ରତ୍ନ ଭଣ୍ଡାର ପୂର୍ଣ୍ଣାଙ୍ଗ ମରାମତି ପରେ ହେବ ଗଣତିମଣତି
by Argus News
Sun, Sep 22 | 7:58 p.m.

ପୁରୀ: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ ) ପକ୍ଷରୁ ରତ୍ନଭଣ୍ଡାରର ନିରୀକ୍ଷଣ ତଥା ବୈଷୟିକ ସର୍ଭେ ଶେଷ ହୋଇଛି । ଆବଶ୍ୟକୀୟ ଅତ୍ୟାଧୁନିକ ବୈଜ୍ଞାନିକ ଉପକରଣ ବ୍ୟବହାର କରାଯାଇ ଏହି ପରୀକ୍ଷଣ ଓ ସର୍ବେକ୍ଷଣ କରାଯାଇଛି । ଗତକାଲି ପ୍ରାୟ 4 ଘଣ୍ଟା ଧରି ଏହି ସର୍ଭେ କରାଯାଇଥିବା ବେଳେ ଆଜି ମଧ୍ୟ ପ୍ରାୟ 4  ଘଣ୍ଟା ଧରି ସର୍ଭେ କରାଯାଇଥିଲା । ଦୁଇଦିନ ଧରି ଚାଲିଥିବା ଏହି ସର୍ଭେ ପରେ ଏ.ଏସ.ଆଇର ରିପୋର୍ଟକୁ ଅପେକ୍ଷା କରାଯିବ । ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏ.ଏସ.ଆଇର ସର୍ଭେ ପାଇଁ 3 ଦିନ ଲାଗି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା ଏବଂ ଦର୍ଶନ କଟକଣା ଥିଲା । ତେବେ ଆଜି ଏ.ଏସ.ଆଇର ସର୍ଭେ ସରିଯାଇଥିବାରୁ ଆସନ୍ତାକାଲି ତା 23-09-24ରେ ଆଉ କଟକଣା ରହିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।  

ଗତକାଲି ପରେ ଏ.ଏସ୍.ଆଇ ପକ୍ଷରୁ ଆଜି ପୁଣିଥରେ ରତ୍ନଭଣ୍ଡାରର ସର୍ଭେ କରାଯିବାକୁ ଥିବାରୁ ବିଶେଷ ନୀତି ନିର୍ଘଣ୍ଟ ହୋଇଥିଲା । ରାତି 2 ଘ 40 ମିନିଟ୍ ସମୟରେ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଥିବା l ଧାର୍ଯ୍ୟ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନ 1 ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହୋଇଥିଲା । ନିର୍ଧାରିତ ସମୟରେ ମିଳିତ ଟିମ ବୈଷୟିକ ଉପକରଣ ସହ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ । ସନ୍ଧ୍ୟା ପ୍ରାୟ 5 ଟା 50ରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା । 

ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏ.ଏସ.ଆଇ ପକ୍ଷରୁ ବୈଷୟିକ ସର୍ଭେ କରାଯାଇଛି । ମାର୍ଗଦର୍ଶିକା ଅନୁସାରେ, ରତ୍ନଭଣ୍ଡାରର କୌଣସି ଅଦୃଶ୍ୟ ଚାମ୍ବର, ଜିନିଷ ରଖିବା ସ୍ଥାନ, ଭୂମିତଳେ ସୁଡଙ୍ଗ ଆଦିର ସମ୍ଭାବନାକୁ ନଜରରେ ରଖି ଏହି ସର୍ଭେ ଅନୁଷ୍ଠିତ ହୋଇଛି । ସି.ଏସ୍.ଆଇ.ଆର୍-ଏନ.ଜି.ଆର୍.ଆଇ. ପକ୍ଷରୁ ଚୂଡାନ୍ତ ବୈଷୟିକ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ରାଜ୍ୟ ସରକାରଙ୍କ ଅନୁମତି ପରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏ.ଏସ୍.ଆଇ ଦ୍ବାରା ଅନୁଷ୍ଠିତ ହେବ । ଏହି ମରାମତି କାର୍ଯ୍ଯ ଶେଷ ହେବା ପରେ ଅଳଙ୍କାର ଗଣତି ତଥା ମଣତି କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ଏବେ ଷୋଳପୂଜା ତଥା ପରେ ପରେ କାର୍ତ୍ତିକ ମାସ ନୀତି ବହୁଳ ଥିବାରୁ ପରବର୍ତ୍ତୀ ପ୍ରତ୍ୟେକଟି ସୋପାନରେ ଆବଶ୍ୟକ ଅନୁସାରେ ସମ୍ପୃକ୍ତ ସେବକଙ୍କ ସହ ଆଲୋଚନା ମଧ୍ୟ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଜଣାଇଛନ୍ତି । 

ସମଗ୍ର ପ୍ରକ୍ରିୟାରେ ସହଯୋଗ ସକାଶେ ଭକ୍ତଗଣ, ସେବକ, ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ରଥ, ଏ.ଏସ୍.ଆଇର ବୈଷୟିକ ଟିମ୍, ଶ୍ରୀମନ୍ଦିର ପ୍ରଶାସନ ତଥା ଜିଲ୍ଲା ଏବଂ ପୋଲିସ୍ ପ୍ରଶାସନ ଅଧିକାରୀ/କର୍ମଚାରୀ, ଏବଂ ଗଣମାଧ୍ୟମକୁ ଧନ୍ୟବାଦ ଅର୍ପଣ କରିଛନ୍ତି ମୁଖ୍ୟ ପ୍ରଶାସକ । ସେହିପରି ସର୍ଭେ ସମୟରେ କଟକଣା ଯୋଗୁଁ ମହାପ୍ରଭୁଙ୍କ ଦର୍ଶନରୁ ସାମୟିକ ବଂଚିତ ହୋଇଥିବା ଅଗଣିତ ଭକ୍ତଗଣଙ୍କୁ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ଷମା ପ୍ରାର୍ଥନା କରିଛନ୍ତି । 

ପୂର୍ବରୁ ଗତ 18 ସେପଟେମ୍ବର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କାର୍ଯ୍ୟ ଏ.ଏସ୍.ଆଇ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ସେହି ଦିନ ସର୍ଭେ ସମୟରେ ଏ.ଏସ୍.ଆଇର ବୈଷୟିକ ଟିମର ମୁଖ୍ୟ ଏବଂ ସି.ଏସ.ଆଇ.ଆର୍-ଏନ.ଜି.ଆର.ଆ ର ମୁଖ୍ୟ ବୈଜ୍ଞାନିକ ଆଉ ଏକ ରାଉଣ୍ଡ ସର୍ଭେ କରିବାକୁ ମତାମତ ଦେଇଥିଲେ । ରାଡାର୍ ପେନିଟ୍ରେଟିଂ ସିଷ୍ଟମ୍ ତଥା ଅନ୍ୟ ବୈଷୟିକ ଉପକରଣ ବ୍ୟବହାର କରାଯାଇ ଏହି ସର୍ଭେ କରିବା ପରେ ହିଁ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ  ବୈଷୟିକ ଟିମ୍ ପ୍ରସ୍ତାବ ଦେଇଥିଲେ । ସେପଟେମ୍ବର 24 ତାରିଖ ଠାରୁ ଷୋଳ ପୂଜା ସମ୍ପର୍କିତ ନୀତିକାନ୍ତି ଆରମ୍ଭ  ହେବା ପୂର୍ବରୁ ବାକି ଥିବା ସର୍ଭେ ଶେଷ କରି ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ଗୁରୁତ୍ବରୋପ କରି ଏ.ଏସ୍.ଆଇ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଥିଲେ । ତଦନୁସାରେ, 21 ତାରିଖରୁ ପୁଣିଥରେ ସର୍ଭେ କରାଯିବାକୁ ସ୍ଥିର ହୋଇଥିଲା। 

ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ  ଜୁଲାଇ 14 ଏବଂ ଜୁଲାଇ 18 ତାରିଖରେ  ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀ ଅସ୍ଥାୟୀ ଷ୍ଟ୍ରଂଗ୍ କୋଠରୀକୁ ସ୍ଥାନାନ୍ତରିତ ହୋଇଥିଲା । ପରେ ଅଗଷ୍ଟ 23 ତାରିଖ ଦିନ ଉଭୟ ବାହାର ତଥା ଭିତର ରତ୍ନଭଣ୍ଡାରର ଖାଲି ଆଲମିରା ତଥା ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇଥିଲା । ଏହାପରେ ଏ.ଏସ୍.ଆଇ କୁ ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ। ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା l ଏହା  ଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ଏ.ଏସ୍.ଆଇ କୁ ଅନୁରୋଧ କରାଯାଇଥିଲା l ସେହିପରି ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ସର୍ଭେ ସମୟରେ ପ୍ରଭାବିତ ନ ହେବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଥିଲା ।

ଲିଜେଣ୍ଡସଙ୍କ ଜଲୱା
ଯୋଧପୁରରେ ଲିଜେଣ୍ଡସଙ୍କ ଜଲୱା, ବ୍ଲୁ ସିଟିରେ ଜୟ ଜୟ କାର
ଅର୍ଗସ ବ୍ୟୁରୋ: ବ୍ଲୁ ସିଟିରେ ଜୟ ଜୟ କାର। ପଠାନ ବ୍ରଦର୍ସଙ୍କ ସହ କୋଣାର୍କ ସୂୟାଜ୍ ଓଡିଶାକୁ ସପୋର୍ଟ କରିବାକୁ ବରଖୁତୁଲ୍ଲା ଖାନ ଷ୍ଟାଡିଅମରେ ପହଂଚିଥିଲେ ବହୁ ସଂଖ୍ୟାରେ ଫ୍ୟାନ
ଓଡ଼ିଆ ଅସ୍ମିତା
ଆମେରିକାରେ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ
ଅର୍ଗସ ବ୍ୟୁରୋ: ଆମେରିକାରେ ଝଲସିଲା ଓଡ଼ିଆ ଅସ୍ମିତା । କୋଣାର୍କର ଦୃଶ୍ୟ, କୋଣାର୍କ ଚକ ସାଙ୍ଗକୁ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର
STORY
Speed 10: ଜାଣନ୍ତୁ ଦିନର ବଡ ଖବର...
ଅର୍ଗସ ବ୍ୟୁରୋ: ଜାଣି ରଖନ୍ତୁ ଆଜି ଦିନର ବଡ ଖବର... () କେନ୍ଦୁଝରରୁ ବିଜେଡିକୁ ସିଧାସଳଖ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...କହିଲେ ଭୋଟ ରାଜନୀତି ପାଇଁ ଜଗନ୍ନାଥଙ୍କୁ ବ୍ୟବହା