ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଉପୁଡ଼ିଲା ଗଛ, ଉଡ଼ିଲା ଚାଳ ଛପର
by Argus News
Fri, Oct 25 | 7:09 p.m.

ଅର୍ଗସ ବ୍ୟୁରୋ: ଦାନା ଦାନବ ସିନା ସାଜିଲାନି ହେଲେ ରଚିଛି ଏମିତି ତାଣ୍ଡବଲୀଳା । ବାତ୍ୟା ଦାନା ଯୋଗୁଁ କେନ୍ଦ୍ରାପଡ଼ା ସମେତ ଉପକୂଳବର୍ତ୍ତୀ ଜିଲ୍ଲାରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ଇଏ ହେଉଛି କେନ୍ଦ୍ରାପଡ଼ା ରାଜନଗର ତାଳଚୁଆ ଅଞ୍ଚଳର ଦୃଶ୍ୟ । ସମୁଦ୍ର ଜୁଆର ମାଡ଼ି ଆସିଛି । ଫଳରେ ମାଛଧରା ଡଙ୍ଗାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ପବନ ଓ ଭୀଷଣ ବର୍ଷା ଯୋଗୁଁ ବଡ଼ବଡ଼ ଗଛ ଓ ଇଲେକ୍ଟ୍ରି ପୋଲ୍ ଉପୁଡ଼ି ପଡ଼ିବା ସହ ଅନେକ ସ୍ଥାନରେ ଚାଳଘର ନଷ୍ଟ ହୋଇଛି । କଟକ ଚାନ୍ଦବାଲି ରାସ୍ତାର ଅନେକ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଛି । କେନ୍ଦ୍ରାପଡ଼ା ହାବେଳିଖଟିରେ ଲ୍ୟାଣ୍ଡଫଲ କଲାବେଳକୁ ପବନର ବେଗ ୧୦୦ କିଲୋମିଟର ଥିବା ବେଳେ ଗଷ୍ଟିଙ୍ଗ ସ୍ପିଡ୍ ଥିଲା ୧୨୦ କିଲୋମିଟର । ହାବେଳିଖଟି ସମେତ ତାଳଚୁଆ, ଡାଙ୍ଗମାଳ, ଗୁପ୍ତି, ସାତଭାୟା, ପେଣ୍ଠ, ଜମ୍ବୋ ପ୍ରଭୃତି ଇଲାକା ଏହି ବାତ୍ୟା ଯୋଗୁଁ ଭୀଷଣ ଭାବେ ପ୍ରଭାବିତ ହୋଇଛନ୍ତି । ଭିତରକନିକାକୁ ବି ଉଜାଡ଼ି ଦେଇଛି ଦାନା । ଅନେକ ସମୁଦ୍ରକୂଳିଆ ଗାଁରେ ଜୁଆର ପାଣି ଠିଆ ହୋଇଛି । ଅନେକ ସ୍ଥାନରେ ସମୁଦ୍ର ପାଣି ବନ୍ୟାର ଭ୍ରମ ସୃଷ୍ଟି କରୁଛି । ଅନେକ କଚ୍ଚାଘର ମଧ୍ୟ ଦାନା ଯୋଗୁଁ ଭାଙ୍ଗିରୁଜି ଯାଇଛି ।  ୨୪ ବର୍ଷ କାଳ ରାଜ୍ୟରେ ସ୍ଥିର ସରକାର ଥାଇ ବି ମୁଣ୍ଡ ଉପରେ ଖଣ୍ଡେ ପକ୍କାଘର ନ ଥିବାରୁ ଏବେ ବାତ୍ୟା ଆଶ୍ରୟସ୍ଥଳୀରୁ ଫେରି ଭଙ୍ଗା ଘର ଭିତରେ ହିଁ ନିଜର ଭାଗ୍ୟ ଅଣ୍ଡାଳୁଛନ୍ତି ବାତ୍ୟା ବିପନ୍ନ । 

ଧାମରା, ଚାନ୍ଦବାଲି, ବାସୁଦେବପୁର, ତିହିଡ଼ି, ଧାମନଗର । ସବୁଠି ଦାବି ଦେଇଛି ଦାନା । ଏଠି ବି ଗଛ ଆଉ ବିଦ୍ୟୁତ ଖୁଣ୍ଟ ଭୂପତିତ । ସ୍ଥାନେ ସ୍ଥାନେ ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ସରବହରାହ ବି ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି । ଧାମରା ବନ୍ଦର ପାଖରେ ଓଲଟି ପଡ଼ିଛି ଅନେକ ମାଛଧରା ଡଙ୍ଗା । ସମୁଦ୍ର ଜୁଆର ପ୍ରଭାବରେ ଅନେକ ଗାଁରେ ପାଣି ପଶିଛି । ପୂରା ଭଦ୍ରକ ଜିଲ୍ଲାରେ ବଡ଼ବଡ଼ ଗଛ ଉପୁଡ଼ି ଘର ଉପରେ ପଡ଼ି ଘର ନଷ୍ଟ କରିଥିବାର ବି ଦେଖିବାକୁ ମିଳିଛି । ଏନଡିଆରଏଫ, ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ରାସ୍ତା ଉପରୁ ଗଛ କାଟି ସଫା କରିବାରେ ଲାଗି ପଡ଼ିଛନ୍ତି । ଧାମରାରେ ଦୁଇ ପଶ୍ଚିମବଙ୍ଗ ଟ୍ରଲର ମଧ୍ୟ ବାତ୍ୟା ଯୋଗୁଁ ଫସିଥିଲେ । 

ଏପଟେ ବାଲେଶ୍ବର ଜିଲ୍ଲାର ଅନେକ ଇଲାକାରେ ବି ସମାନ ଅବସ୍ଥା । ବାହାନଗା, ସୋର ଓ ରେମୁଣା ବ୍ଲକର ଅନେକ ଗାଁରେ ଦାନା ଉତ୍ପାତ । ବଡ଼ବଡ଼ ଗଛ ଉପୁଡ଼ି ପଡ଼ିବା ସହ  ଦାନାର ତାଣ୍ଡବ ଆଗରେ ମଥାନତ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଗଛକାଟି ରାସ୍ତା ସଫା କରିବାରେ ଲାଗିଛି ପ୍ରଶାସନ । ରାସ୍ତା କ୍ଲିଅର କରାଯିବା ପରେ ଗାଁ ଭିତରେ ପଡ଼ିଥିବା ଗଛଗୁଡ଼ିକ କଟାଯିବ । ଗୋଟିଏ ଦୁଇ ସ୍ଥାନରେ କାନ୍ଥ ମଧ୍ୟ ପଡ଼ି ଲୋକେ ଆହତ ହୋଇଛନ୍ତି । ସବୁ ଭିତରେ ଦାନା ଉପରେ କିନ୍ତୁ ଜୋରରେ ପାହାର ପକାଇଛି ଦାନା । ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ରୂପେ ଜଳମଗ୍ନ ଚାଷଜମି । ଧାରକରଜ କରି ଚାଷୀମାନେ ଏବର୍ଷ ଯେଉଁ ଭଲ ଅମଳ ପାଇଁ ଲକ୍ଷ୍ୟ ରଖିଥିଲେ, ତାକୁ ସ୍ବପ୍ନରେ ହିଁ ରଖିଦେଇଯାଇଛି ଅକ୍ଟୋବରର ଏ ବାତ୍ୟା । ତେଣୁ ଏବେ ଅଧିକାଂଶ ସ୍ଥାନର ଚାଷୀ ସରକାରଙ୍କ ହାତଟେକାକୁ ଅପେକ୍ଷା କରି ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲାର କେତେକ ଇଲାକାରେ ମଧ୍ୟ ଦାନାର ପ୍ରଭାବ ଅନୁଭୂତ ହୋଇଛି । ମୋଟାମୋଟି ଦେଖିବାକୁ ଗଲେ ବିଶେଷ ପ୍ରଭାବ ବିସ୍ତାର ନ କରି ପାରି ଦବିଯାଇଥିଲେ ବି କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ଅନେକ ଇଲାକାରେ ଦମ୍ ଦେଖାଇବାରେ ସମର୍ଥ ହୋଇଛି ଦାନା ।

 


 

କଂଗ୍ରେସକୁ
47m ago
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
48m ago
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
52m ago
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା