ଅର୍ଗସ ବ୍ୟୁରୋ: ଗୁଗୁଲ୍ ମ୍ୟାପ୍ ପାଇଁ ଚାଲିଗଲା ୩ ଜଣ ଜୀବନ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ ଏହା ହିଁ ସତ । ଆମେ ସାଧାରଣତଃ କୌଣସି ଏକ ନୂଆ ସ୍ଥାନକୁ ଯିବା ସମୟରେ ଗୁଗୁଲ୍ ମ୍ୟାପ୍ର ସାହାଯ୍ୟ ନେଇଥାଉ । କିନ୍ତୁ ସେହି ଗୁଗୁଲ୍ ମ୍ୟାପ୍ ଯେ ମରଣ ମୁହଁକୁ ଟାଣି ନେବ କେହି କେବେ ବିଶ୍ୱାସ କରିନଥିବେ । ଗୁଗୁଲ୍ ମ୍ୟାପ୍ ପାଇଁ ଅଧା ଗଢ଼ା ପୋଲରୁ କାର୍ ଖସି ପଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ ।
ପୁରା ଘଟଣା ଥିଲା ଏମିତି... ତିନି ଇଞ୍ଜିନିୟର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗୁରୁଗ୍ରାମରୁ ବରେଲୀ ଯାଉଥିଲେ । ଗୁଗୁଲ ମ୍ୟାପ୍ ର ସାହାଯ୍ୟ ନେଇ ଯାଉଥିବାବେଳେ ଏକ ଅଧାଗଢା ବ୍ରିଜ୍ ରେ ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ସେମାନେ ୱାଗନ୍ ଆର୍ କାରରେ ଯାଉଥିବାବେଳେ କାର୍ ଟି ସମ୍ପୂର୍ଣ୍ଣ ଭାବରେ 50 ଫୁଟ୍ ତଳକୁ ଖସିପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ 3 ଜଣଙ୍କର ମୃତ୍ୟୁ ହୋଇଥିଲା ।
ତେବେ ରାତିରେ ଦୁର୍ଘଟଣା ଘଟିଥିବାବେଳେ ସକାଳେ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଛାନଭିନ୍ ଜାରି ରଖିଛି ।