ଅର୍ଗସ ବ୍ୟୁରୋ : ମଲେଇ ଖାଇ ଠିକାଦାର ପାର। ପିଇବା ପାଣି ମୁନ୍ଦେ ପାଇଁ ଜନତା ହନ୍ତସନ୍ତ । ବିଧାନସଭାର ପ୍ରଶ୍ନ କାଳରେ ପାନୀୟ ଜଳ ଯୋଗାଣ ପ୍ରସଙ୍ଗ ଆଲୋଚନା ବେଳେ ବିଜେଡ଼ି ସରକାର ର ଗୁମର ଖୋଲିଲେ ପଂଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାଏକ । ବିଜେଡ଼ି ବିଧାୟକ ସୌଭିକ ବିଶ୍ଵାଳଙ୍କ ପ୍ରଶ୍ନରେ ଆଜି ଏମିତି ଉତ୍ତର ରଖିବା ବେଳେ ମନ୍ତ୍ରୀ କହିଛନ୍ତି ଯେ ପାନୀୟ ଜଳ ପ୍ରକଳ୍ପ ରେ ବାହାର ରାଜ୍ଯର ଠିକା ଦାର ମାନେ ଅହେତୁକ ବିଳମ୍ବ କରିଛନ୍ତି । ଯେଉଁ ଠିକାଦାର ଙ୍କ ସହିତ ବିଜେଡ଼ି ସରକାର ବୁଝାମଣା ପତ୍ର ସ୍ଵାକ୍ଷର କରିଥିଲେ ସେଥିରୁ 58 ପ୍ରତିଶତ ଟଙ୍କା ଉଠାଇ ପଳାଇଛନ୍ତି । କେବଳ ପାଇପ୍ ବିଛା କାମ ହୋଇଛି। ସେଥିପାଇଁ ପାନୀୟ ଜଳ ପ୍ରକଳ୍ପ କାମ ବିଳମ୍ବ ହେଉଛି। ବିଭାଗ ବହୁତ ପରିଶ୍ରମ କରୁଛି, ଖୁଵ ଶୀଘ୍ର ପାନୀୟ ଜଳ ପ୍ରକଳ୍ପ କାମ ସରିବ। ଖାଲି ମନ୍ତ୍ରୀ ନୁହଁ ଖୋଦ୍ ବିଜେଡି ର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର ମଧ୍ୟ ଏନେଇ ଉଦବେଗ ପ୍ରକାଶ କରି ବିସ୍ଫୋରଣ କରିଛନ୍ତି । ବଦ୍ରୀ କହିଛନ୍ତି ଗତ ସରକାର ରେ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇ ପାନୀୟ ଜଳ ପ୍ରକଳ୍ପ କାମ ଶେଷ କରାଗଲାନି। ଯେଉଁଥି ପାଇଁ ଅନେକ ବିଧାୟକ ଲୋକଙ୍କ ଆକ୍ରୋଶ ର ଶିକାର ହୋଇ ପରାଜିତ ହେଲେ। ସେହିପରି କଂଗ୍ରେସ ବିଧାୟକ ତାରା ବାହିନିପତି ମଧ୍ୟ ଏ ପ୍ରସଙ୍ଗ ରେ ବର୍ଷି ଛନ୍ତି ଗୃହରେ। 2016-17 ରେ ବୋରିଗୁମ୍ମା ବ୍ଲକର ମେଗା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। କିନ୍ତୁ ଆଜି ଯାଏଁ ସରିନି। ଯେଉଁଠି ପାଣି ଆସୁଛି, ପିଲା ପରିସ୍ରା ଠାରୁ ବି କମ୍ ପାଣି ଆସୁଛି।
ବିଧାନସଭାର ସରଗରମ ଆଲୋଚନା ଭିତରେ ଗ୍ରାଉଣ୍ଡ ରେ ସ୍ଥିତି ପରଖିଥିଲା ଅର୍ଗସ । ସୁବର୍ଣ୍ଣପୁର ଜିଲ୍ଲାର ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଉପରେ ନଜର ପକାନ୍ତୁ । ଜିଲ୍ଲାରେ 6 ଟି ବ୍ଲକରେ 6 ଟି ପ୍ରକଳ୍ପ ଚାଲିଥିବାବେଳେ ତିନୋଟି ପ୍ରକଳ୍ପ ପ୍ରାୟ ୮୦ ପ୍ରତିଶତ କାମ ସରିଥିବାବେଳେ ଅନ୍ୟ ତିନୋଟି ପ୍ରକଳ୍ପ ମାତ୍ର ୩୦ ପ୍ରତିଶତରୁ କମ୍ କାମ ସରିଛି । ସେଥିପାଇଁ ବହୁ ସ୍ଥାନରେ ନଦୀ ଓ ଯୋର ର ମଇଳା ପାଣି ପିଇ ଲୋକେ ନାନା ରୋଗର ଶିକାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ସେହିପରି ପଦ୍ମପୁର ଉପଖଣ୍ଡର ପାଇକମାଳରେ ବି ସମାନ ସ୍ଥିତି । ପ୍ରତି ଘରକୁ ଘର ପାଣି ଷ୍ଟାଣ୍ଡ ପୋଷ୍ଟ ତିଆରି କରି ପାଣି ଯୋଗାଇବା ବ୍ୟବସ୍ଥା କରାଯାଇଛି ହେଲେ କରାଯାଉନାହିଁ ଜଳ ଯୋଗାଣ।ଅର୍ଦ୍ଧ ନିର୍ମିତ ଭାବେ ଘର ସମ୍ମୁଖରେ ପଡି ରହିଛି ଷ୍ଟାଣ୍ଡ ପୋଷ୍ଟ ପାଇପ। ଲୋକେ ପାଣି ପାଇଁ ରାସ୍ତା ରୋକ କରିବାକୁ ବାଧ୍ୟ ହୋଇଥିଲେ ।
ପାନୀୟ ଜଳ ଯୋଗାଣ ନାଁ ରେ ଓଡ଼ିଆ ଲୋକଙ୍କ ଟଙ୍କା ଖାଇ ଫେରାର ହୋଇ ଯାଇଥିବା ଅଣ ଠିକାଦାର ଙ୍କୁ କେବେ ସରକାର ବନ୍ଧୁଛନ୍ତି ଆଉ ସେମାନଙ୍କ ଠୁ ପେଟି ପେଟି ଟଙ୍କା ନେଇ କାମ ଦେଇଥିବା ଦୁର୍ନୀତି ଗ୍ରସ୍ତ ବାବୁ ଙ୍କୁ କେବେ ସରକାର ଧରୁଛନ୍ତି ତା ଉପରେ ସମସ୍ତଙ୍କ ନଜର