ବିଜେଡିକୁ ବାଏବାଏ କରୁଛନ୍ତି ନେତା : ମଙ୍ଗ ସଜାଡିବାକୁ ବାହାରିଲେ ସୁପ୍ରିମୋ
by Argus News
Mon, Sep 09 | 8:49 p.m.

ଅର୍ଗସ ବ୍ୟୁରୋ: ୨୪ ନିର୍ବାଚନରେ ବିଜେଡି ହାରିବା ପରେ ଏବେ ଦଳରେ ଚରମ ଅସନ୍ତୋଷ । କେମିତି କର୍ମୀ ଓ ନେତାଙ୍କୁ ଏକାଠି ରଖାଯିବ ସେନେଇ ଅଙ୍କକଷା ଚାଲୁଛି । ଖାସ୍‌ କରି ବିଜେଡି ସୁପ୍ରିମୋ ଏବେ ନେତା ଓ କର୍ମୀଙ୍କୁ ଡକାଇ ଆଲୋଚନା ବି କରୁଛନ୍ତି । ଏହାରି ଭିତରେ ଗଣେଶ ପୂଜାରେ ମଣ୍ଡପ ବୁଲିବା ସହ ସାଧାରଣ ଲୋକଙ୍କ ସହ  ଭାବବିନିମୟ କରିଥିଲେ ନବୀନ । କିନ୍ତୁ ପୂର୍ବରୁ ନିର୍ବାଚନ ରାଲିଲେ ମୋଦି କହିଥିଲେ ଆଗାମୀ ୬ ମାସରେ ଓଡ଼ିଶାରେ ଧମାକା ହେବ । ବାସ୍‌ ଏବେ ସେମିତି କିଛି ହେଉଥିବା ଚର୍ଚ୍ଚା ଜୋର । କୁହାଯାଉଛି କି, ମାସେ ଭିତରେ ଦଳରୁ ଦୁଇ ରାଜ୍ୟସଭା ସାଂସଦ ଇସ୍ତଫା ଦେବା ପରେ ଆଗକୁ ଆହୁରି ଦେବେ ବୋଲି ମମତା କହିବା ପରେ ଚିନ୍ତାରେ ନବୀନ । 

୨୦୧୪ ରେ ଲୋକସଭାରେ ବିଜେଡିର ସଂଖ୍ୟା ଥିଲା ୨୦ ଯାହାକି ୨୦୧୯ ରେ ଖସି ୧୨ ରେ ପହଁଚିଥିଲା । କିନ୍ତୁ ୨୦୨୪ ନିର୍ବାଚନରେ ଚିତପଟାଙ୍ଗ ମାରିଲା ଦଳ । ଲୋକସଭାରୁ ମୂଳପୋଛ ହେଇଗଲା ବିଜେଡି । ଆଉ ଏବେ ନିର୍ବାଚନର ୪ ମାସ ମଧ୍ୟରେ ଦୁଇ ରାଜ୍ୟସଭା ଆସନ ବି ଦଳ ହାତରୁ ଖସିଗଲାଣି । ଫଳରେ ରାଜ୍ୟସଭାରେ ବିଜେଡି ୯ ରୁ ୭ ଖସି ଆସିଛି । ଚର୍ଚ୍ଚା ହେଉଛି ଆଗକୁ ଆହୁରି ରାଜ୍ୟସଭା ସାଂସଦ ମଧ୍ୟ ବିଜେଡି ଶିବିର ଛାଡି ପାରନ୍ତି । ଯଦି ଏହି ଧାରା ଜାରି ରହେ ତାହାଲେ ସ୍ଥିତି ପୁରା ବିଗିଡିଯିବ । 

ନିର୍ବାଚନ ହାରିବା ପରେ ଦଳର ଏଭଳି ସ୍ଥିତି ମୁଖିଆଙ୍କ ଚିନ୍ତା ବଢ଼ାଇଛି । ନେତୃତ୍ୱ ପ୍ରତି ନେତାଙ୍କ ତୁଟୁଥିବା ଆସ୍ଥା ଏବଂ ପରାଜୟ ପରେ ଭାଙ୍ଗିପଡ଼ିଥିବା କର୍ମୀଙ୍କ ମନୋବଳ ବଢାଇବା ଲାଗି ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ରାଜଧାନୀର ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲିବା ସହ ଲୋକଙ୍କ ଗହଣକୁ ଓହ୍ଲାଇଛନ୍ତି । କେବଳ ସେତିକି ନୁହେଁ ନଭେମ୍ବରରୁ ନିଜେ ନବୀନ ଜିଲ୍ଲା ବୁଲିବେ ବୋଲି ପୂର୍ବରୁ ଘୋଷଣା କରିଛନ୍ତି । ସେପଟେ ବିଜେପି ଏନେଇ ପ୍ରତିକ୍ରିୟା ରଖିଛି । କହିଛି, ୨୪ ବର୍ଷ ହେବ ଲୋକେ ମୁଖ୍ୟମନ୍ତ୍ରୀ କରିଥିଲେ ବି ଦିନେ ବି ସାଧାରଣ ଲୋକଙ୍କ ଦୁଃଖ ଶୁଣିବା ପାଇଁ ସମୟ ନଥିଲା । ସବୁବେଳେ ନବୀନ ନିବାସ ଭିତରେ ଜଣେ ପ୍ରଭାବଶାଳୀ ଲୋକଙ୍କ ଆଢୁଆଳରେ ରହୁଥିବା ନବୀନ ମେଳାପୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦେଖି ବାହାରକୁ ବାହାରିବାକୁ ବାଧ୍ୟ ହୋଇଛନ୍ତି । ଯାହାର ଜବାବ ରଖିଛି ବିଜେଡି ।

କଥା ହେଲା ୨୪ ବର୍ଷ ଶାସନ କରିବା ପରେ ବି ଦଳର ନେତୃତ୍ଵ ଉପରେ ନେତା ଓ କର୍ମୀଙ୍କ ସତେ ଯେମିତି ଭରସା କି ବିଶ୍ଵାସ ନାହିଁ । ବୋଧହୁଏ ସେଇଥି ଲାଗି ନିଇତି ନେତା ଛାଡୁଛନ୍ତି ଦଳ । ଏଇ ଯେମିତି ଶନିବାର ରାୟଗଡା ଜିଲ୍ଲାର ପୁର୍ବତନ ବିଜେଡି ବିଧାୟକ ବିଭିଷଣ ମାଝୀ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ନବରଙ୍ଗପୁର ଜିଲ୍ଲା ବିଜେଡି ଉପ-ସଭାପତି ରଜନୀକାନ୍ତ ପଟ୍ଟନାୟକ ମଧ୍ୟ ବିଜେଡି ଶିବିରକୁ କରିଛନ୍ତି ବାଏ ବାଏ । ସବୁଠୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି ନବୀନଙ୍କ ନିଜ ଗଡ଼ ହିଂଜିଳିରେ । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ୨୪ ବର୍ଷ ହେବ ନବୀନ ନିଜ ନିବାସ ଛାଡି ବେଶୀ କୁଆଡେ ବାହାରକୁ ବାହାରନ୍ତି ନାହିଁ କି ତାଙ୍କୁ ଦେଖା କରିବା ସାଧାରଣ ଲୋକଙ୍କ ପାଇଁ ଏତେ ସହଜ ନଥିଲା । ଏପରିକି ନିଜ ଦଳର କର୍ମୀ ଓ ନେତାଙ୍କୁ ମଧ୍ୟ ନବୀନଙ୍କୁ ଭେଟିବା ଲାଗି ଜଣେ ପ୍ରଭାବଶାଳୀ ଲୋକଙ୍କ ଅନୁମତି ନେବାକୁ ପଡୁଥିଲା । ନବୀନଙ୍କ ବଦଳରେ ପ୍ରଥମେ ବବି ଓ ପରେ ପାଣ୍ଡିଆନ ବୁଲି ବୁଲି ରାଜ୍ୟସାରା ବିଜେଡି ସଂଗଠନ କାମ କରୁଥିଲେ । ସ୍ଥାନୀୟ ନେତାଙ୍କୁ ଅଣଦେଖା କରି ପ୍ରତି ନିର୍ବାଚନ ମଣ୍ଡଳୀରେ ସୃଷ୍ଟି କରିଥିଲେ ପ୍ରତିଦ୍ବନ୍ଦିତା ମୂଳକ ପରିସ୍ଥିତି । ଯାହାର ସ୍ଥିତି ୨୪ ନିର୍ବାଚନରେ ଭୋଗିଲା ଦଳ । ଏବେ ସମୟ କହିବ କେମିତି ମଙ୍ଗକୁ ସଳଖ କରୁଛନ୍ତି ନବୀନ ।
 

ପୋଲିସ ଡିଜି ଓ୍ବାଇବି
12m ago
ପୋଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: ପୋଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଲା। ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର। ସୂଚନାଯୋଗ୍ୟ ଗତ ମାସରେ ପୁଲି
ଜମ୍ମୁ-କଶ୍ମୀର
33m ago
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧିକ ମତଦାନ
ଅର୍ଗସ ବ୍ୟୁରୋ: ଏକ ଦଶନ୍ଧି ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧି
ରାଜଧାନୀରେ
57m ago
ରାଜଧାନୀରେ ପୁଣି ବୋମାମାଡ: ୩ଟି ବୋମା ଫିଙ୍ଗିଲେ ଦୁର୍ବୁତ୍ତ
ଅର୍ଗସ ବ୍ୟୁରୋ: ରାଜଧାନୀରେ ପୁଣି ବୋମାମାଡ଼ ହୋଇଛି। କ୍ୟାପିଟାଲ ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ବୋମାମାଡ ହୋଇଛି। ୨ଜଣ ଯୁବକ ବାଇକରେ ଆସି ଦୁଇଟି ସ୍ଥାନରେ ୩ଟି ବୋମା ପକାଇ ଫେରାର