସାୟିକ କାରଣ ଥିବା କହିଛନ୍ତି ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକ ଏମ୍ ।
ବ୍ରହ୍ମପୁର: ହାଇପ୍ରୋଫାଇଲ୍ ପୀତବାସ ପଣ୍ଡା ହତ୍ୟା ଘଟଣାର ଗୁମର ଖୋଲିଛି ପୋଲିସ । ପୁଣି ବିଧାୟକ ହେବା ଆଶା, ମେୟର ହେବାର ସ୍ଵପ୍ନ ହିଁ ପୀତବାସଙ୍କ ମୃତ୍ୟୁର କାରଣ । ହତ୍ୟା ମାମଲାରେ ୧୨ ଜଣ ବନ୍ଧା ହୋଇଥିବା ବେଳେ ପୀତବାସଙ୍କୁ ହତ୍ୟା ପଛରେ ରାଜନୈତିକ ସହ ବ୍ୟକ୍ତିଗତ, ବୃତ୍ତିଗତ ଓ ବ୍ୟବସାୟିକ କାରଣ ଥିବା କହିଛନ୍ତି ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକ ଏମ୍ ।

୧୨ ଗିରଫଙ୍କ ଭିତରେ ବିଜେଡି ଜିଲ୍ଲା ସଭାପତି

ପୀତବାସଙ୍କ ହତ୍ୟା ମାମଲାରେ ପୋଲିସ ୧୭ ଦିନର ଖୋଳତାଡ଼ ପରେ ୧୨ ଜଣଙ୍କୁ ବାନ୍ଧିଛି । ପୂର୍ବରୁ ପୀତବାସଙ୍କ ଅତି ଘନିଷ୍ଠ ବନ୍ଧୁଥିବା ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା ମଧ୍ୟ ଗିରଫ ହୋଇଛନ୍ତି ।

ଅନ୍ୟ ଗିରଫଙ୍କ ମଧ୍ୟରେ ପୂର୍ବତନ ମେୟର ଶିବଶଙ୍କର ଦାଶ, ବିକ୍ରମଙ୍କ ଘନିଷ୍ଠ ସହଯୋଗୀ ମଦନ ଦଳାଇ, କର୍ପୋରେଟର ମଳୟ ବିଷୋୟୀ, ଛାତ୍ର ନେତା ଯୋଗେନ୍ଦ୍ର ରାଉତ, ରାଜେନ୍ଦ୍ର ସାହୁ, ବିହାରୀ ସାର୍ପ ସୁଟର ଶିଶୁପାଳ ପାଶୱାନ, କୁନ୍ଦନ କୁମାର ଅଛନ୍ତି ।

ଏଥିସହ ପଢ଼ନ୍ତୁ: ପୀତବାସ ପଣ୍ଡା ହତ୍ୟା ମାମଲା; ଗଞ୍ଜାମ ଜିଲ୍ଲା BJD ସଭାପତି ବିକ୍ରମ ପଣ୍ଡା ଗିରଫ

ହତ୍ୟା ପଛର କାରଣ

ପୂର୍ବରୁ ଦୁଇ ଭଲ ବନ୍ଧୁ ଥିବା ପୀତବାସ ଓ ବିକ୍ରମ ପଣ୍ଡାଙ୍କ ମଧ୍ୟରେ ବାର୍ କାଉନସିଲ୍ ନିର୍ବାଚନରୁ ସମ୍ପର୍କ ତିକ୍ତ ହୋଇଥିଲା, ଶତ୍ରୁତା ବଢ଼ିଥିଲା । ଓଡ଼ିଶାରେ ଅଧିକ ଭୋଟ୍ ପାଇ ବି ପୀତବାସ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ କିମ୍ବା କୌଣସି ପଦ ପଦବୀ ପାଇନଥିଲେ । ଯାହାକୁ ନେଇ ସେ ଭାବିଥିଲେ ବିକ୍ରମ ପଣ୍ଡାଙ୍କ ପାଇଁ ଏଭଳି ହୋଇଛି ।

ଏହାପରେ ବିକ୍ରମ ପଣ୍ଡାଙ୍କ ବିରୋଧରେ ଲାଗି ପଡ଼ିଥିଲେ ପୀତବାସ । ବିକ୍ରମଙ୍କ ରାଜନୈତିକ କ୍ୟାରିୟର୍ ଶେଷ କରିଦେବାକୁ ବି ଶପଥ ନେଇଥିଲେ, ବିକ୍ରମଙ୍କ ବିରୋଧରେ ଲୋକଙ୍କୁ କହି ବୁଲୁଥିଲେ ପୀତବାସ । ସେପଟେ ସୋସିଆଲ୍ ମିଡିଆରେ ବିକ୍ରମଙ୍କ ବିରୋଧରେ ଯାହା ଆସୁଥିଲା ସେ ପଛରେ ପୀତବାସ ଥିବା ଭାବୁଥିଲେ ବିକ୍ରମ ପଣ୍ଡା ।

ଯାହାକୁ ନେଇ ପୀତବାସ ଓ ବିକ୍ରମଙ୍କ ମଧ୍ୟରେ ବଢ଼ିବାରେ ଲାଗିଥିଲା ବ୍ୟକ୍ତିଗତ ଶତ୍ରୁତା । ଆଉ ରାଜନୈତିକ କ୍ଷେତ୍ରରେ ବଢ଼ିବାକୁ ହେଲେ ପୀତବାସଙ୍କୁ ସଫା କରିବାକୁ ନିଷ୍ପତ୍ତି ନେଇଥିଲେ ଉଭୟ ବିକ୍ରମ ପଣ୍ଡା ଓ ଶିବଶଙ୍କର ଦାଶ (ପିଣ୍ଟୁ) । ଏଥିପାଇଁ ବିକ୍ରମ ପଣ୍ଡା, ମଳୟ ବିଷୋୟୀ ଓ ମଦନ ଦଳେଇଙ୍କୁ ନିୟୋଜିତ କରିଥିଲେ ।

ଉପନିର୍ବାଚନ ଆଶାରେ ଷଡ଼ଯନ୍ତ୍ର

୨୦୨୪ ସାଧାରଣ ନିର୍ବାଚନ ପରେ ଏକ ନିର୍ବାଚନୀ ପିଟିସନ୍ ଦାଖଲ ହୋଇଥିଲା । ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ବିରୋଧରେ ପିଣ୍ଟୁ ଦାଶ ପିଟିସନ୍ କରିଥିଲେ । ତାଙ୍କ ଘରେ କାମ କରୁଥିବା ମୂଲିଆଙ୍କ ଜରିଆରେ ପିଟିସନ୍ ଦେଇଥିଲେ ପିଣ୍ଟୁ ଦାଶ ।

ବ୍ରହ୍ମପୁର ବିଧାନସଭା ନିର୍ବାଚନ ଅସିଦ୍ଧ ହେଲେ ଉପନିର୍ବାଚନ ହୋଇଥାନ୍ତା । ଆଉ ବିକ୍ରମ ପଣ୍ଡା ଉପନିର୍ବାଚନରେ ଲଢ଼ିଥାନ୍ତେ । ଏଥିପାଇଁ ମନୋଜ ପଣ୍ଡାଙ୍କ ଜରିଆରେ ପିଣ୍ଟୁ ଦାଶ ପିଟିସନ୍ ଦାଖଲ କରିଥିବା ବେଳେ ଟଙ୍କା ଖର୍ଚ୍ଚ କରୁଥିଲେ ବିକ୍ରମ ପଣ୍ଡା ।

ଆଉ ବିକ୍ରମ ପୁଣି ଥରେ ବ୍ରହ୍ମପୁର ବିଧାୟକ ହୋଇଥିଲେ ମେୟର ହୋଇଥାନ୍ତେ ପିଣ୍ଟୁ । ଏନେଇ ଶିବଶଙ୍କର ଓରଫ ପିଣ୍ଟୁଙ୍କୁ ବିକ୍ରମ ପଣ୍ଡା ମେୟର ହେବାର ସ୍ଵପ୍ନ ଦେଖାଇଥିଲେ । କହିଥିଲେ, ଉପନିର୍ବାଚନ ଜିତି ମୁଁ ବିଧାୟକ ହେଲେ ପିଣ୍ଟୁଙ୍କୁ ପୁଣି ଥରେ ମେୟର କରାଇବେ ।

ପିଣ୍ଟୁଙ୍କ ସହ ୧୨ ବର୍ଷର ଶତ୍ରୁତା

୨୦୧୩ରେ ଶାନ୍ତି ମିଶ୍ର ହତ୍ୟା ଘଟଣାରେ ୧୩ ଜଣ ଗିରଫ ହୋଇଥିଲେ । ଆଉ ସେତେବେଳେ ମାମଲା ଲଢ଼ି ଜଣେ ଅଭିଯୁକ୍ତଙ୍କ ଜାମିନ କରାଇ ଦେଇଥିଲେ ପୀତବାସ । ଜାମିନରେ ମୁକୁଳି ଆସିଥିବା ଅଭିଯୁକ୍ତ ତିନିଥର ଗୁଳି କରି ପିଣ୍ଟୁଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଥିଲା । ସେବେଠୁ ଶିବଶଙ୍କର ଓରଫ୍ ପିଣ୍ଟୁ ଭାବି ଆସୁଥିଲେ ତାଙ୍କ ବିଧାୟକ ଟିକେଟ୍ କଟିବା ପଛରେ ରହିଛି ପୀତବାସ ପଣ୍ଡାଙ୍କ ହାତ । ପିଣ୍ଟୁ ଦାଶଙ୍କ ନାଁରେ ଏବେ ସୁଦ୍ଧା ୩୮ଟି ଅପରାଧିକ ମାମଲା ରହିଛି । ୨୦୨୪ ସାଧାରଣ ନିର୍ବାଚନ ସମୟରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରି ଶିବଶଙ୍କର ଜେଲ୍ ଯାଇଥିଲେ ।

ଆହୁରି ପଢ଼ନ୍ତୁ: ଗୁମର ଖୋଲିଲା ପୋଲିସ; ରାଜନୈତିକ ଶତ୍ରୁତାରୁ ପୀତବାସଙ୍କୁ ହତ୍ୟା, ଦୁଇଥର ହୋଇଥିଲା ପ୍ଲାନ୍

ସେପ୍ଟେମ୍ବରରେ ବିଫଳ, ଅକ୍ଟୋବରରେ ହତ୍ୟା

ସେପଟେ ସମୟ ବଦଳିବା ସହ ପୀତବାସଙ୍କ ଠାରୁ ବିକ୍ରମ ପଣ୍ଡା ଦୂରେଇ ଯାଆନ୍ତି । ଆଉ ବିକ୍ରମ ପଣ୍ଡାଙ୍କ ସହ ମିଶି ସବୁଦିନ ପାଇଁ ପୀତବାସଙ୍କୁ ହତ୍ୟା କରିବାକୁ ଯୋଜନା କରନ୍ତି ଶିବଶଙ୍କର ଦାଶ । ଆଉ ଏଥିରେ ସହଯୋଗ କରିଥିଲେ ଉମା ବିଷୋୟୀ ଓ ଯୋଗେନ୍ଦ୍ର ରାଉତ । ବିଜେଡି କର୍ପୋରେଟର ମଳୟ ବିଷୋୟୀଙ୍କ ସହ ମିଶି ବିକ୍ରମଙ୍କ ଘନିଷ୍ଠ ସହଯୋଗୀ ମଦନ ଦଳେଇ ହତ୍ୟାର ସବୁ ଯୋଜନା କରିନ୍ତି । 

ଯୋଜନା ଅନୁସାରେ, ସେପ୍ଟେମ୍ବର ୧୦ରେ ବିହାରରୁ ଦୁଇ ସାର୍ପ ସୁଟର ବ୍ରହ୍ମପୁର ଆସି ରେକି କରନ୍ତି । ସେପ୍ଟେମ୍ବର ୧୪ ତାରିଖରେ ହତ୍ୟା ପାଇଁ ଷଡ଼ଯନ୍ତ୍ର ବି ହୁଏ । ହେଲେ ବିହାରରୁ ଆସିଥିବା ଅପରାଧୀ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଫେରି ପଳାନ୍ତି । ଏହା ପରେ ଉମା ବିଷୋୟୀ ସ୍ଥାନୀୟ ଅପରାଧୀଙ୍କୁ ଏଥିରେ ନିୟୋଜିତ କରିଥିଲେ ।

ବେଙ୍ଗାଲୁରୁରେ କାମ କରୁଥିବା ଚିଣ୍ଟୁ ପ୍ରଧାନ ସହ କୁରୁପତି ଭୂୟାଁଙ୍କୁ ସୁପାରି ଦେଇଥିଲେ ଉମା ବିଷୋୟୀ । ସେମାନଙ୍କୁ ୮ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା । ଗୁଳି କରିବାକୁ ୫ ଲକ୍ଷ ଓ ବାଇକ୍ ଚାଳକଙ୍କୁ ୩ ଲକ୍ଷ ଟଙ୍କା ଦେଇଥିଲେ । ଉଭୟଙ୍କୁ ପୀତବାସଙ୍କ ଚ୍ୟାମ୍ବର ନିକଟରେ ଏକ ଘରେ ରଖିଥିଲେ । ଅକ୍ଟୋବର ୬ ତାରିଖରେ ପୀତବାସଙ୍କ ଘର ଛକ ପାଖରେ ଗାଡ଼ି ରଖି ଚିଣ୍ଟୁ ଓ କୁରୁପତି ଛକି ରହିଥିଲେ । ପୀତବାସ ଆସିବାରୁ ତାଙ୍କ ନମସ୍କାର କରି ସେ ବୋଲି ସ୍ପଷ୍ଟ ହେବା ପରେ ଗୁଳି କରିଥିଲେ କୁରୁପତି ।

କେମିତି ଫେରାର୍ ହେଲେ ?

ଫାୟାରିଂ ପରେ ଚିଣ୍ଟୁ ବାଇକ୍ ଚଳାଇବା ସହ କୁରୁପତି ବସି ଖସି ପଳାଇଥିଲେ । ଦୁହେଁ ସେଠାରୁ ଖସିଯିବା ସହ ଶୀତଳାପଲ୍ଲୀରେ ପୋଷାକ ବଦଳାଇବା ସହ ସେଠାରେ ବନ୍ଧୁକ ପୋତି ପୁରୁଷୋତ୍ତମପୁର ଦେଇ ପଳାଇଥିଲେ । ରାମେଶ୍ଵର ନିକଟରେ ବାଇକ୍ ରଖି ଦେଇ ବସ୍ ଯୋଗେ ଭୁବନେଶ୍ଵର ଆଉ ସେଠାରୁ ପୁରୀ ଖସି ଯାଇଥିଲେ । ହତ୍ୟା ପୂର୍ବରୁ ସମସ୍ତେ ମୋବାଇଲ୍ ବ୍ୟବହାର ଛାଡ଼ି ଦେଇଥିଲେ । ପୁରୀରୁ ଚିଣ୍ଟୁ ବେଙ୍ଗାଲୁରୁ ପଳାଇଥିବା ବେଳେ କୁରୁପତି ଜୟପୁର ଯାଇଥିଲେ । ହତ୍ୟା ବାବଦରେ ଜାଣିବା ପରେ ମଧ୍ୟ ବିକ୍ରମ ପଣ୍ଡାଙ୍କ ଜଣେ ସହଯୋଗୀ ସୁନୀଲ ହୋତା କୁରୁପତିଙ୍କୁ ଆଶ୍ରୟ ଦେଇଥିଲେ ।

ହତ୍ୟା ପାଇଁ ୫୦ ଲକ୍ଷର ଡିଲ୍

ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ବେଳେ ଅଗ୍ରୀମ ଭାବେ ୧୦ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି । ହତ୍ୟା ପଛରେ ରାଜନୈତିକ ଶତ୍ରୁତା ଥିବା ପୋଲିସ କହିଛି । ମାମଲାରେ ବ୍ରହ୍ମପୁର ପୋଲିସ ମୋଟ ୧୨ ଜଣଙ୍କୁ ଗିରଫ କରିଛି । ଏବେ ୩ ଜଣ ଫେରାର୍ ରହିଥିବା କହିଛନ୍ତି ବ୍ରହ୍ମପୁର ଏସ୍‌ପି ।

ବ୍ୟକ୍ତିଗତରୁ ବ୍ୟବସାୟିକ ବିବାଦ

ପୂର୍ବରୁ ବିକ୍ରମ ପଣ୍ଡାଙ୍କ ସହ ପୀତବାସଙ୍କ ବ୍ୟକ୍ତିଗତ ବିବାଦ ଲାଗି ରହିଥିବା ବେଳେ ବ୍ୟବସାୟିକ ବିବାଦ ବି ବଢ଼ିଥିଲା । ସୁଦର୍ଶନ ଜେନା, ମଦନ ଦଳେଇ ଓ ବିକ୍ରମ ପଣ୍ଡା ବିଭିନ୍ନ ବ୍ୟବସାୟ କରନ୍ତି । ଆଉ ସେମାନଙ୍କ ବ୍ୟବସାୟରେ କ୍ଷତି ପାଇଁ ସୁଦର୍ଶନ ଓ ମଦନ ଭାବୁଥିଲେ, ପୀତବାସଙ୍କ ପାଇଁ କ୍ଷତି ହେଉଛି । ଅନ୍ୟପଟେ ପୀତବାସ ମଧ୍ୟ ସୁଦର୍ଶନ ଓ ମଦନ କରୁଥିବା ସନ୍ଦେହକୁ ବିଭିନ୍ନ ଲୋକଙ୍କ ମାଧ୍ୟମରେ ଦୃଢ଼ୀଭୂତ କରୁଥିଲେ ।

ପୀତବାସଙ୍କ ହତ୍ୟା ମାମଲାରେ ପୋଲିସ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି । ହତ୍ୟା ପାଇଁ ଅପରାଧିକ ଷଡ଼ଯନ୍ତ୍ରରେ ବିକ୍ରମ ପଣ୍ଡାଙ୍କ ବିରୋଧରେ ବୈଷୟିକ ପ୍ରମାଣ (Technical Evidence) ପୋଲିସକୁ ମିଳିଛି । ଏଥିସହ ପୋଲିସ ଗୋଟିଏ ଦେଶୀ ବନ୍ଧୁକ ସହ ଆଉ ଏକ ବନ୍ଧୁକ ଜବତ କରିଛି । ୧୨ ଜଣ ଗିରଫ ହୋଇଥିବା ବେଳେ ୩ ଜଣ ଫେରାର୍ ଅଛନ୍ତି । ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀ ଧରାପଡ଼ି ନାହିଁ । ଫେରାର୍ ଅଭିଯୁକ୍ତମାନେ ଗିରଫ ହେବା ପରେ ଘଟଣାର ଅନ୍ୟ ଦିଗ ଉପରୁ ପରଦା ହଟିବ ବୋଲି ବ୍ରହ୍ମପୁର ଏସ୍‌ପି କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pitabas Panda Murder Mystery : ଉପନିର୍ବାଚନ ହେଲେ ବିକ୍ରମ ପଣ୍ଡା ବିଧାୟକ ହେବା ଆଶା ହିଁ ପୀତବାସ ପଣ୍ଡା ହତ୍ୟାର କାରଣ: ଏସ୍‌ପି | Argus News