ମନ୍ଦିର ସୁନ୍ଦର କରିବ ବୋଲି ଐତିହ୍ୟ ନଷ୍ଟ କରିବ ?
by Argus News
Sun, May 05 | 8:58 p.m.

ଅର୍ଗସ ବ୍ୟୁରୋ : ଓଡ଼ିଶା ସରକାର ପ୍ରକୃତରେ ଚାହୁଁଛି କଣ ? କାହିଁକି ବାରମ୍ବାର ଓଡ଼ିଆଙ୍କ ଭାଗାବେଗ ସହ ଖେଳୁଛି ଖେଳ ? ନିଜର ଅପାରଗତା ପାଇଁ ବିପଦରେ ମଠ ଓ ମନ୍ଦିର ରହିଛି । ଯଦି ସ୍ଵାଭିମାନୀ ଓଡ଼ିଆଟିଏ ଓଡ଼ିଆଙ୍କ ଅସ୍ମିତା ଲାଗି ଲଢେଇ କରୁଛି ତାହାଲେ ତାଙ୍କ କାମକୁ ନେଇ ପ୍ରଶ୍ନ କରାଯାଉଛି । ଏ ସରକାର ମନେ ରଖିବା ଦରକାର, ଜଗନ୍ନାଥ ପ୍ରକଳ୍ପ ଲାଗି ଧର୍ମେନ୍ଦ୍ର ନିଜ ବ୍ୟକ୍ତିଗତ ଦରମାରୁ ୧ ଲକ୍ଷ ଟଙ୍କା ଦେଇଛନ୍ତି । ଚୋରି ମୂର୍ତ୍ତିକୁ ଫେରାଇ ଆଣିଛନ୍ତି, ପାଇକ ସ୍ମାରକୀ ପାଇଁ ଅନୁଦାନ କରାଇଛନ୍ତି । ଆଉ ରାଜ୍ୟ ସରକାର କରିଛନ୍ତି କଣ ?

ମନ୍ଦିର ପାର୍ଶ୍ଵବର୍ତ୍ତୀ ଅଂଚଳକୁ ସୁନ୍ଦର କରିବା ବୋଲି କଣ ମଠ ଭାଙ୍ଗିଦେବା ? ଆମ ଇତିହାସ ଆମ ପାଇଁ ଗର୍ବ । ସାଢେ ଚାରିକୋଟି ଓଡ଼ିଆଙ୍କ ପ୍ରାଣର କେନ୍ଦ୍ର ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବାକୁ ଏ ସରକାର ପ୍ଲାନ୍‌ କରିଥିଲା । ମନ ସେତିକିରେ ଶାନ୍ତି ହେଲାନି ଯେ ରତ୍ନଭଣ୍ଡାରର ଚାବି ହଜାଇଲା, ୧୩୦୦ ଶତାବ୍ଦୀର ସିଂହ ମୂର୍ତ୍ତିକୁ ବାହାର ଅଳିଆ ଗଦାରେ ପକାଇଦେଲା । କଥାରେ ଅଛି ଗାଁ ପରିବେଶ ଧୋବା ତୁଠରୁ...ଠିକ୍‌ ସେମିତି ମଠ, ମନ୍ଦିର ଓ ପରମ୍ପରା ଲାଗି ଆମ ରାଜ୍ୟ ସୁନ୍ଦର । ଆମେ ବିକାଶକୁ ଆଦୌ ବିରୋଧ କରୁନୁ କି ବାଟ ଓଗାଳୁନୁ...କେବଳ ଯାହା ପ୍ରଶ୍ନ କରୁଛୁ , ଘର ସୁନ୍ଦର କରିବାକୁ ପିତୃପୁରୁଷଙ୍କ ଫଟୋ ଆମେ ଫୋପାଡି ଦେବା କି ? ଠିକ୍‌ ସେହିପରି ଏ ସରକାର ଯେମିତି ଭାବରେ ଓଡ଼ିଆ ଅସ୍ମିତା ସହ ସାଙ୍ଘାତିକ ଖେଳ ଖେଳୁଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ, ଓଡ଼ିଆଙ୍କ ଲାଗି ଆଦୌ ଚିନ୍ତିତ ନୁହେଁ ବିଜେଡି ସରକାର ।

ମନେଥିବ ସେ ଦିନର କଥା । ଯେତେବେଳେ ନଅଁକ ଦୁର୍ବିକ୍ଷ ହୋଇଥିଲା ସେତେବେଳେ ଏଇ ଓଡ଼ିଆ ଜନତା କହିଥିଲେ, ଆମେ ଭୋକରେ ମରୁ ପଛେ ଜଗାର ଭୋଗ ବନ୍ଦ ନହେଉ । ହେଲେ ଏ ସରକାର କ'ଣ କରୁଛି ? କେବଳ ଓଡ଼ିଆଙ୍କ ଅସ୍ମିତାକୁ ନଷ୍ଟ କରୁଛି । ଏଠାରେ କହିରଖୁଛୁ କି, କେବଳ ଜଗନ୍ନାଥ ମନ୍ଦିର ନୁହେଁ ବରଂ ଲିଙ୍ଗରାଜ ମନ୍ଦିରର ବି ଐତିହ୍ୟକୁ ବିପଦରେ ପକାଇବାକୁ ସେ ପଛାଇଲେନି । ଶୁକସାରି ମନ୍ଦିର ପାଖରୁ ସପ୍ତମ ଶତାବ୍ଦୀର ଗୋଟିଏ ଦେବୀ ପ୍ରତିମା ମିଳିଲା, ହେଲେ ସେ ପ୍ରତିମା କୁଆଡ଼େ ଗଲା ବୋଲି ପ୍ରଶ୍ନ କଲେ  ସରକାର କହୁଛି ବିରୋଧୀ ।

ଖାଲି ଏତିକି ନୁହେଁ ବରଂ ଯାଜପୁର ପାରାଭାଡି ପାହାଡରେ ଅଷ୍ଟମ ଶତାବ୍ଦୀର ବୌଦ୍ଧ ସ୍ତୁପକୁ ଭାଙ୍ଗି ଚୁରମାର କରି OMC ଖଣି ଖୋଳେଇଛନ୍ତି । ବିକାଶ ବହୁତ ଜରୁରୀ, ହେଲେ ବିକାଶ ଆମ ଇତିହାସ ବା ସଂସ୍କୃତିକୁ ବର୍ବାଦ କରି ହିଁ ଆସିବ ? ଯେଉଁ ପରମ୍ପରାର କଥା କହୁଛନ୍ତି ରାଜ୍ୟ ସରକାର ତାଙ୍କର ମନେ ରଖିବା ଦରକାର, ବରୁଣେଇ ପାହାଡ ତଳେ ବକ୍ସି ଜଗବନ୍ଧୁଙ୍କ ଗୋଟିଏ ସ୍ମାରକୀ ନିର୍ମାଣ ପାଇଁ ୨୦୦ କୋଟିର ପାଣ୍ଠି କେନ୍ଦ୍ରରୁ ଆସିଥିଲା, ହେଲେ ବିଭିନ୍ନ ବାହାନ ଦେଖାଇ ସରକାର କଲେନି । 

କଥା ହେଲା, କିଛି ଓଡ଼ିଆ ଲୋକ ନିଜର ବାହାଦୁରୀ ଦେଖାଇବା ପାଇଁ ମନ୍ଦିରକୁ ଫାଇଭଷ୍ଟାର ହୋଟେଲ ପରି ଗଢି ତୋଳି ବାଃ ବାଃ ନେବାରେ ବ୍ୟସ୍ତ । ଆଜି ଜଗନ୍ନାଥ ମନ୍ଦିରର ବାହାରେ ଅନେକ କାମ ହୋଇଛି ସତ କିନ୍ତୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ବୁଢାବୁଢ଼ୀ ହନ୍ତସନ୍ତ ହେଉଛନ୍ତି । ବଡ଼ବଡ଼ିଆ ଲୋକ ଆସିଲେ ତାଙ୍କୁ ନେଇ ବେଢା ପରିକ୍ରମା କରୁଛନ୍ତି ହେଲେ ଗରିବଙ୍କ କଥା ଭୁଲିଯାଉଛନ୍ତି । ଏମିତି ଜାତୀୟ ସ୍ତରର ସାମ୍ବାଦିକଙ୍କୁ ଅଧ ରାତିରେ ମନ୍ଦିର ବୁଲାଉଛନ୍ତି ବାବୁ । 

ଖାଲି ଏତିକି ନୁହେଁ ବରଂ ବିଜେଡି କହୁଛି ଜଗନ୍ନାଥ ମନ୍ଦିରର ବିକାଶ ସେମାନେ କରୁଛନ୍ତି । ହେଲେ କେମିତି ଜଗନ୍ନାଥଙ୍କ ମୂର୍ତ୍ତି ବାହାରେ ପକାଉଛନ୍ତି ସେ ଦୃଶ୍ୟ ବି ଆମେ ଦେଖିଛେ । ମୋଟ୍‌ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କଟାକ୍ଷ ତାଙ୍କ ମନର କ୍ଷୋଭକୁ ଦର୍ଶାଉଛି । ଆଜି ଓଡିଶାରେ ଓଡ଼ିଆ ଠାକୁର ଅବହେଳିତ. ଓଡ଼ିଆ ମଳିମୁଣ୍ଡିଆ ଭକ୍ତ ଠାକୁର ଦର୍ଶନରୁ ବଂଚିତ. ହେଲେ instagram ଓ ବାହାର ଖବରକାଗଜରେ ଆଜି ମନ୍ଦିର ରୂପାନ୍ତରିତ..


 

IPL-2024
3m ago
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ
SAMEER RANJAN DAS
7m ago
ବିଜେଡି ଛାଡ଼ିଲେ ସମୀର ରଞ୍ଜନ ଦାସ
ଅର୍ଗସ ବ୍ୟୁରୋ: ସମୀର ରଞ୍ଜନ ଦାସ ଛାଡ଼ିଲେ ବିଜେଡି। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ। ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର। ଟିକେଟ କଟିଥିବାରୁ ଅସନ୍ତୁଷ୍
PRIME MINISTER
14m ago
ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପୁଣି ମୋଦି ଧମାକା । ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । 20 ତାରିଖ ସକାଳ 8ଟାରେ ପୁରୀରେ ରୋଡ଼ ସୋ ସହ ଅନୁଗୁଳ ଓ କଟକରେ ପ୍ରଧାନମନ୍ତ୍ରୀଙ୍