ଅର୍ଗସ ବ୍ୟୁରୋ: 4ଶହ ସିସିଟିଭି ଯାଞ୍ଚ ପରେ ଲୁଟେରାକୁ ଗିରଫ କରିଛି କମିଶନରେଟ ପୋଲିସ । ମୁଖା ପିନ୍ଧି ଛିଡା ହୋଇଥିବା ଏହି ଲୁଟେରା ହେଉଛି ଝିଙ୍ଗୁରୁ ଓରଫ ରାଜୁ ନାଇଡ଼ୁ । ଘର ଝାଡ଼ଖଣ୍ଡ ଅଞ୍ଚଳରେ । ତା ନିକଟରୁ ଗୋଟିଏ ସୁନା ଚେନ, ଘଟଣାଦିନ ପିନ୍ଧିଥିବା ପୋଷାକ ଏବଂ ଭଡ଼ା ଘର ଚାବି ଜବତ ହୋଇଛି । ଝାଡଖଣ୍ଡରୁ ବାଇକରେ ଆସି ସୁନ୍ଦରପଦାର କଲ୍ୟାଣୀ ପ୍ଲାଜାରେ ରହୁଥିଲେ । ଲୁଟ କରି ସାରିବା ପରେ କିଛିଦିନ ପାଇଁ ଝାଡ଼ଖଣ୍ଡ ପଳାଉଥିଲେ । ଏବେବି ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି । ତାକୁ ଧରିବା ପାଇଁ ଝାଡ଼ଖଣ୍ଡରେ ଡେରା ପକାଇଛି କମିସନରେଟ ପୋଲିସ । ଗିରଫ ଲୁଟେରା ନାଁରେ ରହିଛି ବନ୍ଧୁକ ଚାଲାଣ ଭଳି ସଂଗୀନ ମାମଲା ।
ଗତ 11ତାରିଖ ଦିନ ୟୁ .ବିଷ୍ଣୁ ପାତ୍ର ବାଇକରେ ବସି ସୋମନାଥ ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ । ସୁନ୍ଦରପଦା ଜଟଣୀ ରାସ୍ତାରେ ଦୁଇ ଜଣ ଲୁଟେରା ବାଇକରେ ଆସି ପଛପଟୁ ଚେନ ଲୁଟ ପାଇଁ ଉଦ୍ୟମ କରିଥିଲେ । ବାଇକରୁ ଖସି ପଡି ଗୁରୁତର ଆହତ ହୋଇଥିଲେ ମହିଳା । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । 13ତାରିଖ ଦିନ ୟୁ ବିଷ୍ଣୁ ପାତ୍ରଙ୍କ ମୃତ୍ୟୁ ହୋଇଥିଲା । ମହିଳାଙ୍କ ସ୍ବାମୀ ଏୟାରଫିଲଡ଼ ଥାନାରେ ଅଭିଯୋଗ କରିବା ପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସ୍ପେଶାଲ ସ୍କ୍ବାର୍ଡ, ସାଇଣ୍ଟିଫିକ ଟିମକୁ ନେଇ ଗଠନ ହୋଇଥିଲା ସ୍ବତନ୍ତ୍ର ଟିମ ।
ସେପଟେ ଗିରଫ ଅଭିଯୁକ୍ତକୁ ରିମାଣ୍ଡ ରେ ଆଣିବା ପାଇଁ ଯୋଜନା କରିଛି କମିସନରେଟ ପୋଲିସ । ରିମାଣ୍ଡ ସମୟରେ ଅନ୍ୟ ଅଭିଯୁକ୍ତ ବିଷୟରେ ସୁରାକ ଯୋଗାଡ଼ କରିବାକୁ ଚେଷ୍ଟା କରିବ ଏୟାରଫିଲଡ଼ ଥାନା ପୋଲିସ ।