Rohit Virat Retirement / ଅଷ୍ଟ୍ରେଲିଆ ସିରିଜ୍ ପରେ ଅବସର ନେବେ ରୋହିତ-ବିରାଟ ? ଉତ୍ତର ରଖିଲା BCCI

Key Points
ଅନ୍ତର୍ଜାତୀୟ କ୍ରିକେଟକୁ ସମ୍ପୂର୍ଣ୍ଣ ଅଲବିଦା କରିବେ କି ରୋହିତ-ବିରାଟ । ଅଷ୍ଟ୍ରେଲିଆରେ ଶେଷ ହେବ କି ଭାରତର ଦୁଇ ବଡ଼ କ୍ରିକେଟରଙ୍କ ଅନ୍ତର୍ଜାତୀୟ କ୍ୟାରିୟର । ସ୍ପଷ୍ଟ ଉତ୍ତର ରଖିଲେ BCCI ଉପାଧ୍ୟକ୍ଷ ।
ଅକ୍ଟୋବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ । ଏହି ସିରିଜ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆରେ ଅନେକ ପରିବର୍ତ୍ତନ କରାଯାଇଛି । ହଠାତ୍ ଦିନିକିଆରୁ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ମଧ୍ୟ ହଟାଇ ଦିଆଯାଇଛି । ରୋହିତଙ୍କ ସ୍ଥାନରେ ଶୁବମନ ଗିଲଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି । ସେହିପରି ଏହି ସିରିଜ୍ ପୂର୍ବରୁ ରୋହିତ-ବିରାଟଙ୍କୁ ନେଇ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଅଷ୍ଟ୍ରେଲିଆ ଗସ୍ତ ପରେ ଦିନିକିଆ କ୍ରିକେଟରୁ ଅବସର ନେଇପାରନ୍ତି ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ବିରାଟ କୋହଲି ।
ଆଉ ଏବେ ଏହି ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା । ସେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସନ୍ୟାସ ନେବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି । ନିକଟରେ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଥିଲା ଯେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଦିନିକିଆ ସିରିଜ ପରେ ଭାରତର ଦୁଇ ବଡ଼ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ରାଜୀବ ଶୁକ୍ଲା ।
ଅଧିକ ପଢ଼ନ୍ତୁ: ଖରାପ ଫର୍ମ ପାଇଁ ଦଳରୁ ବାଦ ପଡ଼ିଲେ ସୂର୍ଯ୍ୟକୁମାର, ଏହି ଷ୍ଟାର୍ ଖେଳାଳି ହେଲେ ଅଧିନାୟକ
ସେ କହିଛନ୍ତି, ବିରାଟ-ରୋହିତ ଦୁହିଁଙ୍କ ଟିମରେ ରହିବା ଦଳ ପାଇଁ ଖୁବ୍ ଲାଭଦାୟକ । ଏମାନଙ୍କ ଉପସ୍ଥିତିରେ ଭାରତ ଅଷ୍ଟ୍ରେଲିଆକୁ ହରାଇବାରେ ସଫଳ ହେବ । ସିରିଜ୍ ଶେଷରେ ଏମାନଙ୍କର ଅବସର ନେବା କଥା ଆଦୌ ନାହିଁ । ସେମାନେ କେବେ ଅବସର ନେବେ ଏହା ସେମାନଙ୍କ ନିଜ ନିଷ୍ପତ୍ତି ଉପରେ ନିର୍ଭର କରେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ସେମାନଙ୍କ ଶେଷ ସିରିଜ୍ ହେବା କହିବା ସମ୍ପୂର୍ଣ୍ଣ ଭୁଲ୍ ହେବ । ଆମକୁ ଏପରି ମାମଲାରେ ଜଡିତ ହେବା ଉଚିତ୍ ନୁହେଁ। କେବେ ଅବସର ନେବା ଖେଳାଳିମାନଙ୍କ ପାଇଁ ଏକ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ରାଜୀବ ଶୁକ୍ଳା କହିଛନ୍ତି ।
📱 Get Argus News App
✨
ବିରାଟ କୋହଲି ଏବଂ ରୋହିତ ଶର୍ମା ଉଭୟ ପୂର୍ବରୁ ଟେଷ୍ଟ ଏବଂ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି ଏବଂ ବର୍ତ୍ତମାନ କେବଳ ଦିନିକିଆ ଫର୍ମାଟରେ ଖେଳୁଛନ୍ତି । ଆଉ ଚାମ୍ପିଅନ୍ସ ଟ୍ରଫିରେ ବିଜୟ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଇବେ ବିରାଟ ଓ ରୋହିତ ।
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପୂର୍ବରୁ ବଡ଼ ପରିବତ୍ତନ କରିଛି ବିସିସିଆଇ । ରୋହିତ ଶର୍ମାଙ୍କୁ ଦିନିକିଆର ଅଧିନାୟକ ପଦରୁ ହଠାତ୍ ହଟାଇ ଶୁବମନ ଗିଲଙ୍କୁ ଦାୟିତ୍ବ ଦିଆଯାଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ୨୦୨୫ ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ୨୦୨୭ ଦିନିକିଆ ବିଶ୍ବକପ୍କୁ ନଜରରେ ରଖି ଚୟନ କମିଟି ଗିଲଙ୍କୁ କ୍ୟାପଟେନ୍ସି ଭାର ଦେବାକୁ ନିଷ୍ପତ୍ତି ନେଇଛି ।
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ବୁଧବାର ସକାଳୁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହ ପୂରା ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଅଭିମୁଖେ ଯାଇଛନ୍ତି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ODI ଅକ୍ଟୋବର ୧୯ ତାରିଖରେ ପର୍ଥରେ ଖେଳାଯିବ । ସେହିପରି ସିରିଜର ଦ୍ୱିତୀୟ ମ୍ୟାଚ୍ ୨୩ ତାରିଖରେ ଏବଂ ଶେଷ ODI ଅକ୍ଟୋବର ୨୫ରେ ଖେଳାଯିବ । ଦିନିକିଆ ସିରିଜ୍ ପରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟି-୨୦ ମ୍ୟାଚ୍ ଖେଳିବ ।
Related Topics
Explore more stories