|
logo
Live
Argus News App
GET APP

Argus News - ପୁଣି ଦିଲ୍ଲୀ ସ୍କୁଲକୁ ବୋମାରେ ଉଡ଼ାଇଦେବାକୁ ଧମକ; କ୍ଲାସରୁମ୍ ଖାଲି କଲା ପୋଲିସ

National

Bomb Threat / ପୁଣି ଦିଲ୍ଲୀ ସ୍କୁଲକୁ ବୋମାରେ ଉଡ଼ାଇଦେବାକୁ ଧମକ; କ୍ଲାସରୁମ୍ ଖାଲି କଲା ପୋଲିସ

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ପୁଣି ଦିଲ୍ଲୀ ସ୍କୁଲକୁ ବୋମାରେ ଉଡ଼ାଇଦେବାକୁ ଧମକ; କ୍ଲାସରୁମ୍ ଖାଲି କଲା ପୋଲିସ
Bomb Threat

Key Points

୪ ଦିନ ପରେ ପୁଣି ଦିଲ୍ଲୀ ସ୍କୁଲକୁ ବୋମା ଧମକ
ଏଥର ୧୩ଟି ସ୍କୁଲକୁ ବୋମା ଧମକ ମିଳିଛି
ତନାଘନା କରୁଛି ପୋଲିସ 
ବିତିନି ୪ ଦିନ । ପୁଣି ଦିଲ୍ଲୀ ସ୍କୁଲକୁ ଆସିଲା ବୋମା ଧମକ । ଶୁକ୍ରବାର ସକାଳୁ ସକାଳୁ ଏହି ବୋମା ଧମକ ଆସିଥିଲା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଖବର ପାଇ ବୋମା ଧମକ ମିଳିଥିବା ସ୍କୁଲ ପାଖରେ ଅଗ୍ନିଶମ ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଟିମ ପହଞ୍ଚିଥିଲା । ଗତ ସପ୍ତାହ ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀର ସ୍କୁଲଗୁଡ଼ିକୁ ଏପରି ଦ୍ଵିତୀୟ ଥର ଲାଗି ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି । ଗତ ଫେବୃଆରୀ ୯ ତାରିଖରେ ଏକାଥରକେ ୧୫ଟି ସ୍କୁଲକୁ ବୋମା ଧମକ ମିଳିଥିଲା ।

ପୋଲିସର କହିବାନୁସାରେ, ଝଣ୍ଡେୱାଲାନଠାରେ ଥିବା ବିଟି ତାମିଲ ସ୍କୁଲ, ସର୍ଦ୍ଦାର ପଟେଲ ବିଦ୍ୟାଳୟ ଓ ବ୍ରିଟିଶ ସ୍କୁଲକୁ ଏହି ବୋମା ଧମକ ଦିଆଯାଇଛି । ପୋଲିସ କହିଛି ଯେ ପ୍ରଥମେ ଏହି ବୋମା ଧମକ ସମ୍ବନ୍ଧୀୟ କଲ୍ ସକାଳ ୯ଟା ୧୨ ମିନିଟରେ ୩ଟି ସ୍କଲକୁ ଆସିଥିଲା । ଏହାପରେ ଆଉ କିଛି ସ୍କୁଲକୁ ଇମେଲ ଜରିଆରେ ବୋମା ଧମକ ଆସିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ତେବେ ଅଜଣା ମେଲ୍ ଆଇଡିରୁ ଏହି ବୋମା ଧମକ ଆସିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସ୍କୁଲକୁ ବୋମା ଧମକ ଆସିବା ପରେ ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅଭିଭାବକମାନଙ୍କୁ ମେସେଜ ଯୋଗେ ଅବଗତ କରାଯାଇଥିଲା । ସେଥିଲେ ଲେଖାଯାଇଥିଲା , "ଅଭିଭାବକ ମହୋଦୟ, ଆଜି ସକାଳେ ସ୍କୁଲକୁ ବୋମା ଧମକ ମିଳିଛି । ଏଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ସ୍କୁଲରେ ଅଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । ସ୍କୁଲକୁ ସୁରକ୍ଷିତ ଘୋଷଣା କରାଯିବା ପରେ କ୍ଲାସ୍ ପୁନର୍ବାର ଆରମ୍ଭ ହେବ ।"

  • ସ୍କୁଲରେ ତନାଘନା କରୁଛି ପୋଲିସ
ଅନ୍ୟପଟେ ପୋଲିସର କହିବାନୁସାରେ, ସ୍କୁଲରେ ଏଯାବତ ସେପରି କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ । ତଥାପି ପୋଲିସ ସବୁ ସ୍ଥାନକୁ ତନତନ କରି ଯାଞ୍ଚ କରୁଛି । ଯଦି ସେପରି କୌଣସି ସନ୍ଦେହଜନକ ବସ୍ତୁ ଦେଖିବାକୁ ମିଳେ ସେଥିଲାଗି ଅଗ୍ନିଶମ ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଟିମ ସଜାଗ ରହିଛି ।

ଏଥିସହ ପଢନ୍ତୁ: ଦିଲ୍ଲୀରେ ୯ ସ୍କୁଲକୁ ଏକା ସମୟରେ ବୋମା ଧମକ

  • ପୂର୍ବରୁ ସୋମବାର ଆସିଥିଲା ବୋମା ଧମକ

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସୋମବାର ମଧ୍ୟ ଏପରି ଇମେଲ୍ “zachary jenkins” ୟୁଜର ନାମ ଥିବା ଆକାଉଣ୍ଟରୁ ୧୩ଟି ସ୍କୁଲକୁ ଆସିଥିଲା । ଉକ୍ତ ମେଲରେ ଲେଖାଯାଇଥିଲା ଯେ "ଦିଲ୍ଲୀ ଅଫଜଲ ଗୁରୁଙ୍କ ସ୍ମୃତିରେ ଖଲିସ୍ତାନ ପାଲଟିବ ।" ଏପରିକି ସଂସଦକୁ ମଧ୍ୟ ଚଳିତ ସପ୍ତାହରେ ଆକ୍ରମଣ କରାଯିବ ବୋଲି ଉକ୍ତ ଧମକପୂର୍ଣ୍ଣ ଇମେଲରେ ଉଲ୍ଲେଖ ରହିଥିଲା ।

ଏହାପରେ ବୁଧବାର ସକାଳୁ ପଞ୍ଜାବର ଚଣ୍ଡିଗଡ଼ ଓ ମୋହାଲିର ୧୦ଟି ସ୍କୁଲକୁ ବୋମା ଧମକ ମିଳିଥିଲା । ଏହି ଧମକପୂର୍ଣ୍ଣ ଇମେଲ୍ ସକାଳ ୭.୩୦ଟାରୁ ୮ଟା ମଧ୍ୟରେ ଆସିଥିଲା । ସ୍କୁଲ ଖୋଲିବାର କିଛି ସମୟ ପୂର୍ବରୁ ଏହି ଇମେଲ୍ ଆସିଥିବାବେଳେ ତୁରନ୍ତ ସ୍କୁଲକୁ ବନ୍ଦ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ମିଥ୍ୟା ବୋଲି ଜଣାପଡ଼ିଛି । କାରଣ ସ୍କୁଲ ପରିସରରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bomb Threat: ପୁଣି ଦିଲ୍ଲୀ ସ୍କୁଲକୁ ବୋମାରେ ଉଡ଼ାଇଦେବାକୁ ଧମକ; କ୍ଲାସରୁମ୍ ଖାଲି କଲା ପୋଲିସ | Argus News